Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେଆଇନ ଗ୍ୟାସ ସିଲିଣ୍ଡର ବ୍ୟବହାର ଉପରେ ଯୋଗାଣ ବିଭାଗର ଚଢ଼ାଉ, ୬ଟି ସ୍ଥାନରୁ ୮୮ ସିଲିଣ୍ଡର ଜବତ

ଝାରସୁଗୁଡ଼ା, ୬/୧୦ (ଓଡ଼ିଶା ନ୍ୟୂଜ୍) ଝାରସୁଗୁଡ଼ା ପୌରାଞ୍ଚଳରେ ଘରୋଇ ଏଲ୍‌ପିଜି ସିଲିଣ୍ଡରକୁ ବେଆଇନ ଭାବେ ବ୍ୟବସାୟିକ କାର୍ଯ୍ୟରେ ବ୍ୟବହାର ଏବଂ ଅନୁମୋଦନ ନ ଥିବା ସ୍ଥାନରେ ଗ୍ୟାସ ସିଲିଣ୍ଡର ମହଜୁଦ ରଖିବା ଉପରେ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ବ୍ୟାପକ ଚଢ଼ାଉ କରା ଯାଇଛି। ମଙ୍ଗଳବାର ଯୋଗାଣ ପ୍ରବର୍ତ୍ତନ ଟିମ୍ ପକ୍ଷରୁ ପୌରାଞ୍ଚଳର ବିଭିନ୍ନ ହୋଟେଲ, ରେଷ୍ଟୁରାଣ୍ଟ ଓ ମାର୍କେଟ କମ୍ପ୍ଲେକ୍ସ ସମେତ ୬ଟି ସ୍ଥାନରେ ଏକ କାଳୀନ ଯାଞ୍ଚ କରା ଯାଇଥିଲା।ଯାଞ୍ଚ ସମୟରେ ସରକାରୀ ରିହାତିପ୍ରାପ୍ତ ଘରୋଇ ଏଲ୍‌ପିଜି ସିଲିଣ୍ଡରକୁ ବ୍ୟବସାୟିକ କାର୍ଯ୍ୟରେ ବ୍ୟବହାର କରା ଯାଉଥିବା ସହ ବିନା ଅନୁମତିରେ ଗ୍ୟାସ ସିଲିଣ୍ଡର ମହଜୁଦ ରଖା ଯାଇଥିବା ଜଣା ପଡ଼ିଥିଲା । ଏହି ଚଢ଼ାଉ ବେଳେ ବିଭିନ୍ନ ସ୍ଥାନରୁ ମୋଟ ୮୮ଟି ଏଲ୍‌ପିଜି ସିଲିଣ୍ଡର ଜବତ କରା ଯାଇଛି। ଜବତ ସିଲିଣ୍ଡର ମଧ୍ୟରେ ୫୮ଟି ଘରୋଇ ଏଲ୍‌ପିଜି ସିଲିଣ୍ଡର, ୨୪ଟି ବ୍ୟବସାୟିକ ସିଲିଣ୍ଡର ଓ ୫ କିଲୋଗ୍ରାମ ବିଶିଷ୍ଟ ୬ଟି ଛୋଟ ସିଲିଣ୍ଡର ରହିଛି। ଘରୋଇ ବ୍ୟବହାର ପାଇଁ ଯୋଗାଇ ଦିଆ ଯାଉଥିବା ଏଲ୍‌ପିଜି ସିଲିଣ୍ଡରକୁ ବ୍ୟବସାୟିକ ଲାଭ ପାଇଁ ବ୍ୟବହାର କରିବା ନିୟମ ବିରୋଧୀ। ଏଥିସହ ଅନୁମୋଦିତ ନ ଥିବା ସ୍ଥାନରେ ବିପଦପୂର୍ଣ୍ଣ ଭାବେ ସିଲିଣ୍ଡର ମହଜୁଦ ରଖିବା ମଧ୍ୟ ନିୟମର ଉଲ୍ଲଂଘନ। ଏଭଳି ଅନିୟମିତତା ବିରୋଧରେ ବିଭାଗ ପକ୍ଷରୁ ଆଗକୁ ମଧ୍ୟ ଚଢ଼ାଉ ଜାରି ରହିବ ବୋଲି ଜଣା ପଡ଼ିଛି।
ଝାରସୁଗୁଡ଼ା ଅତିରିକ୍ତ ତହସିଲଦାର ସଞ୍ଜୀବ ସାର୍ଦ୍ଦିଙ୍ଗ ଓ ଜିଲ୍ଲା ଯୋଗାଣ ଅଧିକାରୀ ପୀତାମ୍ବର ସେଠୀଙ୍କ ନେତୃତ୍ୱରେ ଚଢ଼ାଉ କରା ଯାଇଥିଲା। ଅତିରିକ୍ତ ଯୋଗାଣ ଅଧିକାରୀ ସୂର୍ଯ୍ୟ କୁମାର ପାଣିଗ୍ରାହୀ, ଜୟନ୍ତ କୁଣ୍ଡୁ, କେ.ନିଶାଙ୍କ ସମେତ ଯୋଗାଣ ନିରୀକ୍ଷକ ଆଶୁତୋଷ କିଷାନ, ରୋଜାଲିନ ସାହୁ, ବାସନ୍ତୀ ମୁର୍ମୁ ଓ ମୋନିକା ମହାରଣା ପ୍ରମୁଖ ଅଭିଯାନରେ ସାମିଲ ଥିଲେ।
ବ୍ୟବସାୟିକ ଉଦ୍ଦେଶ୍ୟରେ ଘରୋଇ ଏଲ୍‌ପିଜି ସିଲିଣ୍ଡରର ଅପବ୍ୟବହାର କିମ୍ବା ବେଆଇନ ଭାବେ ସିଲିଣ୍ଡର ମହଜୁଦ ରଖିବାକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ। ଆଗାମୀ ଦିନରେ ଯାଞ୍ଚ ଅଭିଯାନକୁ ଆହୁରି କଡ଼ାକଡ଼ି କରାଯାଇ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ ପକ୍ଷରୁ କୁହା ଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories