୨ ହଜାର ଟଙ୍କା ନୋଟ ବଦଳାଇବାକୁ ଭୁବନେଶ୍ୱର ରିଜର୍ଭ ବ୍ୟାଙ୍କ କାର୍ଯ୍ୟାଳୟ ସାମ୍ନାରେ ଭିଡ଼


୨ ହଜାର ଟଙ୍କା ନୋଟ ବଦଳାଇବାକୁ ଭୁବନେଶ୍ୱର ରିଜର୍ଭ ବ୍ୟାଙ୍କ କାର୍ଯ୍ୟାଳୟ ସାମ୍ନାରେ ଭିଡ଼ ଲାଗିବା ପରେ ଏବେ ଏହାକୁ ନେଇ ତନାଘନା ଆରମ୍ଭ କରିଛନ୍ତି ଇଓଡବ୍ଲୁ ଓ ଇଡି। ଟଙ୍କା ବଦଳାଇବାକୁ କିଛି ଦଲାଲ ଦିନ ମଜୁରିଆଙ୍କୁ କିଛି ପଇସା ଦେଇ ଛିଡ଼ା କରାଉଥିବାର ଖବର ସାମ୍ନାକୁ ଆସିବା ପରେ ଇଓଡବ୍ଲୁ ଟଙ୍କା ବଦଳାଇବାକୁ ଆରବିଆଇ ସାମ୍ନାରେ ଛିଡ଼ା ହୋଇଥିବା ଲୋକଙ୍କୁ ପଚରାଉଚରା ଆରମ୍ଭ କରିଥିଲା। ଟଙ୍କା କାହାର, କେଉଁଠୁ ଆସିଲା, ଏତେ ଦିନ ହେବ କାହିଁକି ଟଙ୍କା ବଦଳାଇନଥିଲେ, ଏ ଟଙ୍କା ବଦଳାଇବାକୁ ଅନ୍ୟ କେହି ଦେଇଛନ୍ତି କି? ଟଙ୍କା ବଦଳାଇବାକୁ କିଛି ପାରିଶ୍ରମିକ ମିଳୁଛି ଏଭଳି ଅନେକ ପ୍ରଶ୍ନ ସାଧାରଣ ଲୋକଙ୍କୁ ପଚାରିବା ସହ ସେମାନଙ୍କର ଫଟୋ ଉଠାଇଥିଲେ ଇଓଡବ୍ଲୁର ୨ ଜଣିଆ ଟିମ୍। ସନ୍ଦେହ ହେଉଥିବା ବ୍ୟକ୍ତିଙ୍କ ନାଁ ଓ ଠିକଣା ମଧ୍ୟ ଇଓଡବ୍ଲୁ ସଂଗ୍ରହ କରୁଥିଲା। ସେମାନଙ୍କର ଆଧାରକାର୍ଡ ନମ୍ବହ ସହ ଫଟୋ ଉଠାଇ ନେଉଥିବା ଦେଖିବାକୁ ମିଳିଥିଲା। ପରବର୍ତ୍ତୀ ସମୟରେ କିଛି ଲୋକଙ୍କୁ ଇଓଡବ୍ଲୁ ପଚରାଉଚରା କରିପାରେ ବୋଲି ସୂଚନା ମିଳିଛି।

ଅନ୍ୟପଟେ ଏହି ଘଟଣାରେ ଇଡି ମଧ୍ୟ ସକ୍ରିୟ ହୋଇଉଠିଛି। ମଜୁରି ନେଇ ନୋଟ ବଦଳାଇବା କଥା ପ୍ରଚାରିତ ହେବା ପରେ ଇଡି ଟିମ୍ ମଧ୍ୟ ଆରବିଆଇ ସାମ୍ନରେ ପହଞ୍ଚିଥିଲେ। ସେମାନେ ମଧ୍ୟ ଧାଡ଼ିରେ ଠିଆ ହୋଇଥିବା ଲୋକଙ୍କୁ ପଚରାଉଚରା କରିଥିବା ଜଣାଯାଇଛି।

ଉଲ୍ଲେଖଯୋଗ୍ୟ, ଅକ୍ଟୋବର ୭ରେ ଦୁଇ ହଜାର ଟଙ୍କିଆ ନୋଟ୍ ବଦଳ ସମୟ ସୀମା‌ ଶେଷ ହୋଇଥିବାବେଳେ ଏବେ କେବଳ ରିଜର୍ଭ ବ୍ୟାଙ୍କରେ ଟଙ୍କା ବଦଳ କରାଯାଇ ପାରିବ। ହେଲେ ହଠାତ ଗତ ଚାରି ପାଞ୍ଚ ଦିନ ହେବ ଭୁବନେଶ୍ୱର ରିଜର୍ଭ ବ୍ୟାଙ୍କ ସାମ୍ନାରେ ଏହି ଭିଡ଼ ଆରମ୍ଭ ହୋଇଛି। ଏପରିକି ସେମାନଙ୍କୁ ତିନ ଶହ ଟଙ୍କା ମଜୁରୀ କେହି ଦେଇ ନୋଟ ବଦଳାଉଥିବା ନୋଟ ବଦଳାଇବାକୁ ଆସୁଥିବା ଲୋକେ ଗଣମାଧ୍ୟମ ସାମ୍ନାରେ ସ୍ୱୀକାର କରିଛନ୍ତି ।