ବ୍ଲକ ସ୍ତରୀୟ ସେବା ସେତୁ କ୍ୟାମ୍ପ ଉଦ୍ଘାଟିତସରକାରୀ ଯୋଜନା ଲୋକଙ୍କ ନିକଟରେ ପହଞ୍ଚାଇବା ମୁଖ୍ୟ ଲକ୍ଷ୍ୟ : ବିଧାୟକ ଟଙ୍କଧର ତ୍ରୀପାଠୀ
ବ୍ଲକ ସ୍ତରୀୟ ସେବା ସେତୁ କ୍ୟାମ୍ପ ଉଦ୍ଘାଟିତ
ସରକାରୀ ଯୋଜନା ଲୋକଙ୍କ ନିକଟରେ ପହଞ୍ଚାଇବା ମୁଖ୍ୟ ଲକ୍ଷ୍ୟ : ବିଧାୟକ ଟଙ୍କଧର ତ୍ରୀପାଠୀ
ଝାରସୁଗୁଡ଼ା, ୬/୧୦ (ଓଡ଼ିଶା ନ୍ୟୂଜ୍): ଝାରସୁଗୁଡ଼ା ଜିଲ୍ଲା କିର୍ମିରା ବ୍ଲକ ଅନ୍ତର୍ଗତ ଜି.ପାନପାଲି ପଞ୍ଚାୟତର କାଦୋବାହାଲ ଠାରେ ମଙ୍ଗଳବାର ବ୍ଲକ ସ୍ତରୀୟ ‘ସେବା ସେତୁ’ କ୍ୟାମ୍ପ ଉଦ୍ଘାଟିତ ହୋଇ ଯାଏଛି। ଏଥିରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଞ୍ଚଳବାସୀଙ୍କ ସହ ସିଧାସଳଖ ମତ ବିନିମୟ କରିବା ସହ ବିଭିନ୍ନ ଜନକଲ୍ୟାଣ ମୂଳକ ଯୋଜନା ଓ ସରକାରୀ ସେବା ସମ୍ପର୍କରେ ଆଲୋଚନା କରିଥିଲେ।
ସରକାରୀ ଯୋଜନା ଓ ଜନସେବାକୁ ସାଧାରଣ ଲୋକଙ୍କ ନିକଟରେ ସୁଗମ, ସ୍ୱଚ୍ଛ ଓ ସହଜ ଭାବେ ପହଞ୍ଚାଇବା ସହ ଯୋଗ୍ୟ ହିତାଧିକାରୀ ଯେପରି ଏହାର ସୁଫଳ ପାଇ ପାରିବେ, ତାହା ସରକାରଙ୍କ ପ୍ରମୁଖ ଲକ୍ଷ୍ୟ ବୋଲି ବିଧାୟକ ଶ୍ରୀ ତ୍ରିପାଠୀ କହିଥିଲେ। ବିଶେଷ କରି ସରକାରୀ ଯୋଜନାର ଲାଭ ଶେଷ ପାହାଚରେ ଥିବା ଲୋକଙ୍କ ନିକଟରେ ପହଞ୍ଚାଇବା ଏହି କ୍ୟାମ୍ପର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ ପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମରେ କିର୍ମିରା ବିଡିଓ ଅବିନାଶ ଲାକ୍ରା, ତହସିଲଦାର ସଞ୍ଜୀବ କୁଲୁ, ବରଗଡ଼ ସାଂସଦ ପ୍ରତିନିଧି ଉଦ୍ଧବ ସିଂ ନାୟକ, କିର୍ମିରା ବ୍ଲକ ଉପାଧ୍ୟକ୍ଷା ସାବିତ୍ରୀ ମାଝୀ, କିର୍ମିରା ସରପଞ୍ଚ ସନ୍ତୋଷିନୀ ପଟେଲ ଓ ଜି. ପାନପାଲି ସରପଞ୍ଚ ପ୍ରମୁଖ ମଞ୍ଚାସୀନ ଥିଲେ।
କ୍ୟାମ୍ପ ପରିସରରେ ବିଭିନ୍ନ ବିଭାଗ ପକ୍ଷରୁ ସଚେତନତା ପ୍ରଦର୍ଶନୀ ଓ ସେବା ଷ୍ଟଲ ଖୋଲା ଯାଇଥିଲା । ଏହି ଅବସରରେ ଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ, ଶ୍ରମିକ କାର୍ଡ ଓ ଅନ୍ତୋଦୟ ଗୃହ ପ୍ରଦାନ କରା ଯାଇଥିଲା। ସେହିପରି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ଋଣ ପ୍ରଦାନ ମଧ୍ଯ କରା ଯାଇଥିଲା। ଏଥିସହ ଅଞ୍ଚଳବାସୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ବିଧାୟକଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆ ଯାଇଥିଲା।
ସେବା ସେତୁ କ୍ୟାମ୍ପକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିଲା। କାର୍ଯ୍ୟକ୍ରମରେ ବିଜୟ ଶର୍ମା, ଯାମିନୀକାନ୍ତ ନାୟକ, ଝସକେତନ ପ୍ରଧାନ, ବାବୁଲୁ ସାହୁଙ୍କ ସମେତ ବହୁ ସଂଖ୍ୟକ ଦଳୀୟ କର୍ମୀ ଓ ଜନସାଧାରଣ ଉପସ୍ଥିତ ଥିଲେ।

