Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଲାର ବାତ୍ୟା ବିପନ୍ନ ପରିବାରଙ୍କୁ ପ୍ରତି ରାସନ କାର୍ଡ ପିଛା ୫୦ କିଲୋ ଚାଉଳ ଓ ୨,୫୦୦ ଟଙ୍କା ରିଲିଫ୍ ତୁରନ୍ତ ପ୍ରଦାନ ପାଇଁ ଜିଲ୍ଲପାଳ ଙ୍କ ନିକଟରେ ବିଧାୟକ ରୂପେଶ ପାଣିଗ୍ରାହୀ ଙ୍କ ଦାବୀ

ପାରଳାଖେମୁଣ୍ଡି:୨୧/୧୧(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର କ୍ଷତିଗ୍ରସ୍ତ ବାତ୍ୟା ବିପନ୍ନ ପରିବାରଙ୍କୁ ରାସନ କାର୍ଡ ପିଛା ୫୦ କିଲୋ ଚାଉଳ ଓ ୨,୫୦୦ ଟଙ୍କା ରିଲିଫ୍ ତୁରନ୍ତ ପ୍ରଦାନ ପାଇଁ ପୂର୍ବତନ ବାଚସ୍ପତି ନିରଞ୍ଜନ ପୂଜାରୀ ଏବଂ ପାରଳାଖେମୁଣ୍ଡି ବିଧାୟକ ରୁପେଶ ପାଣିଗ୍ରାହୀଙ୍କ ଦାବି l ଗଜପତି ଜିଲ୍ଲାପାଳଙ୍କ ସହ ଆଲୋଚନା କରି ରାଜ୍ୟ ସରକାରଙ୍କୁ ଅବଗତ କଲେ ଗଜପତି ଜିଲ୍ଲାରେ ପ୍ରକୃତିର ତାଣ୍ଡବରେ ଉଜୁଡ଼ିଯାଇଛି ଚାଷୀଙ୍କ ସ୍ୱପ୍ନ। ଲଗାଣ ବର୍ଷା ଓ ବାତ୍ୟାର ପ୍ରଭାବରେ ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଚାଷୀ ଓ ସାଧାରଣ ଲୋକଙ୍କ ଦୁଃଖ ଏବେ ଦ୍ୱିଗୁଣିତ ହୋଇଛି। ହଜାର ହଜାର ଚାଷୀଙ୍କ ମାସ ମାସର ପରିଶ୍ରମ ଓ ଆଶା ଆଖି ଆଗରେ ନଷ୍ଟ ହୋଇଯାଇଥିବାରୁ ଅନେକ ପରିବାର ଏବେ ଚିନ୍ତା ଓ ଆର୍ଥିକ ଅନିଶ୍ଚିତତା ମଧ୍ୟରେ ରହିଛନ୍ତି।ଏଭଳି ଦୁର୍ଦ୍ଦିନରେ ବାତ୍ୟା ବିପନ୍ନଙ୍କ ପାଖରେ ପହଞ୍ଚି ସେମାନଙ୍କ ଦୁଃଖ ଓ ସମସ୍ୟାକୁ ଅନୁଭବ କରିଛନ୍ତି ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏହି ଦୁଇ ନେତା ଦୁଇଦିନ ଧରି ଗଜପତି ଜିଲ୍ଲାର ମୋହନା ଓ ପାରଳାଖେମୁଣ୍ଡି ନିର୍ବାଚନମଣ୍ଡଳୀର ବିଭିନ୍ନ କ୍ଷତିଗ୍ରସ୍ତ ପଞ୍ଚାୟତ ଗସ୍ତ କରିଥିଲେ।ଏହି ଗସ୍ତ ସମୟରେ ସେମାନେ ବର୍ଷା ଓ ବାତ୍ୟାରେ ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହ ଚାଷୀ, ଗ୍ରାମବାସୀ ଓ କ୍ଷତିଗ୍ରସ୍ତ ପରିବାରଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ଲୋକଙ୍କ ଦୁର୍ଦ୍ଦଶା ଓ ଫସଲ କ୍ଷୟକ୍ଷତିର ବାସ୍ତବ ଚିତ୍ର ଅନୁଧ୍ୟାନ କରି ତୁରନ୍ତ ସରକାରୀ ସହାୟତା ଯୋଗାଇଦେବା ଉପରେ ସେମାନେ ଗୁରୁତ୍ୱ ଦେଇଥିଲେ।ଏହାପରେ ଉଭୟ ନେତା ଗଜପତି ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ସହ ସାକ୍ଷାତ କରି ବାତ୍ୟା ଓ ଲଗାଣ ବର୍ଷା ଯୋଗୁଁ ହୋଇଥିବା କ୍ଷୟକ୍ଷତି ଏବଂ ବିପନ୍ନଙ୍କ ସମସ୍ୟା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ପ୍ରତ୍ୟେକ ରାସନ କାର୍ଡଧାରୀ ପରିବାରକୁ ୫୦ କିଲୋଗ୍ରାମ ଚାଉଳ ସହ ୨,୫୦୦ ଟଙ୍କା ରିଲିଫ୍ ସହାୟତା ପ୍ରଦାନ କରିବାକୁ ସେମାନେ ଦାବି ଜଣାଇଥିଲେ।ଏହି ଦାବିକୁ ଜିଲ୍ଲା ପ୍ରଶାସନ ମାଧ୍ୟମରେ ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କରିବା ସହ ବିପନ୍ନଙ୍କୁ ତୁରନ୍ତ ଆଶ୍ୱସ୍ତି ଦେବା ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ।ନେତାମାନେ କହିଥିଲେ ଯେ, ବିପଦ ସମୟରେ ରାଜନୀତିଠାରୁ ଊର୍ଦ୍ଧ୍ୱରେ ରହି ଜନସାଧାରଣଙ୍କ ପାଖରେ ଛିଡ଼ା ହେବା ହିଁ ପ୍ରକୃତ ଜନସେବା। କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ, ଗରିବ ପରିବାରଙ୍କୁ ରିଲିଫ୍ ଏବଂ ଅସହାୟ ଲୋକଙ୍କୁ ତୁରନ୍ତ ସହାୟତା ଯୋଗାଇଦେବା ସରକାରଙ୍କ ପ୍ରାଥମିକ ଦାୟିତ୍ୱ।ବାତ୍ୟାରେ ସର୍ବସ୍ୱ ହରାଇଥିବା ଚାଷୀ ଓ ଗରିବ ପରିବାରଙ୍କ ଆଖିର ଲୁହ ପୋଛିବା ସହ ସେମାନଙ୍କୁ ପୁଣିଥରେ ନିଜ ଜୀବନ ଓ ଜୀବିକା ଗଢ଼ିବାର ସୁଯୋଗ ଦେବା ଆଜିର ସବୁଠାରୁ ବଡ଼ ଆବଶ୍ୟକତା। ଏବେ ସମସ୍ତଙ୍କ ନଜର ରାଜ୍ୟ ସରକାରଙ୍କ ପରବର୍ତ୍ତୀ ପଦକ୍ଷେପ ଓ ବିପନ୍ନଙ୍କ ପାଇଁ ରିଲିଫ୍ ଘୋଷଣା ଉପରେ ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories