Gajapati Inscription: ତାମିଲନାଡୁର Munnur ଗାଁର ଦୁଇ ମନ୍ଦିରରେ ମିଳିଲା ଶିଳାଲେଖ
AI-generated editorial illustration for this story.
ତାମିଲନାଡୁର ବିଲୁପୁରମ୍ ଜିଲ୍ଲାର ମୁନ୍ନୁର ଗାଁରେ ସୂର୍ଯ୍ୟବଂଶୀ ଗଜପତି କପିଳେନ୍ଦ୍ରଦେବଙ୍କ ସମୟର ଦୁଇଟି ଶିଳାଲେଖ ଠାବ କରିଛନ୍ତି ‘ରିଡିସ୍କଭର୍ ଲଷ୍ଟ ହେରିଟେଜ ଟ୍ରଷ୍ଟ’ର ସଦସ୍ୟ ସୁମନ ପ୍ରକାଶ ସ୍ୱାଇଁ, ବି. ଶିବପ୍ରସାଦ ଓ ଦୀପକ କୁମାର ନାୟକ। ଅଢ଼ାବଳେଶ୍ୱର ଶିବ ମନ୍ଦିରର ପୂର୍ବ କାନ୍ଥରେ ଗୋଟିଏ ଏବଂ ପେରୁମାଲ ପୁରୁଷୋତ୍ତମ ବିଷ୍ଣୁ ମନ୍ଦିରର ଉତ୍ତର କାନ୍ଥରେ ଅନ୍ୟଟି ଖୋଦିତ ହୋଇଛି। ମୁନ୍ନୁରର ଏହି ଅଭିଲେଖ ବିଷୟରେ 1919ରେ ପ୍ରକାଶିତ ‘Annual Report on South Indian Epigraphy’ରୁ ସୂଚନା ମିଳିଥିଲା। ତାମିଲନାଡୁରେ କଳିଙ୍ଗ ଇତିହାସ ସହ ଜଡ଼ିତ ପ୍ରତ୍ନତାତ୍ତ୍ୱିକ ଅବଶେଷର ତଥ୍ୟ ଲିପିବଦ୍ଧ କରିବା ବେଳେ ଦଳ ଏହି ଶିଳାଲେଖ ଦୁଇଟିକୁ ଠାବ କରିଥିବା ଐତିହ୍ୟ ଗବେଷକ ଦୀପକ ନାୟକ କହିଛନ୍ତି।
ନାୟକଙ୍କ କହିବା ଅନୁଯାୟୀ, ଦଳ ପଠାଇଥିବା ଛବି ଦେଖି ତାମିଲ ଲିପି ବିଶେଷଜ୍ଞ ଧନଶେଖର ପ୍ରଭାକରଣ ଶିଳାଲେଖ ଦୁଇଟିକୁ ଦକ୍ଷିଣ କପିଳେଶ୍ୱର ମହାପାତ୍ରଙ୍କ ସହ ଯୋଡ଼ିଛନ୍ତି। ଦକ୍ଷିଣ କପିଳେଶ୍ୱର ଥିଲେ କପିଳେନ୍ଦ୍ରଦେବଙ୍କ ନାତି ଓ ହମ୍ବିରଦେବଙ୍କ ପୁଅ। ଅଭିଲେଖ ଅନୁସାରେ, 1464 ମସିହାରେ ସେ ଉଭୟ ମନ୍ଦିରର ମରାମତି କରାଇବା ସହ ‘ହମ୍ବିରଭୋଗ’ ନାମରେ ଭୋଗର ବ୍ୟବସ୍ଥା କରିଥିଲେ। ଏହି ଭୋଗ ସମ୍ଭବତଃ ତାଙ୍କ ପିତାଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ଥିଲା। ସେତେବେଳେ ସେ କୋଣ୍ଡାପଲ୍ଲୀ, ଆଡ଼ାଙ୍କି, ବିନୁକୋଣ୍ଡା, ପାଡ଼ାଇଭିଡୁ, ତ୍ରିଚନାପଲ୍ଲୀ, ଚନ୍ଦ୍ରଗିରି ଓ ତିରୁବାରୁର ଆଦି ଅଞ୍ଚଳ ଶାସନ କରୁଥିବା ମଧ୍ୟ ଶିଳାଲେଖରେ ଉଲ୍ଲେଖ ରହିଛି।
ନାୟକଙ୍କ ମତରେ, ଶିଳାଲେଖରେ ଉଲ୍ଲେଖ ଥିବା ଅଞ୍ଚଳଗୁଡ଼ିକରୁ 15ଶ ଶତାବ୍ଦୀରେ ଗଜପତି ସାମ୍ରାଜ୍ୟ କାବେରୀ ନଦୀର ଦକ୍ଷିଣକୁ ବିସ୍ତାର ଲାଭ କରିଥିବାର ସୂଚନା ମିଳେ। ଶ୍ରୀଜଗନ୍ନାଥଙ୍କୁ ମଧ୍ୟ ପୁରୁଷୋତ୍ତମ କୁହାଯାଉଥିବାରୁ ମୁନ୍ନୁରରେ ବିଷ୍ଣୁଙ୍କ ପାଇଁ ଏହି ନାମର ବ୍ୟବହାରକୁ ସେ ସୂର୍ଯ୍ୟବଂଶୀ ଶାସନ ସମୟର ଜଗନ୍ନାଥ ଭକ୍ତିର ନିଦର୍ଶନ ବୋଲି ଦେଖୁଛନ୍ତି। ଓଡ଼ିଶା ଇତିହାସ ପାଇଁ ଏହି ଶିଳାଲେଖ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୋଲି କହିବା ସହ ସେଗୁଡ଼ିକର ଛାପ ନେଇ ନକଲ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ରଖିବାକୁ ସେ ପ୍ରସ୍ତାବ ଦେଇଛନ୍ତି।

