Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଗୁଆ ନିର୍ବାଚନ ଲଢିବେ କି ନବୀନ?

ଭୁବନେଶ୍ବର: ପାଖେଇ ଆସୁଛି ୨୦୨୪ ନିର୍ବାଚନ। ନିର୍ବାଚନ ଲାଗି ରଣନୀତି ଆରମ୍ଭ କଲେଣି ପ୍ରମୁଖ ଦଳ। ତେବେ ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଜୁନ୍‌ ୨୦ ତାରିଖରେ ନବୀନ ନିବାସରେ ୨୪ ଦଳୀୟ ବିଧାୟକଙ୍କ ସହ ବୈଠକ କରିଥିବା ଜଣାପଡ଼ିଛି। ସେମାନଙ୍କ ନିର୍ବାଚନ ମଣ୍ଡଳୀରେ ଆଗାମୀ ଦିନରେ ଟିକେଟ ପାଇବା ସମ୍ଭାବନା ସମ୍ପର୍କରେ ନବୀନ ଆଲୋଚନା କରିଥିବା ଜଣାପଡ଼ିଛି। ତେବେ ଏହା ଆଉ ଆଗୁଆ ନିର୍ବାଚନର ପ୍ରସ୍ତୁତି ନୁହେଁ ତ? ନିର୍ଦ୍ଧାରିତ ସମୟ ପୂର୍ବରୁ ହେବ କି ରାଜ୍ୟ ନିର୍ବାଚନ ? ଏ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ଚଳିତ ବିଧାନସଭାର କାର୍ଯ୍ୟକାଳ ମେ’ ୨୦୨୪ରେ ଶେଷ ହେବ। ଏହା ପୂର୍ବରୁ ଆଗୁଆ ନିର୍ବାଚନକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଏହି ବୈଠକ ଅତ୍ୟନ୍ତ ଗୁରୁତ୍ବ ବହନ କରୁଛି ବୋଲି କୁହାଯାଉଛି।

ତେ‌ବେ ନବୀନଙ୍କ ଏଭଳି ବୈଠକ ପ୍ରଥମ ଘଟଣା ନୁହେଁ। ବାସ୍ତବରେ ଏହା ହେଉଛି ତୃତୀୟ ସାକ୍ଷାତ ଯେଉଁଥିରେ ସେ ବିଧାୟକଙ୍କ ସହ ଆଲୋଚନା କରିଛନ୍ତି। ଏହା ପୂର୍ବରୁ ସେ ଦୁଇଟି ପର୍ଯ୍ୟାୟରେ ୭୦ ବିଧାୟକଙ୍କୁ ଭେଟି ସାରିଛନ୍ତି ନବୀନ।

ସୂଚନାଅନୁଯାୟୀ, ବିଧାୟକମାନେ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ଦଳର ସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ଏବଂ ପ୍ରତିବଦଳରେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ତୃଣମୂଳ ସ୍ତରରେ ଦଳକୁ ମଜଭୁତ କରିବା ପାଇଁ ମାର୍ଗଦର୍ଶନ ପ୍ରଦାନ କରିଥିଲେ। ଏପରିକି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଡକାଯାଇଥିବା ବିଧାୟକଙ୍କୁ ଆଗାମୀ ନିର୍ବାଚନରେ ଦଳୀୟ ଟିକେଟ ମିଳିପାରେ ବୋଲି ଚର୍ଚ୍ଚା ହେଉଛି। ଏ ନେଇ ବିଜେଡି ପକ୍ଷରୁ କୌଣସି ଆନୁଷ୍ଠାନିକ ମନ୍ତବ୍ୟ ଦିଆଯାଇ ନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ