ମଧ୍ୟପ୍ରଦେଶରେ ଶିବରାଜଙ୍କ ଯୁଗର ଅନ୍ତ, ଆଜିଠୁ ରାଜ୍ୟରେ ଆରମ୍ଭ ହେଲା ମୋହନ ‘ରାଜ’, ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ନେଲେ ଶପଥ


ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ଶିବରାଜ ସିଂ ଚୌହ୍ୱାନଙ୍କ ଯୁଗର ପରିସମାପ୍ତି ଘଟିଛି । ରାଜ୍ୟରେ ଆରମ୍ଭ ହୋଇଛି ମୋହନରାଜର ଯୁଗ । ବୁଧବାର ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି । ଲାଲ ପରେଡ ଗ୍ରାଉଣ୍ଡରେ ଆୟୋଜିତ ଶପଥ ସମାରୋହରେ ରାଜ୍ୟପାଳ ମଙ୍ଗୁଭାଇ ପଟେଲ ମୋହନ ଯାଦବଙ୍କ ବ୍ୟତୀତ ଉପମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ଶୁକ୍ଳା ଓ ଜଗଦୀଶ ଦେବଡାଙ୍କୁ ଶପଥ ପାଠ କରାଇଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ୍ ଶାହ ଓ ବିଜେପି ଶାସିତ ରାଜ୍ୟଗୁଡିକର ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ ।

ଅନେକ ଦିନ ଧରି ଚାଲିଥିବା କଳ୍ପନା ଜଳ୍ପନା ଓ ଅଟକଳର ପରିସମାପ୍ତି ଘଟାଇ ବିଜେପି ସୋମବାର ମୋହନ ଯାଦବଙ୍କୁ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଚୟନ କରିଥିଲା । ଫଳରେ ପାର୍ଟିର ବରିଷ୍ଠ ନେତା ଶିବରାଜ ସିଂ ଚୌହାନ ପଂଚମ ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ କରିବାରୁ ବଂଚିତ ହୋଇଛନ୍ତି । ଶିବରାଜଙ୍କ ସରକାରରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ରହିଥିବା ୫୮ ବର୍ଷୀୟ ମୋହନ ଯାଦବଙ୍କୁ ସର୍ବସମ୍ମତିକ୍ରମେ ବିଜେପି ବିଧାୟକ ଦଳ ନେତା ଭାବେ ଚୟନ କରାଯାଇଛି । ମଧ୍ୟପ୍ରଦେଶରେ ରାଜେନ୍ଦ୍ର ଶୁକ୍ଳା ଓ ଜଗଦୀଶ ଦେବଡା ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱ ସମ୍ଭାଳିବେ ।

ମୋହନ ଯାଦବଙ୍କୁ ଆରଏସଏସର ନିକଟତର କୁହାଯାଏ । ସେ ମୁଖ୍ୟମନ୍ତ୍ରୀ ପଦ ଦୌଡରେ ଥିଲେ । ସେ ପଛୁଆ ବର୍ଗ(ଓବିସି) ସମୁଦାୟରୁ ଆସିଛନ୍ତି । ରାଜ୍ୟରେ ଏହି ସମୁଦାୟର ଜନସଂଖ୍ୟା ହେଉଛନ୍ତି ୪୮ ପ୍ରତିଶତ । ସୋମବାର ମୁଖ୍ୟମନ୍ତ୍ରୀ ପାଇଁ ଚୟନ ହେବା ପରେ ଯାଦବ ରାଜ୍ୟପାଳ ମଙ୍ଗୁଭାଇଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ ।

ମୋହନ ଯାଦବ ୨୦୧୩ରେ ପ୍ରଥମ ଥର ଉଜ୍ଜୈନ ଦକ୍ଷିଣ ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେ ୨୦୧୮ ଓ ପୁଣି ୨୦୨୩ରେ କ୍ରମାଗତ ନିର୍ବାଚିତ ଜିତିଛନ୍ତି । ଉଲ୍ଲେଖନୀୟ ବିଧାନସଭା ନିର୍ବାଚନ ୨୦୨୩ରେ ବିଜେପି ୨୩୦ ବିଧାନସଭା ସିଟରୁ ୧୬୩ଟି ଜିତି ସରକାର ଗଠନ କରିଛି । ବିରୋଧୀ କଂଗ୍ରେସ ୬୬ ଆସନ ସହ ଦ୍ୱିତୀୟ ସ୍ଥାନରେ ରହିଛି ।