ବ୍ଲକ ସ୍ତରୀୟ ପଞ୍ଚାୟତ ସ୍ତରୀୟ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘ ବୈଠକ


ଝାରସୁଗୁଡା ୫/୯(ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଳକ ଅନ୍ତର୍ଗତ କୁଶ୍ରାଲୋଇ ପଞ୍ଚାୟତ ପରିସରରେ ଥିବା ରାଜୀବ ଗାନ୍ଧୀ ସେବାକେନ୍ଦ୍ର ଠାରେ ବ୍ଲକ ସ୍ତରୀୟ ଗ୍ରାମ ପଞ୍ଚାୟତ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘର ଏକ ବୈଠକ ସୋମବାର ଦିନ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଲଖନପୁର ବ୍ଳକ ଗ୍ରାମ ପଞ୍ଚାୟତ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଙ୍ଘର ସଭାପତି ଯୋଗେଶ୍ବର ପଧାନ ସଭାପତିତ୍ୱ କରିଥିଲେ । ଏଥିରେ ଲଖନପୁର ବ୍ଳକର ୩୩ ଗୋଟି ଗ୍ରାମ ପଞ୍ଚାୟତର ପିଅନ , ରାତ୍ର ଜଗୁଆଳି ଓ ଝାଡୁଦାର ମାନେ ଅଂଶଗ୍ରହଣ କରି ଦୀର୍ଘ ଦିନ ଧରି ସେମାନେ ରାଜ୍ୟ ସରକାରଙ୍କ ନିକଟରେ ଦାବି କରି ଆସୁଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ସେମାନଙ୍କ ପ୍ରମୁଖ ଦାବୀ ଗୁଡିକ ମଧ୍ୟରେ ସମସ୍ତ ଚତୁର୍ଥ ଶ୍ରେଣୀ କର୍ମଚାରୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି ଓ ନିୟମିତ ଦରମା ପ୍ରଦାନ, ସମାନ କାମକୁ ସମାନ ଦରମା,ଚାକିରୀ କ୍ଷେତ୍ରରେ ସୁରକ୍ଷା ପ୍ରଦାନ , ଯୋଗ୍ୟତା ଭିତ୍ତିରେ ପଦୋନ୍ନତି ଦେବା , ଦୈନିକ ସର୍ବନିମ୍ନ ମଜୁରୀ ୩୪୫ ହିସାବରେ ମାସିକ ଦରମା ପ୍ରଦାନ କରିବା, ପଞ୍ଚାୟତିରାଜ ବିଭାଗର ପୋର୍ଟାଲରେ କର୍ମଚାରୀଙ୍କ ନାମ ପଞିକରଣ କରିବା ତଥା ୨୦୧୪ ମସିହା ନିୟମ ୧୨୫ କୁ ସଂଶୋଧନ କରିବା ଆଦି ଦାବି ଗୁଡ଼ିକ ରହିଛି । ଉକ୍ତ ଦାବୀ ଗୁଡିକୁ ଯଥାଶୀଘ୍ର ପୂରଣ କରିବେ ବୋଲି ରାଜ୍ୟ ସରକାରଙ୍କ ଉପରେ ଦୃଢ଼ ବିଶ୍ୱାସ ରଖି ଆଶାବାନ୍ଧି ରହିଥିବା ବୈଠକରେ ଉପସ୍ଥିତ କର୍ମଚାରୀ ମାନେ ମତ ପ୍ରକାଶ କରିଥିବା ସଂଘ ର ସଭାପତି ଶ୍ରୀ ପଧାନ ସୂଚନା ଦେଇଛନ୍ତି ।