Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟ୍ରଲର ଭ୍ୟାନ ରେ ହେଉଛି ଅବାଧ ଗୋ ଚାଳାଣ, ପୋଲିସ ପ୍ରଶାସନ ନୀରବଦ୍ରଷ୍ଟା

କଳାହାଣ୍ଡି ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ପ୍ରତିଦିନ ଶହଶହ ସଂଖାରେ ଅନ୍ୟ ଜିଲ୍ଲା ତଥା ବାହାର ରାଜ୍ୟକୁ ଗୋ ଚାଲାଣ ହେଉଥିବା ବେଲେ ଜିଲ୍ଲା ପ୍ରଶାସନ ଏହାକୁ ରୋକିବାରେ ଫେଲ ମାରିଛି । କଳାହାଣ୍ଡି ଜିଲ୍ଲା ଧର୍ମଗଡ ବିଜୁ ଏକ୍ସପ୍ରେସ ୱେ ଦେଇ ଆମପାଣି ସମେତ କୋକସରା ବ୍ଲକ ଦେଇ ପ୍ରତି ଶୁକ୍ରବାର,ଶନିବାର ଦିନ ପଡୋଶି ଜିଲ୍ଲା ନବରଙ୍ଗପୁର କୋରାପୁଟକୁ ଶହଶହ ସଂଖ୍ୟାରେ ଗୋରୁ ବେପାରୀମାନେ ଅବାଧରେ ଗୋ ଚାଲାଣ କରୁଛନ୍ତି । ଆମପାଣି ନିକଟରେ ଗାଈଗୋରୁ ପହଞ୍ଚିବା ପରେ କିଛି ଆନ୍ତରାଜ୍ୟ ଗୋ ଚାଲାଣ କାରୀ ମାନେ ପୋଲିସ ର ନାକତଳେ ଟ୍ରଲର ଭ୍ୟାନ ରେ ଗାଈଗୋରୁ ଙ୍କୁ ପୁରାଇ ଅତି ଦୟନୀୟ ଅବସ୍ଥାରେ ଚାଲାଣ କରୁଛନ୍ତି। କଳାହାଣ୍ଡି ଶେଷ ସୀମା ଆମପାଣି ଥାନା ସମ୍ମୁଖରେ ଚେକ ପୋଷ୍ଟ ରହିଛି ହେଲେ ସେହି ପୋଲିସ ଥାନା ର କିଛି ଦୁର ରେ ଗାଈଗୋରୁ ଙ୍କୁ ଭ୍ୟାନ ରେ ଭର୍ତ୍ତି କରି ନିଆଯାଉଛି। ଏହା ହେଉଛି ସେହି ସମୟ ର ଦୃଶ୍ୟ, ଯେତେବେଳେ ଗାଈଗୋରୁ ଙ୍କୁ ଗାଡି ଭର୍ତ୍ତି କରି ନେବା ସମୟରେ ଗଣମାଧ୍ୟମ ପ୍ରତିନିଧିମାନେ ପହଞ୍ଚିବା ପରେ ଫେରାର ମାରିଥିଲେ ଗୋ ଚାଲାଣ କାରୀ। କୋକସରା ବ୍ଲକ ରେ ସକ୍ରିୟ ଥିବା ଗୋରୁ ବେପାରୀ ମାନେ ଗ୍ରାମାଞ୍ଚଳ ତଥା ବେହେରା, ଧର୍ମଗଡ ଗୋରୁ ବଜାରରୁ ଗାଈଗୋରୁ କିଣି ନବରଙ୍ଗପୁର, କୋରାପୁଟ ଜିଲ୍ଲା ଦେଇ ଆନ୍ଧ୍ରପ୍ରଦେଶ, ହାଇଦ୍ରାବାଦ, ଚେନ୍ନାଇ ରାଜ୍ୟ କୁ ଗୋ ଚାଲାଣ ହେଉଛି । ଏହି ବେପାରୀ ମାନେ ଗୋ ଚାଲାଣ ପାଇଁ ଶ୍ରମିକ ନିୟୋଜିତ କରିଥାନ୍ତି । ସେମାନଙ୍କ କାମ ହେଲା ଧର୍ମଗଡ ବେହେରା ସାପ୍ତାହିକ ବଜାର ରୁ କିଣା ଯାଇଥିବା ଗାଈଗୋରୁ ଙ୍କୁ ବିଜୁ ଏକ୍ସପ୍ରେସ ୱେ ଓ କୋକସରା ବ୍ଲକ ଦେଇ ଜାତୀୟ ରାଜପଥ ୨୬ ଆମପାଣି, ପାପଡାହାଣ୍ଡି, ନବରଙ୍ଗପୁର, ବୋରିଗୁମ୍ମା ପର୍ଯ୍ୟନ୍ତ ଗୋରୁମାନଙ୍କୁ ଚଲେଇ ନେଇଥାନ୍ତି । ତା ବଦଳରେ ପାରିଶ୍ରମିକ ବାବଦରେ ପ୍ରତି ଶ୍ରମିକ ୨ ରୁ ୩ ହଜାର ଟଙ୍କା ମିଲିଥାଏ । ଏଥିପାଇଁ ଶ୍ରମିକମାନଙ୍କୁ ୨ ରୁ ୩ ଦିନ ସମୟ ଲାଗିଥାଏ ବୋଲି ଗୋରୁ ନେଇଯାଉଥିବା ଶ୍ରମିକ ମାନେ କହିଛନ୍ତି । ବୋରିଗୁମ୍ମା ନିକଟରେ ଥିବା ଜୟନ୍ତଗିରୀ ହେଉଛି ଗାଈଗୋରୁ କିଣାବିକା ର ପେଣ୍ଠସ୍ଥଳି। ପ୍ରତି ସୋମବାର ଓ ମଙ୍ଗଳବାର ଜୟନ୍ତଗିରି ରେବଗୋରୁ ବଜାର ବସିଥାଏ । ଏହି ବଜାରକୁ ହଜାର ହଜାର ସଂଖ୍ୟାରେ ବଳଦ, ଗାଈ, ବାଛୁରୀ, ପୋଢ, ମହିଷି ଆସି ଠୁଲ ହୁଅନ୍ତି । ଏଠାରେ ଚାଲେ କିଣାବିକା ପ୍ରକ୍ରିୟା । ଏହି ବଜାରକୁ ଜିଲ୍ଲା ତଥା ପଡୋଶି ରାଜ୍ୟ ଆନ୍ଦ୍ରପ୍ରଦେଶ, ଛତିଶଗଡ, ହାଇଦ୍ରାବାଦ,ଚେନ୍ନାଇ, ତାମିଲନାଡୁ ଅଞ୍ଚଳରୁ ବେପାରୀ ଦ୍ୱାରା ନିୟୋଜିତ ଏଜେଣ୍ଟ ମାନଙ୍କ ସାହାର୍ଯ୍ୟରେ ମୁଲଚାଲ କରି ଲକ୍ଷଲକ୍ଷ ଟଙ୍କା ବିନିମୟରେ ଗାଈଗୋରୁ କିଣି ଅନ୍ୟ ରାଜ୍ୟକୁ ଗାଡି ଯୋଗେ ଚାଲାଣ କରୁଥିବା ଜଣାପଡିଛି। ଦକ୍ଷିଣ ଭାରତର କିଛି ରାଜ୍ୟରେ ଓ ଅନ୍ତରାଷ୍ଟ୍ରିୟ ବଜାରରେ ଗୋ ମାଂସର ଚାହିଦା ଅଧିକା ଥିବା ଯୋଗୁଁ ଅଧିକାଂଶ ଗୋ ସମ୍ପଦ ଏହି ଚାହିଦା ପୂରଣ କରିବା ପାଇଁ ବଲି ପଡିଥାନ୍ତି । ନବରଙ୍ଗପୁର କୋରାପୁଟ ଜିଲ୍ଲାରୁ ଓଡିଶା ସମେତ ଅନ୍ୟ ରାଜ୍ୟର ସହର ମାନଙ୍କୁ ଗୋ ମାଂସ ଚାଲାଣ ହେଉଥିବା ନେଇ କିଛି ଗୋରୁ ବେପାରୀ ନାମ ଗୋପନ ରଖି ପ୍ରକାଶ କରିଛନ୍ତି । ତେବେ ଏସବୁ ଭିତରେ ଦିନକୁ ଦିନ ଗୋ ସମ୍ପଦ ହ୍ରାସ ପାଉଥିବା ବେଲେ ବେଆଇନ ଗୋ ଚାଲାଣ ରେ ଅଙ୍କୁଶ ଲଗାଇବାକୁ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇ ଆସୁଛି।ତେବେ କେବେ ଜିଲ୍ଲା ପ୍ରଶାସନ ଏ ଦିଗରେ ତତ୍ପରତା ଦେଖାଇ ବେଆଇନ ଗୋ ଚାଲାଣ ଉପରେ ଲଗାମ ଲଗାଉଛି ତାହା ଦେଖିବାକୁ ବାକି ରହିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ