ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଭୁଶୁଡିପଡିଲା ସ୍କୁଲ୍ ଶ୍ରେଣୀ ଗୃହ । ଅଳ୍ପକେ ବର୍ତ୍ତିଗଲେ ୫୦ ଛାତ୍ରଛାତ୍ରୀ । କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଏଭଳି ଅଘଟଣ ଘଟିଛି ।ସୂଚନାଯୋଗ୍ୟ ଯେ, କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ୍ ଅନ୍ତର୍ଗତ ସିନ୍ଦ୍ରିଗାଁ ଗ୍ରାମ ପଞ୍ଚାୟତର କିଲୁପଡ଼ାରେ ସ୍କୁଲ ଶ୍ରେଣୀ ଗୃହ ଭୁଶୁଡିପଡିଛି । ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି ୫୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ । ବୁଧବାର ୧୦ଟା ବେଳେ ସ୍କୁଲକୁ ଯାଇ ଫାଟକ ନିକଟରେ ସ୍କୁଲର ଶିକ୍ଷକଙ୍କୁ ଅପେକ୍ଷା କରିଥିଲେ ଛାତ୍ରଛାତ୍ରୀ । ପ୍ରାଥମିକ ଶିକ୍ଷକଙ୍କ ତିନି ଦଫା ଆନ୍ଦୋଳନ ଚାଲିଥିବାରୁ ଶିକ୍ଷକମାନେ ବିଇଓ ଅଫିସରେ ଧର୍ମଘଟରେ ବସି ରହିଥିଲେ । ଏହି ସମୟରେ ସ୍କୁଲର ଶ୍ରେଣୀ ଗୃହ ହଠାତ ଭୁଶୁଡ଼ି ପଡ଼ିଥିଲା । ସ୍କୁଲର ଶ୍ରେଣୀଗୃହଟି ପୂର୍ବରୁ ପରିତ୍ୟକ୍ତ ଅବସ୍ଥାରେ ରହିଥିଲା । ବିପଦ ସଙ୍କୁଳ ଅବସ୍ଥାରେ ସ୍କୁଲରେ ପାଠପଢା ଚାଲୁ ରହିଥିଲା । ଏନେଇ ସ୍କୁଲର ପ୍ରଧାନ ଶିକ୍ଷକ ସମେତ ଗ୍ରାମବାସୀ ସରପଞ୍ଚ ବିଇଓ, ବିଡିଓ ଏବଂ ବାଲିଗୁଡା ବିଧାୟକଙ୍କୁ ଅବଗତ କରିଥିଲେ ମଧ୍ୟ କେହି ଶୁଣିନଥିଲେ । ସୌଭାଗ୍ୟ ବଶତଃ ୫୦ ଶିଶୁ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି । ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ମରାମତି କରିବାକୁ ଅଞ୍ଚଳ ବାସୀଙ୍କ ତରଫରୁ ଦାବୀ ହେଉଛି l
ଶ୍ରେଣୀଗୃହ ଭୁଶୁଡିପଡିଲା:ଅଳ୍ପକେ ବର୍ତ୍ତିଲେ ୫୦ ଛାତ୍ରଛାତ୍ରୀ
