ଆସୁଛି ଉତ୍ସବ କମିଛି ଉତ୍ସାହ…ମୋବାଇଲ ଯୁଗରେ ହଜିଯାଇଛି ରାକ୍ଷୀର ଚାହିଦା….


ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ): ଆଗକୁ ଆସୁଛି ରାକ୍ଷୀ ପୂର୍ଣ୍ଣିମା ଭାଇ ଓ ଭଉଣୀର ପବିତ୍ର ସମ୍ପର୍କକୁ ଉଦ୍ଜୀବିତ ରଖିବା ପାଇଁ ରକ୍ଷାବନ୍ଧନ ଉତ୍ସବ କେଉଁ ଆବାହମାନ କାଳରୁ ପାଳିତ ହୋଇଆସୁଛି l ବିଜ୍ଞାନର ଅଗ୍ରଗତି ତାଳେ ତାଳେ ଲୋକେ ପର୍ବପର୍ବାଣିକୁ ସେହି ଢଙ୍ଗରେ ପାଳନ କରିବାକୁ ପଛାଉ ନାହାନ୍ତି l ଆଧୁନିକ ପରମ୍ପରାକୁ ଆପଣେଇବାକୁ ଯାଇ ମନୁଷ୍ୟ ତା ରୁଚିରେ ବହୁତ କିଛି ପରିବର୍ତନ ଆଣିଛି l ଯେପରି ରକ୍ଷାବନ୍ଧନ ଆଗରୁ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ମିଠା ଖୁଆଇ ପାଳନ କରିଥାଏ l ହେଲେ ବର୍ତ୍ତମାନର ଇଣ୍ଟରନେଟ ଯୁଗରେ ସମ୍ପୂର୍ଣ୍ଣ ବଦଳି ଯାଇଛି l ଦୂରରେ ରହୁଥିବା ଭାଇ ପାଖକୁ ଆଉ ଡାକଯୋଗେ ରାକ୍ଷୀ ପଠାଉନି ଭଉଣୀ l ମୋବାଇଲ ମାଧ୍ୟମରେ ବହୁତ ସ୍ୱଛ ମୂଲ୍ୟରେ ମେସେଜ କାର୍ଡ ପକାଇ ଭଉଣୀମାନେ ଭାଇ ମାନଙ୍କୁ ଅଭିନନ୍ଦନ ଜଣାଇ ପାରୁଛନ୍ତି l ତେବେ ଏହି ସବୁ ଭିତରେ ହଜିଯାଇଛି ରାକ୍ଷୀର ଚାହିଦା, କମ୍ପୁଟର ଓ ମୋବାଇଲ ପ୍ରଚଳନ ହୋଇ ନଥିବା ସମୟରେ ରାକ୍ଷୀ ଅଭିନନ୍ଦନ ମାଧ୍ୟମ ହେଉଛି ରାକ୍ଷୀ କୁ ଡାକ ଦ୍ୱାରା ପଠାଇବା l ସେଥିପାଇଁ ମାସେ ଆଗରୁ ଆରମ୍ଭ ହୋଇଯାଉଥିଲା ରାକ୍ଷୀ ପଠାଇବାର ପର୍ବ, ବିଭିନ୍ନ ପ୍ରକାର ରାକ୍ଷୀ କୁ ନେଇ ଷ୍ଟଲମାନ ମଧ୍ୟ ଖୋଲା ଯାଉଥିଲା. ଗ୍ରାମାଞ୍ଚଳ ରୁ ସହରାଞ୍ଚଳର କୌଣସି ନା କୌଣସି ସ୍ଥାନରେ ରାକ୍ଷୀ ଦୋକାନ ଦେଖିବାକୁ ମିଳୁଥିଲା l ଏଥି ସହିତ ସରକାରୀ ଡାକ ଘର ଓ କୋରିଅର ସଂସ୍ଥା ମାନେ ମଧ୍ୟ ଚଳଚଞ୍ଚଳ ହୋଇ ଉଠୁଥିଲେ l ସେମାନଙ୍କର ମଧ୍ୟ ଦୁଇ ପଇସା ରୋଜଗାର ହେଉଥିଲା l ରାକ୍ଷୀ ଆସି ପହଂଚିବା କ୍ଷଣି ଖୁସିର ବାତାବରଣ ସୃଷ୍ଟି ହେଉଥିଲା l ସେ ସବୁ ଆଜିର ଇଣ୍ଟରନେଟ ଯୁଗରେ ରାକ୍ଷୀର ଚାହିଦା ଦିନକୁ ଦିନ ହଜି ହଜି ଯାଉଛି l ଏ ସମ୍ପର୍କରେ ରାକ୍ଷୀର ହୋଲସେଲ ବ୍ୟବସାୟୀ ତ୍ରିଲୋଚନ ପାତ୍ର ଙ୍କୁ ପଚାରିବାରୁ ସେ କହିଲେ ପୂର୍ବରୁ ଯେପରି ଭାବେ ରାକ୍ଷୀ ବେପାର ହେଉଥିଲା, ବର୍ତ୍ତମାନ ପ୍ରାୟ ୫ ବର୍ଷ ହେବ ପୁରା ପୁରି କମି ଯାଇଛି, ଯାହା ହେଉଛି, ତାହା କିଛି ନହେବା ଭଳି ହେଉଛି l