Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାମ୍ବାଦିକାଙ୍କୁ ମାଡ଼ ମାରିବା ଘଟଣା: ପ୍ରଯୋଜକ ଟୁଟୁ ନାୟକଙ୍କ ଅଡ଼ୁଆ ବଢିଲା, ନିଜ ଆଡୁ ମାମଲା ରୁଜୁ କଲେ ମହିଳା କମିଶନ

ଭୁବନେଶ୍ୱର: ଓଲିଡଉରେ ଅଭିନେତାଙ୍କ ମଧ୍ୟରେ କଳି ନ ଥମିଥିବା ବେଳେ ଅନ୍ୟପଟେ  ପ୍ରଯୋଜକ ସଞ୍ଜୟ ନାୟକ ଓରଫ ଟୁଟୁ ନାୟକ ଅଡ଼ୁଆରେ ପଡ଼ିଛନ୍ତି। ସାମ୍ବାଦିକାଙ୍କୁ ମାଡ଼ ମାମଲାରେ ତାଙ୍କର ମୁସ୍କିଲ ବଢି ଯାଇଛି। ମାମଲାରେ ଟୁଟୁଙ୍କ ବିରୋଧରେ ନିଜ ଆଡ଼ୁ ମାମଲା ରୁଜୁ କଲେ ମହିଳା କମିଶନ। ମାମଲା ରୁଜୁ ନେଇ ମହିଳା କମିଶନ ଅଧ୍ୟକ୍ଷା ସୂଚନା ଦେଇଛନ୍ତି। ଏଥିସହିତ ପୋଲିସ କମିଶନରଙ୍କୁ ରିପୋର୍ଟ ତଲବ କରାଯାଇଛି। ପନ୍ଦର ଦିନ ଭିତରେ ମାମଲାର ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ, ର୍ବସାଧାରଣରେ ଚାପୁଡା ମାରିବା ନେଇ ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ପ୍ରଯୋଜକ ସଂଜୟ ନାୟକ (ଟୁଟୁ)ଙ୍କ ବିରୋଧରେ ଏକ ଟିଭି ଚ୍ୟାନେଲର ମହିଳା ସାମ୍ବାଦିକ ଦେବସ୍ମିତା ଗତକାଲି ଖାରବେଳ ନଗର ଥାନାରେ ଏତଲା ଦେଇଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଶ୍ରୀ ନାୟକ ଗତକାଲି  ସାମ୍ବାଦିକ ଦେବସ୍ମିତାଙ୍କ ଉଦ୍ଦେଶ୍ୟରେ ଏକ ବାର୍ତ୍ତା ଲେଖି ସେ କହିଛନ୍ତି, ‘‘ଯଦି ମୋ ଯୋଗୁଁ ତୁମ ମନରେ ଆଘାତ ଲାଗିଛି ତା ହେଲେ ମୁଁ ତୁମକୁ କ୍ଷମା ମାଗୁଛି।’’

ଶ୍ରୀ ନାୟକ କହିଛନ୍ତି, ‘‘ଦେବସ୍ମିତା ତୁମେ ମୋର ଝିଅ ବୟସର ହେବ। ତୁମେ ମୋତେ ବହୁତ ଦିନରୁ ଜାଣିଛ ଏବଂ ମୋ ଘରକୁ ମଧ୍ୟ ତିନି ଚାରି ଥର ଆସିଛ। ତେଣୁ ମୁଁ ତୁମକୁ ସବୁ ମିଡ଼ିଆ ଭାଇଭଉଣୀଙ୍କ ପରି ତୁମକୁ ମୋ ପରିବାରର ସଦସ୍ୟ ଭାବେ ଏବଂ ସେଭଳି ବ୍ୟବହାର ବି କରେ। ଆଜି ମୁଁ ସ୍ଵାତୀ ସିନେମା ହଲରୁ ମହାରାଜା ସିନେମା ହଲ୍‌କୁ ଆଉ ଗୋଟେ ପ୍ରିମିୟର ସୋ’କୁ ଗଲାବେଳେ ତୁମେ ମେନ୍‌ ଗେଟ୍‌ ମଝିରେ ଠିଆ ହୋଇଥିଲ। ମୁଁ ତୁମକୁ ଡ଼ାକିଥିଲି। କିନ୍ତୁ ବାଜା ବାଜୁଥିବାରୁ ତୁମକୁ ଶୁଭି ନ ଥିଲା। ତେଣୁ ମୁଁ ତୁମ ପିଠି ଥାପୁଡ଼େଇ ତୁମକୁ ସାଇଡ କରିଥିଲି ଏବଂ ତୁମ ହାତରୁ ବୁମ ଖସିପଡ଼ିଥିଲା। ମୁଁ ଉଠେଇଲା ବେଳକୁ ଆମ ମିଡ଼ିଆ ଭାଇମାନେ ଉଠେଇକି ଦେଇଥିଲେ ଏବଂ ମୁଁ ସ୍ନେହରେ ତୁମ ଗାଲକୁ ଥାପୁଡ଼େଇ କହିଥିଲି- ତୁ ଖାଇନୁ କିରେ?  ଆଉ ତୁମେ ହସିକି କହିଥିଲ- ହଁ ଭାଇ ମୁଁ ଖାଇଛି। ତାପରେ ମୁଁ ମହାରାଜା ସିନେମା ହଲକୁ ଚାଲି ଯାଇଥିଲି।

‘‘କିଛି ସମୟ ପରେ ମିଡ଼ିଆ ସୂତ୍ରରୁ ଜାଣିବାକୁ ପାଇଲି ଯେ ଏ ଘଟଣା ଯୋଗୁଁ ତୁମ ମନକୁ ବହୁତ ଆଘାତ ଲାଗିଛି। ଏହା ଜାଣିବା ପରେ ମୁଁ ତୁମ ମୋବାଇଲକୁ ଚାରି ପାଞ୍ଚ ଥର କଲ କରିଥିଲି ତୁମକୁ ସରି କହିବା ପାଇଁ। କିନ୍ତୁ ତୁମେ ଫୋନ ଉଠେଇପାରି ନ ଥିଲ। ତେଣୁ ଏ ମେସେଜ ଜରିଆରେ ତୁମକୁ ଜଣେଇବାକୁ ଚାହୁଁଛି ଯେ ଯଦି ମୋ ଯୋଗୁଁ ତୁମ ମନରେ ଆଘାତ ଲାଗିଛି ତା ହେଲେ ମୁଁ ତୁମକୁ କ୍ଷମା ମାଗୁଛି। ତୁମର ମଙ୍ଗଳ କାମନା କରୁଛି’’ ବୋଲି ନିଜ ବାର୍ତ୍ତାରେ ଲେଖିଥିଲେ।

ସୂଚନାଯୋଗ୍ୟ, ସାମ୍ବାଦିକା ଦେବସ୍ମିତା ଥାନାରେ ଲିଖିତ ଅଭିଯୋଗ କରି କହିଥିଲେ ଯେ, ଏକ ଖବର ସଂଗ୍ରହ ପାଇଁ ସେ ଯାଇଥିବା ବେଳେ ଟୁଟୁ ନାୟକ ହଠାତ୍ ତାଙ୍କ ଗାଲକୁ ଚାପୁଡ଼ା ମାରିଥିଲେ। ତାଙ୍କୁ ଟୁଟୁ ନାୟକ କାହିଁକି ମାରିଲେ ସେ  ଜାଣି ନାହାନ୍ତି । ଝିଅ ହିସାବରେ ମାଡ଼ ମାରିବା ତାଙ୍କର ଭୁଲ। ଟୁଟୁଙ୍କ ଏପରି ବ୍ୟବହାର ତାଙ୍କ ମର୍ଯ୍ୟାଦାହାନୀ କରିଛି। ଏହାସହ ପ୍ରଯୋଜକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ ଦେବସ୍ମିତା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ