Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏସିଡିସି ବୈଠକରେ ବୁକ୍ ସର୍କୁଲାର୍-୪୭କୁ ଗୁରୁତ୍ୱାରୋପ

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥିଙ୍କ ସଭାପତିତ୍ୱରେ କନ୍ଧମାଳ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଏସିଡିସି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜନ ପ୍ରତିନିଧି ଓ ସରକାରୀ ଅଧିକାରୀଙ୍କ ମିଳିତ ଉଦ୍ୟମରେହିଁ ଜିଲାର ଉନ୍ନତି ସମ୍ଭବ ହୋଇଥାଏ। ସେମାନଙ୍କ ମଧ୍ୟରେ ସବୁବେଳେ ସମନ୍ୱୟ ରହିବା ଆବଶ୍ୟକ। ସରକାରୀ ଅଧିକାରୀ ମାନେ ସବୁବେଳେ ବୁକ୍ ସର୍କୁଲାର୍ -୪୭କୁ ମାନିବା ଦରକାର ବୋଲି ବିଧାୟକ ଶ୍ରୀ ଶତପଥି କହିଥିଲେ। ନର୍ଲା ବିଧାୟକ ଭୁପିନ୍ଦର ସିଂ ମଧ୍ୟ ଟିମ ୱାର୍କକୁ ଗୁରୁତ୍ୱ ଦେଇଥିଲେ। କେବଳ ଜନ ପ୍ରତିନିଧି ନୁହଁନ୍ତି ଯେ କୌଣସି ସାଧାରଣ ଲୋକଙ୍କୁ ସେବା ଯୋଗାଇଦେବା ସହିତ ସମାନ ଗୁରୁତ୍ୱ ଦେବା ସରକାରୀ ଅଧିକାରୀ କିମ୍ବା କର୍ମଚାରୀ ମାନଙ୍କର କର୍ତ୍ତବ୍ୟ ହେବା ଉଚିତ। କାରଣ ସେମାନେ ନିଜର ନିଜର ଭୋଟ୍ ଦେଇ ଜନ ପ୍ରତିନିଧିମାନଙ୍କୁ ନିର୍ବାଚିତ କରିଛନ୍ତି। ଏମାନେ ସେହି ଲୋକମାନଙ୍କ ପାଖରେ ଉତ୍ତରଦାୟୀ। ତେଣୁ ସେହି ଲୋକମାନଙ୍କର ସମସ୍ୟା ସମାଧାନ କରିବା ଉଭୟଙ୍କର ଦାୟିତ୍ୱ ବୋଲି ବିଧାୟକ ଶ୍ରୀ ସିଂ କହିଥିଲେ। ସେହିପରି ଜୟଦେବ, ଭୁବନେଶ୍ୱର ବିଧାୟକ ଅରବିନ୍ଦ ଢାଲି କହିଲେ, ପ୍ରତି କାର୍ଯ୍ୟାଳୟ ବୁକ୍ ସର୍କୁଲାର୍ -୪୭କୁ ଅନୁସରଣ କରିବା ନିହାତି ଆବଶ୍ୟକ। ଯଦି ବା କେଉଁ କାର୍ଯ୍ୟାଳୟରେ ତାହା ନାହିଁ ସେମାନେ ସଂଗ୍ରହ କରି ରଖିବା ଆବଶ୍ୟକ। ବାଲେଶ୍ୱର ବିଧାୟକ ସ୍ୱରୁପ କୁମାର ଦାସ କହିଥିଲେ ଯେ ଜନ ପ୍ରତିନିଧି ଓ ସରକାରୀ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ରହିଲେ ସରକାରଙ୍କର ଜନମଙ୍ଗଳକାରୀ ଯୋଜନାଗୁଡ଼ିକ ଲୋକମାନଙ୍କ ପାଖରେ ସହଜରେ ପହଞ୍ଚିପାରିବ। ସେଥିପାଇଁ ସମସ୍ତଙ୍କର ଇଚ୍ଛା ଶକ୍ତି ମଧ୍ୟ ଥିବା ଦରକାର। ତେବେ ଜିଲ୍ଲାର ପ୍ରଗତି କେତେଦୂର ଅଗ୍ରଗତି କରୁଛି ତାହା ମଧ୍ୟ ପ୍ରତି ୩ ମାସରେ ଏହି ଏସିଡିସି ବୈଠକ ଡକାଇ ସମୀକ୍ଷା କରିବା ଆବଶ୍ୟକ ବୋଲି ବିଧାୟକ ଶ୍ରୀ ଦାସ କହିଥିଲେ। ଫୁଲବାଣୀ ବିଧାୟକ ଅଙ୍ଗଦ କହଁର କହିଥିଲେ ଯେ, କେତେଗୁୃଡ଼ିଏ କାରଣରୁ ଏହି ସଦାଚାର ବୈଠକକୁ ଠିକ୍ ସମୟରେ ସେ ଡାକି ପାରୁନାହାଁନ୍ତି । ତାଙ୍କ ନିର୍ବାଚନ ମଣ୍ଡଳୀର ଲୋକମାନଙ୍କ ସମସ୍ୟା ମଧ୍ୟରୁ ଯେଉଁ କେତୋଟିର ସମାଧାନ ହୋଇପାରିନି ସେ ବିଷୟରେ ମଧ୍ୟ ଗୃହରେ ଉପସ୍ଥାପନ କରିଥିଲେ। ବିଭାଗୀୟ ଅଧିକାରୀ ମଧ୍ୟ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ସେହିପରି ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ କହିଲେ, ଲୋକ ପ୍ରତିନିଧିମାନେ ଲୋକମାନଙ୍କ ସହିତ ତଥା ସେମାନଙ୍କର ସମସ୍ୟା ସହିତ ସବୁବେଳେ ଅଛନ୍ତି। ସେମାନେ ସେହି ଲୋକମାନଙ୍କ ପାଖରେ ଉତ୍ତର ଦାୟୀ । ସେମାନଙ୍କ ସମସ୍ୟା ସମାଧାନ କରିପାରିଲେ ପ୍ରସଂଶା ପାଇବେ ନଚେତ୍ ରୋଷର ଶିକାର ହେବେ। ତେଣୁ ସରକାରୀ ଅଧିକାରୀମାନେ ବୁକ୍ ସର୍କୁଲାର୍ -୪୭ ଗାଇଡ଼ ଲାଇନ ଅନୁସାରେ କାର୍ଯ୍ୟକରିବା ନିହାତି ଜରୁରୀ ବୋଲି ବିଧାୟକ ଶ୍ରୀ ସାମଲ କହିଥିଲେ। କନ୍ଧମାଳ ଜିଲାପାଳ ଆଶିଷ ଇଶ୍ୱର ପାଟିଲ୍, ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ ପାତ୍ର, ମୁଖ୍ୟ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର କୁମାର ରଞ୍ଜିତ୍, ଫୁଲବାଣୀ ବନଖଣ୍ଡ ଅଧିକାରୀ ଓ ବାଲିଗୁଡ଼ା ବନଖଣ୍ଡ ଅଧିକାରୀ ବୁକ୍ ସର୍କୁଲାର୍ -୪୭ ଗାଇଡ଼ ଲାଇନ ଅନୁସାରେ କାର୍ଯ୍ୟକରୁଛନ୍ତି ,ଏଣିକି ଏହାକୁ ଅଧିକ ଗୁରୁତ୍ୱ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଯୋଜନା ଉପ ନିର୍ଦ୍ଦେଶକ ଭିମସେନ ବାର୍ଲା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ବୈଠକରେ, ସମସ୍ତ ଜିଲାସ୍ତରୀୟ ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।