Sonia Gandhi Biopic: ସୋନିଆ ଗାନ୍ଧୀଙ୍କ ଜୀବନୀକୁ ନେଇ ତିଆରି ହେବ ବାୟୋପିକ୍! ୨୦୨୮ ଡିସେମ୍ବର ୯ରେ ରିଲିଜ୍ ଯୋଜନା
ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ଜୀବନୀକୁ ନେଇ ଏକ ବାୟୋପିକ୍ ନିର୍ମାଣ କରିବାକୁ ଯୋଜନା କରିଛନ୍ତି ତେଲେଙ୍ଗାନା କଂଗ୍ରେସର କାର୍ଯ୍ୟକାରୀ ସଭାପତି ଜଗ୍ଗା ରେଡ୍ଡୀ। ସୋନିଆଙ୍କ ନିକଟରେ ପ୍ରକାଶିତ ପୁସ୍ତକ ‘Belonging: A Journey of Love’ ଉପରେ ଆଧାରିତ ହେବ ଏହି ଚଳଚ୍ଚିତ୍ର। ଏହାକୁ ତେଲୁଗୁ, ହିନ୍ଦୀ ସମେତ ଅନ୍ୟ ଭାଷାରେ ନିର୍ମାଣ କରିବାକୁ ଯୋଜନା ରହିଛି। PTI ଭିଡିଓକୁ ସୂଚନା ଦେଇ ଜଗ୍ଗା ରେଡ୍ଡୀ କହିଛନ୍ତି ଯେ, ସୋନିଆଙ୍କ ପୁସ୍ତକ ଆଧାରରେ ଏକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ସେମାନେ ନିଷ୍ପତ୍ତି ନେଇଛନ୍ତି।
ଜଗ୍ଗା ରେଡ୍ଡୀଙ୍କ କହିବା ଅନୁସାରେ, ଏହି ଫିଲ୍ମ କୌଣସି ବ୍ୟବସାୟିକ ଉଦ୍ଦେଶ୍ୟରେ ନିର୍ମାଣ ହେବ ନାହିଁ। ସାଙ୍ଗାରେଡ୍ଡୀ ନିର୍ବାଚନମଣ୍ଡଳୀର ପ୍ରାୟ ୫୦ ଜଣ କଂଗ୍ରେସ ନେତାଙ୍କ ଆର୍ଥିକ ସହଯୋଗରେ ଏହା ତିଆରି ହେବ। ୨୦୨୬ ଡିସେମ୍ବର ୯ରେ ସୋନିଆ ଗାନ୍ଧୀଙ୍କ ଜନ୍ମଦିନ ଅବସରରେ ଏକ କାର୍ଯ୍ୟକ୍ରମ ସହ ଫିଲ୍ମର କାମ ଆରମ୍ଭ କରିବାକୁ ସେ ଯୋଜନା କରିଛନ୍ତି।
ଏହି ବାୟୋପିକ୍କୁ ୨୦୨୮ ଡିସେମ୍ବର ୯ରେ ରିଲିଜ୍ କରିବାର ଲକ୍ଷ୍ୟ ରଖାଯାଇଛି। ଫିଲ୍ମର ସୁଟିଂ ଦିଲ୍ଲୀ ଏବଂ ତାମିଲନାଡୁର ଶ୍ରୀପେରୁମ୍ବୁଦୁରରେ ହେବାର ସମ୍ଭାବନା ରହିଛି। ତେବେ ଏହାର କଳାକାର, ନିର୍ଦ୍ଦେଶକ ଏବଂ ଅନ୍ୟାନ୍ୟ ନିର୍ମାଣ ସମ୍ପର୍କିତ ବିବରଣୀ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ।

