Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡାଙ୍ଗଣାମା ବାସୀ ନିଜ ଉଦ୍ୟମରେ ରାସ୍ତା ମରାମତି କଲେ

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ଅଧିକାଂଶ ଗ୍ରାମକୁ ସବୁଦିନିଆ ରାସ୍ତା ନ ଥିବା ବେଳେ ଅନେକ ନଦୀନାଳ ଉପରେ ପୋଲ ମଧ୍ୟ ନିର୍ମାଣ ହୋଇପାରିନାହିଁ। ଫଳରେ ଯାତାୟାତ ପାଇଁ ଲୋକମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ବର୍ଷା ଦିନରେ ଏହି ସମସ୍ୟା ଦ୍ଵିଗୁଣିତ ହୋଇଯାଉଛି। ମାଟି ରାସ୍ତା ଓ କଲଭର୍ଟ ସବୁ ଧୋଇ ହୋଇଯିବା ଦ୍ୱାରା ଦୁର୍ଗମ ଅଞ୍ଚଳର ଲୋକେ ଏକ ପ୍ରକାର ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ପଡୁଛନ୍ତି। ଏଭଳି ପରିସ୍ଥିତି ଦେଖାଦେଇଥିଲା ଫିରିଙ୍ଗିଆ ବ୍ଲକ ଲୁଇସିଂ ପଞ୍ଚାୟତର ଉପର ଡାଙ୍ଗଣାମା ଗ୍ରାମରେ। ଗତ କିଛିଦିନ ତଳେ ହୋଇଥିବା ଲଗାଣ ବର୍ଷାରେ ଗ୍ରାମକୁ ସଂଯୋଗ କରୁଥିବା ମାଟି ରାସ୍ତା ବର୍ଷାରେ ଧୋଇ ହୋଇଯାଇଥିଲା। ଏହାର ମରାମତି ପାଇଁ ପ୍ରଶାସନକୁ ଦାବିକରି ମଧ୍ୟ କୌଣସି ଫଳ ନ ମିଳିବାରୁ ଗ୍ରାମବାସୀ ନିଜ ଉଦ୍ୟମରେ ରାସ୍ତା ମରାମତି କରିଛନ୍ତି। ସୂଚନାଯୋଗ୍ୟ, ଉପର ଡାଙ୍ଗଣାମା ଗ୍ରାମରେ ୩୦ ପରିବାର ରହୁଥିବା ବେଳେ ତଳ ଡାଙ୍ଗଣାମା ଗ୍ରାମରେ ପ୍ରାୟ ୩୫ ପରିବାର ରହୁଛନ୍ତି। ଏହି ଦୁଇ ଗ୍ରାମକୁ ଆଜି ପର୍ଯ୍ୟନ୍ତ ପକ୍କା ରାସ୍ତା ନିର୍ମାଣ ହୋଇ ନାହିଁ। ଏଠାରୁ ପଞ୍ଚାୟତ ମୁଖ୍ୟାଳୟ ପ୍ରାୟ ୫ କିମି ଦୂର। ୨୦ ବର୍ଷ ତଳେ ଗାଁକୁ ମାଟି ରାସ୍ତାଟିଏ ତିଆରି ହୋଇଥିଲା, ଯାହାର ଅବସ୍ଥା ଏବେ ଅତି ଶୋଚନୀୟ। ଗତ ଦିନର ଲଗାଣ ବର୍ଷାରେ ଏହି ରାସ୍ତାଟି ସମ୍ପୂର୍ଣ୍ଣ ରୂପେ ଧୋଇ ହୋଇଯାଇଥିଲା। ଅନ୍ୟପକ୍ଷରେ ଗାଁ ନିକଟରେ ରହିଥିବା କେଡିଯୋଡି ନାଳ ଉପରେ ପୋଲ ନ ଥିବାରୁ ବର୍ଷାଦିନେ ଲୋକେ ବାହାରିପାରୁ ନାହାନ୍ତି। ତେଣୁ ଗ୍ରାମକୁ ସବୁଦିନିଆ ରାସ୍ତା ସହିତ କେଡିଯୋଡି ନାଳ ଉପରେ ପୋଲ ନିର୍ମାଣ ପାଇଁ ଦାବି କରିଛନ୍ତି। ଏ ନେଇ ଲୁଇସିଂ ସରପଞ୍ଚ ସୁଦର୍ଶନ କହଁରଙ୍କୁ ପଚାରିବାରୁ ସେ କହିଛନ୍ତି, ରାସ୍ତା ନିର୍ମାଣ ପାଇଁ ଅନୁମୋଦନ ମିଳିଛି। ତେବେ ଠିକାଦାରଙ୍କ ଅବହେଳା ଯୋଗୁଁ କାମ ହୋଇପାରୁ ନ ଥିବା ସେ କହିଛନ୍ତି।