Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଭିନ୍ନ ଦାବି ନେଇ ବିଇଓ ଘେରିଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ

ଖଡ଼ିଆଳ : ବିଭିନ୍ନ ଦାବି ନେଇ ଜିଲା ଆଦିବାସୀ କଲ୍ୟାଣ ସଂଘ ନୂଆପଡ଼ା ତରଫରୁ ବୋଡ଼େନ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ତାଲା ବନ୍ଦ ସହ ଗେଟ୍ ସାମନାରେ ଧାରଣା ଦିଆଯାଇଛି। ସଂଘର ଦାବି ହେଲା ବୋଡ଼େନ ବ୍ଲକରେ ଶିକ୍ଷକ ଅଭାବ ରହିଥିବା ବେଳେ ଉଦ୍ଦେଶ୍ୟ ମୂଳକ ଭାବରେ ଶିକ୍ଷକ ସୁରେଶ ଦୀପଙ୍କ ସମେତ ଆଉ ଚାରିଜଣଙ୍କୁ ନିଲମ୍ବିତ କରାଯାଇଛି, ସେମାନଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରି ପୁନଃ ନିଯୁକ୍ତି ଦିଆଯାଉ। ଅବସର ନେଇଥିବା ୧୬ଜଣ ଶିକ୍ଷକଙ୍କୁ ପେନସନ ମିଳୁନାହିଁ, ଯଥାଶୀଘ୍ର ସେମାନଙ୍କୁ ପେନସନ ଦିଆଯାଉ। ଦଶ ଜଣ ଶିକ୍ଷକ ପରିବାର ଥଇଥାନ ପାଇବା ନେଇ ଆବେଦନ ପଡ଼ି ରହିଛି, ସେନେଇ ତୁରନ୍ତ ପଦକ୍ଷେପ ନିଆଯାଉ। ବୋଡ଼େନ ବ୍ଲକରେ ୧୭୧ଟି ବିଦ୍ୟାଳୟ ଥିବା ବେଳେ ୩୨୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ରହିଛନ୍ତି ଓ ୧୪୯ ଶିକ୍ଷକ ପଦବୀ ଖାଲି ପଡ଼ିଛି (ଏହା ଭିତରେ ୫୪ଜଣ ବିଜ୍ଞାନ ଶିକ୍ଷକ)। ଏସବୁ ଖାଲି ପଦବୀ ଶୀଘ୍ର ପୁରଣ କରାଯାଉ। ସେହିପରି ମାଓ ଅଧ୍ୟୁଷିତ ପାଟଧରା ଅଞ୍ଚଳକୁ ଶିକ୍ଷକ ମାନେ ଯାଉ ନଥିବାରୁ ସେ ଅଞ୍ଚଳରେ ପାଠ ପଢା ବ୍ୟାହତ ହେଉଛି, ଏନେଇ ପଦକ୍ଷେପ ନିଆଯାଉ ଆଦି ଦାବି ରହିଛି। ଦାବି ପୁରଣ ପାଇଁ ଲିଖିତ ପ୍ରତିଶ୍ରୁତି ନ ମିଳିଲେ ଆଗାମୀ ୧୬ ତାରିଖରେ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଏନେଇ ବୋଡ଼େନ ଏବିଇଓ ନେପାଳ ଦେଙ୍କୁ ପଚାରିବାରୁ ଉପରିସ୍ଥ ଅଧିକାରୀଙ୍କୁ ଏନେଇ ଅବଗତ କରାଯିବ ବୋଲି କହିଥିଲେ। ଜିଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ଭାନୁ ପ୍ରତାପ ମାଝୀ, ଜିଲା ଉପସଭାପତି କମଲେଶ ସିଂହ ଠାକୁର, ନୂଆପଡ଼ା ବ୍ଲକ ସଭାପତି ଭକ୍ତବନ୍ଧୁ ଧରୁଆ, ଜଗନ୍ନାଥ ମାଝୀ, ରମେଶ ସାହୁ, ବିଶେଶ୍ୱର ଧରୁଆ, ବାମନ ମାଝୀ, ହେମଧର ମାଝୀ, ସୁଧାକର ମାଝୀ, ଇନ୍ଦ୍ରମଣି ମାଝୀ, ଧନମତ ମାଝୀଙ୍କ ସମେତ ସଂଘର ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ସାମିଲ ଥିଲେ।