Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବନବାସୀ ସେବା ସମିତିର ପ୍ରତିଷ୍ଠାତା ସ୍ବର୍ଗତ ବିଶ୍ୱନାଥ ପଟ୍ଟନାୟକଙ୍କ ୧୦୮ତମ ଜୟନ୍ତୀ ପାଳନ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ ସର୍ବୋଦୟ ଆନ୍ଦୋଳନର ପ୍ରବାଦ ପୁରୁଷ ତଥା କୋରାପୁଟିଆ ଗାନ୍ଧୀ ଏବଂ ବନବାସୀ ସେବା ସମିତିର ପ୍ରାଣ ପ୍ରତିଷ୍ଠାତା ସ୍ବର୍ଗତ ବିଶ୍ୱନାଥ ପଟ୍ଟନାୟକ (ଆଜ୍ଞା) ଙ୍କ ୧୦୮ ତମ ଜୟନ୍ତୀ ପାଳନ ଶନିବାର ଅନୁଷ୍ଠାନ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି l ଏହି ଅବସରରେ ପ୍ରତ୍ୟୁଷ ରେ ବୈତାଳିକ ପ୍ରାର୍ଥନା ସହ ସମଗ୍ର ସହରରେ ରାମଧୁନ ପରିବେଷଣ କରାଯାଇଥିଲା l ବୈତାଳିକ ଓ ଆଜ୍ଞା ଙ୍କ ସ୍ମୁତି ପୀଠରେ ସମିତିର ସମସ୍ତ ଅନ୍ତେବାସୀ ମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ ଆଦର୍ଶ ପୁଷ୍କରିଣୀ ନିକଟରେ ଥିବା ପ୍ରତିମୂର୍ତ୍ତି ରେ ଦୀପ ଧୂପ ସହ ପୁଷ୍ପମାଲ୍ୟାର୍ପଣ କରିଥିଲେ l ପରେ ପରେ ଅନୁଷ୍ଠାନ ପରିସରରେ ସମିତିର ପ୍ରାଣ ପ୍ରତିଷ୍ଠାତା ସ୍ବର୍ଗତ ବିଶ୍ୱନାଥ ପଟ୍ଟନାୟକ (ଆଜ୍ଞା)ଙ୍କ ଏକ ନୂତନ ପ୍ରତିମୂର୍ତ୍ତିକୁ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା l ଏହା ପରେ ସମିତି ପରିସରରେ ଏକ ସାଧାରଣସଭାର ଆୟୋଜନ ହୋଇଥିଲା, ଏଥିରେ ଭୁବନେଶ୍ୱରର ବିଶିଷ୍ଟ ଗାନ୍ଧିବାଦୀ, ଲେଖକ ଓ ସ୍ତମ୍ଭକାର ଦାସ ବେନହୁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଜ୍ଞା ଙ୍କ ଫୋଟୋ ଚିତ୍ର ନିକଟରେ ଦୀପ ଧୂପ ପ୍ରଜ୍ଜଳନ ପୂର୍ବକ ପୁଷ୍ପମାଲ୍ୟାର୍ପଣ କରି ସମିତିର ପ୍ରାଣ ପ୍ରତିଷ୍ଠାତା ସ୍ବର୍ଗତ ବିଶ୍ୱନାଥ ପଟ୍ଟନାୟକ (ଆଜ୍ଞା) ଙ୍କ ସମ୍ପର୍କିତ ଏକ ସ୍ମରଣିକା କୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଥିଲେ l ଏଥିରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ମୁଖ୍ୟ ବକ୍ତା ଭାବେ ବ୍ରହ୍ମପୁରର ପ୍ରାକ୍ତନ ଭାରତୀୟ ପ୍ରସାରଣ ସେବା ଅଧିକାରୀ ହୃଷିକେଶ ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ଆଇଟିଡ଼ିଏର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା, କନ୍ଧମାଳ ଜିଲ୍ଲା ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ରଜତ ଦିଗାଳ, କନ୍ଧମାଳ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ରଶ୍ମିତା କରନ ପ୍ରମୁଖ ଉପସ୍ଥିତ ରହି ଆଜ୍ଞା ଙ୍କ ଜୀବନୀ ଓ କାର୍ଯ୍ୟାବଳୀ ସମ୍ପର୍କରେ ଆଲୋକପାତ କରିଥିଲେ l ଏହି ଅବସରରେ ରାୟଗଡା ଜିଲ୍ଲା ଚିକିତ୍ସାଳୟ ର ଡ଼ଃ. ପ୍ରଫୁଲ୍ଲ କୁମାର ପାଢ଼ୀ ଙ୍କୁ ୧୧ ତମ ଆଜ୍ଞା ସେବା ସମ୍ମାନରେ ସମିତି ତରଫରୁ ଅତିଥି ମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିବା ବେଳେ ପୁରୀ ଅଞ୍ଚଳର ସର୍ବୋଦୟ ମେଳା କମିଟି ର କାର୍ଯ୍ୟକାରୀ ସଭାପତି ଉମା ବଲ୍ଲବ ମହାପାତ୍ରଙ୍କୁ ୧୮ ତମ ଆଚାର୍ଯ୍ୟ ହରିହର-ଗୋପବନ୍ଧୁ ଚୌଧୁରୀ ସ୍ମାରକ ସମ୍ମାନ ଏବଂ କଟକ ଅଞ୍ଚଳର ଶ୍ରୀମତୀ କବିତା ମହାପାତ୍ର ଙ୍କୁ ୧୮ ତମ ମା ‘ରମାଦେବୀ-ମାଳତୀ ଚୌଧୁରୀ ସ୍ମାରକ ସମ୍ମାନରେ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା l ଏତଦ ବ୍ୟତୀତ ୨୦୨୩ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଅନୁଷ୍ଠାନର ଛାତ୍ରୀ ଲିଜା କହଁରଙ୍କୁ ସମିତି ତରଫରୁ ନଗଦ ୫ ହଜାର ଟଙ୍କା ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇ ଥିଲା l ଏହି କାର୍ଯ୍ୟକ୍ରମରେ ସମିତିର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ଓ ବିଦାୟ କାଳୀନ ସଙ୍ଗୀତ ପରିବେଷଣ ହୋଇଥିଲା l ସମିତି ର ସମ୍ପାଦକ ଉତ୍ସବ ଚନ୍ଦ୍ର ଜେନା ପରିଚାଳନା କରିଥିବା ବେଳେ ସମିତିର ସହ ସମ୍ପାଦକ ରବିନ୍ଦ୍ର କୁମାର ପଣ୍ଡା ସ୍ୱାଗତ ଭାଷଣ ପୂର୍ବକ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ l ଅପରାହ୍ନରେ ଆଜ୍ଞା ଙ୍କ ସମ୍ପର୍କିତ ଭିଡିଓ ଏବଂ ଚିତ୍ର ପ୍ରଦର୍ଶନୀ କରାଯାଇଥିଲା l ସନ୍ଧ୍ୟାରେ ସର୍ବଧର୍ମ ପ୍ରାର୍ଥନା ପରେ ଅନୁଷ୍ଠାନର କଳାକାର ମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ଶେଷରେ ବିଶ୍ୱଜିତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ l ସମିତିର ସଭାପତି ଲାଲନନ୍ଦ ପ୍ରଧାନ ଙ୍କ ସମେତ ଖଗେନ୍ଦ୍ର ନାୟକ, ସୁଜିତ ଦିଗାଳ, ଶ୍ରାବଣୀ ଦାସ, ଅନୁଷ୍ଠାନର ସମସ୍ତ କର୍ମଚାରୀ ଓ ସଦସ୍ୟ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ l