Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Byju’sର ଅବସ୍ଥା ଖରାପ, ପ୍ରଥମେ ଛଟେଇ ପରେ ଏବେ ଅଫିସ କରୁଛି ଖାଲି

ନୂଆଦିଲ୍ଲୀ: ଦୁନିଆର ସବୁଠୁ ବଡ଼ ଏଜୁକେସନ ଟେକ୍ କମ୍ପାନୀ ମଧ୍ୟରୁ ଏକ ବାୟଜୁର ଅବସ୍ଥା ବହୁତ ଖରାପ। ବ୍ୟାପକ ଛଟେଇ ପରେ ବି କମ୍ପାନୀର ମୁସ୍କିଲ ଥମିବାର ନାଁ ନେଉ ନାହିଁ। ରିପୋର୍ଟ ଅନୁଯାୟୀ ବାୟଜୁ ନିଜର କିଛି କର୍ମଚାରୀଙ୍କୁ ବେଙ୍ଗାଲୁରୁ ସ୍ଥିତ ସବୁଠୁ ବଡ଼ ଟିମକୁ ଅଫିସ ଖାଲି କରିବାକୁ କହିଛି। ଏହି ଖବର ଏମିତି ସମୟରେ ଆସିଛି ଯେତେବେଳେ କମ୍ପାନୀ ଜୁନ ମାସରେ ବହୁ ସଂଖ୍ୟାରେ କର୍ମଚାରୀଙ୍କ ପିଏଫ ମଧ୍ୟ ପୈଠ କରି ପାରିନାହିଁ।

ମନି କଣ୍ଟ୍ରୋଲର ରିପୋର୍ଟ ଅନୁଯାୟୀ, ବାୟଜୁ ବେଙ୍ଗାଲୁରୁର କଲ୍ୟାଣୀ ଟେକ୍ ପାର୍କ ସ୍ଥିତ ଅଫିସରେ କାମ କରୁଥିବା କର୍ମଚାରୀଙ୍କୁ ଅଫିସ ଖାଲି କରିବାକୁ କହିଛି। ଏପରିକି ଜୁଲାଇ ୨୩ରୁ ଘରେ କାମ କରନ୍ତୁ କିମ୍ବା ଅନ୍ୟ ସେଣ୍ଟର ଯାଇ କାମ କରିବାକୁ କର୍ମଚାରୀଙ୍କୁ କୁହାଯାଇଛି। କମ୍ପାନୀର ଏହି ଅଫିସ ୫.୫୮ ଲକ୍ଷ ବର୍ଗଫୁଟର ଥିଲା। କେବଳ ଏତିକି ନୁହେଁ କମ୍ପାନୀ ପ୍ରେସଟିଜ୍ ଟେକ୍ ପାର୍କରେ ସ୍ଥିତ ୯ ମହଲା ଅଫିସରୁ ୨ଟି ଫ୍ଲୋର ମଧ୍ୟ ଖାଲି କରି ଦେଇଛି।

ଏହି ପୂରା ମାମଲାରେ ମନି କଣ୍ଟ୍ରୋଲ ସହ ଆଲୋଚନା କରି ବାୟଜୁର ମୁଖପାତ୍ର କହିଛନ୍ତି, କମ୍ପାନୀ ନିକଟରେ ସମଗ୍ର ଦେଶରେ ମୋଟ୍ ୩୦ ଲକ୍ଷ ବର୍ଗ ଫୁଟର ଅଫିସ ରହିଛି। ଅଫିସର ସ୍ଥାନ ବଢାଇବା କିମ୍ବା ହ୍ରାସ କରିବାର ନିଷ୍ପତ୍ତି ବ୍ୟବସାୟ ପ୍ରାଥମିକତା ଏବଂ କାମ ପଲିସିକୁ ଦୃଷ୍ଟିରେ ରଖି ନିଆଯାଏ।

ସୂଚନା ଅନୁଯାୟୀ, ଜୁନ ମାସରେ ବାୟଜୁ ମାତ୍ର ୭୩୮ କର୍ମଚାରୀଙ୍କ ପିଏଫ ପୈଠ କରିଛି। ଯାହା ମେ ମାସରେ କମ୍ପାନୀ ୨୫ ହଜାର କର୍ମଚାରୀଙ୍କ ପିଏଫ ପୈଠ କରିଥିଲା। କମ୍ପାନୀ ବର୍ତ୍ତମାନ ଖର୍ଚ୍ଚକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା ଚଳାଇଛି। ଏହି କାରଣରୁ ପ୍ରଥମେ ଛଟେଇ ପରେ ଏବେ ଅଫିସ ଖାଲି କରାଯାଉଛି। ଗତ ୯ ମାସରେ ବାୟଜୁ ୫ ହଜାର କର୍ମଚାରୀଙ୍କୁ ଛଟେଇ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ