Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କରମଣ୍ଡଳ ଏକ୍ସପ୍ରେସର ଡ୍ରାଇଭରଙ୍କ ଅବସ୍ଥା କଣ ? ପରିବାର ଲୋକଙ୍କ ଅଭିଯୋଗ- ଭେଟିବାକୁ ଅନୁମତି ଦିଆଯାଉନି

କଟକ: ବାଲେଶ୍ଵରର ବାହାନଗାରେ ଘଟି ଯାଇଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାକୁ ୧୫ ଦିନରୁ ଅଧିକ ସମୟ ବିତି ସାରିଛି। ହେଲେ ଆଜି ପର୍ଯ୍ୟନ୍ତ ଦୁର୍ଘଟଣାଗ୍ରସ୍ତ ଟ୍ରେନର ଡ୍ରାଇଭରଙ୍କୁ ତାଙ୍କ ପରିବାର ଲୋକଙ୍କ ସହ ଭେଟିବା ପାଇଁ ଅନୁମତି ଦିଆଯାଉ ନାହିଁ। କଟକ ସହରଠୁ ୧୦ କିଲୋମିଟର ଦୂରରେ ଅବସ୍ଥିତ ନହରପଡ଼ା ଗାଁରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। କଣ ଡ୍ରାଇଭର ଗୁଣନିଧି ମହାନ୍ତି ଦ୍ରୁତ ଗତିରେ ଟ୍ରେନ ଚଲାଉଥିଲେ, ଏହାକୁ ନେଇ ଲୋକେ ଫୁସୁରୁ ଫାସୁର ହେଉଛନ୍ତି। ହେଲେ ତାଙ୍କ ପରିବାର ଲୋକେ ଏହାକୁ ନେଇ ଚିନ୍ତିତ ଯେ, ଗୁଣନିଧିଙ୍କୁ ତାଙ୍କ ସହ ଭେଟିବାକୁ ଦିଆଯାଉ ନାହିଁ।

ବାପା ବିଷ୍ଣୁ ଚରଣ ମହାନ୍ତି କହିଛନ୍ତି, ଗାଁରେ ପ୍ରତ୍ୟେକ ଲୋକେ ଦୁର୍ଘଟଣା ପାଇଁ ମୋ ପୁଅକୁ ଦାୟୀ କରୁଛନ୍ତି। ମାତ୍ର ସେ ଗତ ୨୭ ବର୍ଷ ହେବ ଟ୍ରେନ ଚଲାଇ ଆସୁଛି ଏବଂ ତା ଦ୍ଵାରା କେବେ ତ୍ରୁଟି ହୋଇ ନାହିଁ ? ମୁଁ ହେଲେ କେମିତି ଜାଣିବି ଯେ, ସେ ଦିନ ସନ୍ଧ୍ୟାରେ କେମିତି ଦୁର୍ଘଟଣା ଘଟିଥିଲା ? ମୁଁ ପୁଅ ସହ ଏ ଯାଏ କଥା ବି ହୋଇନି। ମୁଁ କେବଳ ତାର ଫେରିବା ବାଟକୁ ଅପେକ୍ଷା କରିଛି।

ଜୁନ ୨ ତାରିଖ ସନ୍ଧ୍ୟା ପ୍ରାୟ ୬ଟା ୪୫ରୁ ୭ଟା ମଧ୍ୟରେ ବାହାନଗା ବଜାର ଷ୍ଟେସନ ନିକଟରେ କରମଣ୍ଡଳ ଏକ୍ସପ୍ରେସ୍, ଯଶବନ୍ତପୁର-ହାଓ୍ଵଡ଼ା ଏକ୍ସପ୍ରେସ୍ ଏବଂ ମାଲବାହୀ ଟ୍ରେନ ମଧ୍ୟରେ ଭୀଷଣ ଧକ୍କା ହେବାରୁ ହୃଦୟ ବିଦାରକ ଟ୍ରେନ ଦୁର୍ଘଟଣା ଘଟିଥିଲା। ଏଥିରେ ୨୯୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧୦୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ। ଦୁର୍ଘଟଣାରେ କରମଣ୍ଡଳ ଏକ୍ସପ୍ରେସର ଡ୍ରାଇଭର ଗୁଣନିଧି ମହାନ୍ତି ମଧ୍ୟ ଆହତ ହୋଇଥିଲେ। ତାଙ୍କର ତିନୋଟି ହାଡ଼ ଭାଙ୍ଗି ଯାଇଛି ଏବଂ ମୁଣ୍ଡରେ ଆଘାତ ଲାଗିଛି। ତାଙ୍କୁ ଭୁବନେଶ୍ଵରର ଏଏମଆରଆଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହା ପରଠୁ ବାପା ବିଷ୍ଣୁ ଚରଣ ମହାନ୍ତି ପୁଅର ଅପେକ୍ଷାରେ ଅଛନ୍ତି। ଉଲ୍ଲେଖନୀୟ ବାପା ଜଣେ ପୂର୍ବତନ ଯବାନ।

ଦୁର୍ଘଟଣାର ୨ ଦିନ ପରେ ଗୁଣନିଧିଙ୍କ ଛୋଟ ଭାଇ ରଞ୍ଜିତ ମହାନ୍ତି ତାଙ୍କୁ ଭେଟିବାକୁ ହସ୍ପିଟାଲ୍ ଯାଇଥିଲେ। ସେ କହିଛନ୍ତି ଆଇସିୟୁରେ ମୋବାଇଲ୍ ଫୋନ ଅନୁମତି ନାହିଁ। ଡାକ୍ତରଙ୍କ ଅନୁସାରେ ଭାଇର ଛାତିରେ କିଛି ରକ୍ତ ଜମି ଯାଇଛି। ତାଙ୍କୁ ଖୁବ୍ ଯନ୍ତ୍ରଣା ହେଉଥିଲା ଏବଂ ସେ କିଛି କହି ପାରୁ ନ ଥିଲେ। ଭାଉଜ ସେଠାରେ ଥିଲେ ମଧ୍ୟ ତାଙ୍କୁ ମଧ୍ୟ ଭାଇଙ୍କ ନିକଟକୁ ଯିବାକୁ ଅନୁମତି ଦିଆଯାଇ ନାହିଁ ବୋଲି ରଞ୍ଜିତ କହିଛନ୍ତି।