ରାଜ୍ୟରେ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଅମଲାମାନେ ଗତ ୧୫ ଦିନ ଧରି କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଥିବାରୁ ଏହାର ସିଧାସଳଖ ପ୍ରଭାବ ଜନସାଧାରଣ ଙ୍କଠାରେ ପଡୁଛି । ବିଶେଷକରି ନାମ ଲେଖା ଓ ଚାକିରି ପାଇଁ ଆବେଦନ ନିମନ୍ତେ ଦରକାର ଥିବା ବିଭିନ୍ନ ପ୍ରମାଣପତ୍ର(ସାର୍ଟିପିକେଟ) ଗୁଡିକ ମିଳି ପାରୁ ନାହିଁ । ଆବେଦନକାରୀ ପ୍ରମାଣପତ୍ର ପାଇଁ ଅନଲାଇନରେ ଆବେଦନ କରିଥିଲେ ମଧ୍ୟ ଅମଲା ମାନେ କାର୍ଯ୍ୟରେ ନଥିବାରୁ ତାହା ଅଟକି ରହିଛି । କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକରେ ସପ୍ତାହକୁ ଗୋଟିଏ ଦିନ ସବ୍ରେଜିଷ୍ଟ୍ରୀ ଅଫିସରେ ଜମି କିଣାବିକା ରେଜିଷ୍ଟ୍ରେସନ ହୋଇଥାଏ । ସପ୍ତାହର ଗୋଟିଏ ଦିନରେ କେବଳ ୧୯ ଜଣ ଙ୍କ ହିଁ ରେଜିଷ୍ଟ୍ରୀ ହୋଇପାରିବ ଓ ୧୯ ଜଣରେ ହିଁ ସ୍ଲଟ ବୁକିଂ ଶେଷ ହୋଇଥାଏ । କିନ୍ତୁ ଚଳିତ ମାସ ପ୍ରାରମ୍ଭରୁ ରେଜିଷ୍ଟ୍ରେସନ କାମ ବନ୍ଦ ଥିବାରୁ ଅନ୍ୟୁନ ୫୭ ଜଣ ଙ୍କର ରେଜିଷ୍ଟ୍ରୀ ହୋଇପାରିନାହିଁ । ଯେଉଁ ପ୍ରଜାମାନେ ଜମି ବିକୁଛନ୍ତି, ସେମାନେ ରେଜିଷ୍ଟ୍ରେସନ କରାଇପାରୁନଥିବାରୁ କ୍ରେତାଙ୍କ ଠାରୁ ସମସ୍ତ ଅର୍ଥ ପାଇବାରେ ଅସୁବିଧା ହେଉଛି, ଯଦ୍ୱାରା ସେମାନଙ୍କ ଉଦ୍ଦେଶ୍ୟରେ ପ୍ରତିବନ୍ଧକ ସୃଷ୍ଟି ହେଉଛି । ସେଇପରି ଜମି କିଣାବିକା,ଜବରଦଖଲ କାରଣକୁ ନେଇ କୋର୍ଟ ଅମିନ ଦ୍ୱାରା ଡିମାରକେଶନ କରିବା ନିମନ୍ତେ ବହୁ ଲୋକ ଙ୍କ ଡିମାରକେଶନ ଆବେଦନ ତହିସଲରେ ପଡିରହିଛି । ଜୁନ ମାସ ଶେଷ ହେଲେ ଡିମାରକେଶନ ହୋଇପାରିବ ନାହିଁ । ତେଣୁ ବିବାଦୀୟ ଜମିରେ ଚାଷ ପୂର୍ବରୁ ଡିମାରକେଶନ କରି ସ୍ଥାୟୀ ଫଇସଲା କରିବାକୁ ଚାହିୁଁଥିବା ଲୋକେ ଅମଲାଙ୍କ କାର୍ଯ୍ୟବନ୍ଦ ହେତୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏପରି ବିଭିନ୍ନ ସମସ୍ୟା ଦେଖାଦେଉଥିବାରୁ ସରକାର ବିକଳ୍ପ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ ହେଉଛି ।
କର୍ଲାମୁଣ୍ଡା ବ୍ଲକ : ଅମଲାଙ୍କ କାର୍ଯ୍ୟବନ୍ଦ ହେତୁ ଜନସାଧାରଣ ପ୍ରଭାବିତ
