ଏଥର ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିବେ ନା ନିଜର ଗୁଣଗାନ କରି ଚାଲିଯିବେ ପିଏମ ମୋଦୀ


ଭୁବନେଶ୍ୱର: ନିକଟରେ ଦେଶରେ ୫ ରାଜ୍ୟର ବିଧାନସଭା ନିର୍ବାଚନ ସଂପନ୍ନ ହୋଇଛି । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ସେମି ଫାଇନାଲ କୁହାଯଉଥିବା ଏହି ନିର୍ବାଚନରେ ବିଜେପି ହିନ୍ଦୀ ହାର୍ଟଲ୍ୟାଣ୍ଡ ରାଜ୍ୟରେ ଚମକପ୍ରଦ ବିଜୟ ହାସଲ କରି ସରକାର ଗଢିଛି । ଦଳ ଛତିଶଗଡ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ କଂଗ୍ରେସକୁ ଧରାଶାୟୀ କରିଛି । ଏହା ତ ଗଲା ଜାତୀୟସ୍ତରର କଥା । ଯେଉଁଠି ଅନ୍ୟ ରାଜ୍ୟରେ ବିଜେପି ପୁରା ଦମର ସହ ନିର୍ବାଚନ ଲଢୁଥିବା ବେଳେ ଓଡିଶାରେ ତାହା ଏ ଯାବତ ଦେଖିବାକୁ ମିଳିନାହିଁ । ୨୦୨୪ରେ ଲୋକସଭା ସହ ଓଡିଶାରେ ବିଧାନସଭା ନିର୍ବାଚନ ଏକାଠି ହୋଇ ଆସୁଛି । କିନ୍ତୁ ଏଠାକାର ଶାସକ ବିଜୁ ଜନତା ଦଳ ପ୍ରତି କେନ୍ଦ୍ରରେ କ୍ଷମତାସୀନ ବିଜେପିର ମଙ୍ଗୁଆଳ ନେତା ସର୍ବଦା ନରୋମ ମନୋଭାବ ପଷୋଣ କରି ଆସିଛି । ବୋଧହୁଏ ସେଥିପାଇଁ ବିଜେପି ଓଡିଶାରେ ନିଜ ସାମର୍ଥ୍ୟ ମତେ ନିର୍ବାଚନ ଲଢିବାକୁ ଉଚିତ୍ ମଣିନାହିଁ । ନିର୍ବାଚନ ପାଖେଇଲେ ରାଜ୍ୟରେ ବିଜେଡି ଓ ବିଜେପି ନାମକୁ ମାତ୍ର ପରସ୍ପର ବିରୋଧରେ ସମାଲୋଚନା କରି ନିର୍ବାଚନ ଲଢୁଥିବା ଏ ପର୍ଯ୍ୟନ୍ତ ରାଜ୍ୟବାସୀ ଏହା ଦେଖି ଆସିଛନ୍ତି । ଏହିକ୍ରମରେ ଆସନ୍ତା ୨୪ ତାରିଖରେ ସମ୍ବଲପୁର ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

କାର୍ଯ୍ୟସୂଚୀ ଅନୁଯାୟୀ, ପ୍ରଧାନମନ୍ତ୍ରୀଙ୍କ ଉକ୍ତ ଦିନରେ ଦୁଇଟି କାର୍ଯ୍ୟକ୍ରମ ରହିଛି । ପ୍ରଥମେ ଗୋଶାଳା ନିକଟରେ ବସନ୍ତପୁରଠାରେ ନିର୍ମିତ ଆଇଆଇଏମ ସମ୍ବଲପୁରର ନୂଆ କ୍ୟାମ୍ପସର ଉଦଘାଟନ କରିବେ । ଏହା ସହିତ ଏକ ଜନସଭାକୁ ମଧ୍ୟ ସମ୍ବୋଧିତ କରିବେ । ଜନସଭା ପାଇଁ ସହରର ଆଖପାଖରେ ଜାଗା ଖୋଜା ଚାଲିଛି । ଏକ ପ୍ରତିନିଧି ଦଳ ସମ୍ବଲପୁର ଆସି ପ୍ରାରମ୍ଭିକ ଭାବେ ୨/୩ଟି ଜାଗା ଦେଖି ସାରିଛନ୍ତି । ତେବେ କେବଳ ଆଇଆଇଏମ ସମ୍ବଲପୁରର ନୂଆ କ୍ୟାମ୍ପସର ଉଦଘାଟନ ପାଇଁ ପ୍ରଧାନମନ୍ତ୍ରୀ ଆସୁଥିବା କୁହାଯାଇ ପାରିବ ନାହିଁ । ଏହା ପଛରେ କୌଣସି ରାଜନୈତିକ ଅଭିସନ୍ଧିମୂଳକ ରହିଥାଇପାରେ । କାରଣ ନିର୍ବାଚନକୁ ଆଉ କେଇଟା ମାସ ବାକି ରହିଛି । ଓଡିଶାରେ ମଧ୍ୟ ରାଜନୈତିକ ଗତିବିଧି ସକ୍ରିୟ ହୋଇ ଉଠିଲାଣି ।

ଓଡିଶାକୁ ବିଜେପିର ହାଇକମାଣ୍ଡ ଯେତେ ଥର ଆସୁଥିଲେ ମଧ୍ୟ କେହି ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଟାର୍ଗେଟ୍ କରି ନାହାନ୍ତି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହୁଅନ୍ତୁ ଅବା ଗୃହମନ୍ତ୍ରୀ ଅମିତ୍ ଶାହ କିମ୍ବା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଜଣେ ହେଲେ ନେତା ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ୍ କରିବାରେ ପଛଘୁଂଚା ଦେଇ ଆସିଛନ୍ତି । ଆଉ ଏହି କାରଣରୁ ହିଁ ଓଡିଶାରେ ବିଜେପି କର୍ମୀଙ୍କ ମଧ୍ୟରେ ଉତ୍ସାହ ସେତେଟା ଦେଖିବାକୁ ମିଳେ ନାହିଁ ଯେମିତି ଉତ୍ସାହ ବିଜେଡି କର୍ମୀଙ୍କ ଠାରେ ଦେଖିବାକୁ ମିଳେ । ୨୦୧୪ ଓ ୨୦୧୯ ନିର୍ବାଚନରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶାରେ ନିର୍ବାଚନୀ ପ୍ରଚାର କରିଥିଲେ । ହେଲେ ସେ ନିଜ ସରକାରର କଲ୍ୟାଣକାରୀ ଯୋଜନାର ଗୁଣ ବଖାଣିଥିବା ବେଳେ ନବୀନ ସରକାରଙ୍କୁ ସିଧାସଳଖ ଟାର୍ଗେଟ୍ କରିବାରୁ ନିବୃତ ରହିଥିଲେ ।

ଆଉ ଆସନ୍ତା ୨୪ରେ ପ୍ରଧାନମନ୍ତ୍ରୀ ଓଡିଶା ଆସୁଛନ୍ତି । ଏକ ଜନସଭାକୁ ସମ୍ବୋଧିତ ମଧ୍ୟ କରିବେ । ବିଜେପି କର୍ମୀମାନେ ଚାହିଁ ରହିଛନ୍ତି କଣ ପ୍ରଧାନମନ୍ତ୍ରୀ ନବୀନ ସରକାରଙ୍କୁ ନିଜର ତୀର୍ଯ୍ୟକ ଭାଷଣରେ ଟାର୍ଗେଟ୍ କରିବେ ନା ପ୍ରତିଥର ପରି ଏଥର ମଧ୍ୟ ନିଜ ସରକାରର ଗୁଣଗାନ କରି ଚାଲିଯିବେ । ଜାତୀୟସ୍ତରର ରାଜନୀତିରେ ବିଜେପି ଓ ବିଜେଡି ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଥିବା କାରଣରୁ ରାଜ୍ୟର ବିଜେପି ନେତା ମଧ୍ୟ ନବୀନ ସରକାରଙ୍କୁ ସିଧାସଳଖ ଟାର୍ଗେଟ୍ କରିବେ ନା ନାହିଁ ଦ୍ୱନ୍ଦ୍ୱରେ ରହୁଥିବା ଦେଖିବାକୁ ମିଳିଛି । ତେଣୁ ଏଥର ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ ଉପରେ ସଭିଙ୍କ ନଜର ରହିବ । ପ୍ରଧାନମନ୍ତ୍ରୀ ସବୁଥର ପରି ଏଥର ମଧ୍ୟ କେବଳ ନିଜ ସରକାରଙ୍କ ଗୁଣଗାନ କରି ଚାଲିଯିବେ ନା ନବୀନ ସରକାରଙ୍କୁ ଦୃଢ ସନ୍ଦେଶ ଦେବେ ତାହା ଦେଖିବା ବାକି ରହିଲା ।