Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଦର-୨’ରେ କନ୍ଧମାଳ ଦାରିଙ୍ଗବାଡିର ବରୁଣ ବିଶୋଇ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ବଲିଉଡ ଚଳଚ୍ଚିତ୍ର ‘ଗଦର-୨’ରେ ଫିଲ୍ମି ରେକର୍ଡିଷ୍ଟ ଭାବେ ପ୍ରସିଦ୍ଧି ଲାଭ କରିଛନ୍ତି ଓଡ଼ିଆ ପୁଅ ତଥା କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ବରୁଣ ମାଲ ବିଶୋଇ। ସେ ଓଡ଼ିଆ ଫିଲ୍ମ ‘ଦମନ’ ସମେତ ବହୁ ଭାଷାରେ ମଧ୍ୟ ଫିଲ୍ମି ରେକର୍ଡିଷ୍ଟ ଭାବେ କାର୍ଯ୍ୟକରି ଖ୍ୟାତି ଅର୍ଜନ କରିଛନ୍ତି। ସ୍ବର୍ଗତ ଶ୍ରୀବତ୍ସ ମାଲବିଶୋଇଙ୍କ ତୃତୀୟ ପୁତ୍ର ବରୁଣ ୧୯୯୬ ରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ବେଳେ ତାଙ୍କ ପିତାଙ୍କର ମୃତ୍ୟୁ ହୋଇଥିଲା। ପିତାଙ୍କଠାରୁ ଦରଜି କାମ ଶିଖି ପରିବାର ପୋଷୁଥିଲେ। ୨୦୦୦ ମସିହାରେ ଦଶମ ଶ୍ରେଣୀରେ ପଢ଼ୁଥିବା ବେଳେ ଅଧାରୁ ପାଠ ଛାଡ଼ି ଦେଇଥିଲେ। ନିଜ ପାଖରେ ରଖିଥିବା ୪୦୦ ଟଙ୍କା ଏବଂ ବନ୍ଧୁଙ୍କଠାରୁ ୫୦୦ ଟଙ୍କା କରଜ କରି ନିଜ ସ୍ବପ୍ନକୁ ପୂରଣ କରିବାକୁ ୨୦୦୨ ଜାନୁୟାରୀ ପହିଲାରେ ମୁମ୍ବାଇ ଯାତ୍ରା କରିଥିଲେ। ପ୍ରଥମେ ସେ ନଟରାଜ ଷ୍ଟୁଡିଓରେ ପହଞ୍ଚିଥିଲେ ସୁଦ୍ଧା ତାଙ୍କୁ ସେଠାରେ କିଛି କାମଧନ୍ଦା ମିଳି ନ ଥିଲା। ସେଠାକାର ଜଣେ ରାତ୍ରି ଜଗୁଆଳି ତାଙ୍କୁ ସେଠାରେ କ୍ୟାଣ୍ଟିନ ବୟ କାର୍ଯ୍ୟରେ ନିଯୁକ୍ତି କରାଇଥିଲେ। ସେହି କାର୍ଯ୍ୟ କରିବା ମଧ୍ୟରେ ସେ ଫିଲ୍ମି ରେକର୍ଡ କାର୍ଯ୍ୟ ଶିଖି ପରେ ଆରାଧନା ଷ୍ଟୁଡିଓରେ କାର୍ଯ୍ୟ କରିଥିଲେ। ଦୀର୍ଘଦିନ ପରେ ସେ ନିଜେ ଷ୍ଟୁଡିଓ କରି ସଫଳତାର ଶିଡ଼ି ଚଢ଼ିବାରେ ଲାଗିଛନ୍ତି। ତାଙ୍କ ସହିତ ଫଲି ରେକର୍ଡର ସହକଳାକାର ଭାବେ ଶିବଶମ୍ଭୁ ଦିଗାଳ ରହିଛନ୍ତି। ଶିବଶମ୍ଭୁଙ୍କୁ ୨୦୨୧ରେ ବରୁଣ ମୁମ୍ବାଇ ନେଇଯାଇଥିଲେ। ସେଠାରେ ଏହି କାର୍ଯ୍ୟ ଶିଖିବା ପରେ ଦୁହେଁ ଏବେ ସଫଳତା ହାସଲ କରିଛନ୍ତି। ଫଲି ରେକର୍ଡ ହେଉଛି ଏଭଳି ଏକ କଳା, ଯାହାକି ନାୟକଠାରୁ ଆରମ୍ଭ କରି ଅଭିନୟ କରୁଥିବା ସମସ୍ତ କଳାକାରଙ୍କ ଚାଲିଚଳଣ, ଚଳଚ୍ଚିତ୍ରରେ ବ୍ୟବହାର କରାଯାଉଥିବା ଯନ୍ତ୍ର ବା ବସ୍ତୁର ଶବ୍ଦକୁ ଅବିକଳ କରିବା ଆଦି ଶବ୍ଦକୁ ଫଲି କଳାକାର ପରଦା ପଛରେ ରହି ଜୀବନ୍ତ କରିଥାନ୍ତି।