ଭୁୁବନେଶ୍ୱର: ମଦ ଟଙ୍କାକୁ ନେଇ ରାଜନୀତି ଜୋର । କଂଗ୍ରେସର ରାଜ୍ୟସଭା ସାଂସଦ ଧୀରଜ ପ୍ରସାଦ ସାହୁଙ୍କ ମଦ ବ୍ୟବସାୟରୁ ଆଇଟି ଦ୍ୱାରା ଜବତ ୩୫୦ କୋଟି ଟଙ୍କାକୁ ନେଇ ରାଜ୍ୟଠୁ ନେଇ ନୂଆଦିଲ୍ଲୀ ପର୍ଯ୍ୟନ୍ତ ରାଜନୀତି ସରଗରମ ରହିଛି । ଜାତୀୟସ୍ତରରେ ବିଜେପି ଓ କଂଗ୍ରେସ ମଧ୍ୟରେ ତୁ ତୁ ମେଁ ମେଁ ଚାଲିଥିବା ବେଳେ ରାଜ୍ୟରେ ବିଜେପି ଓ ବିଜେଡି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଚାଲିଛି । ଗତକାଲି ବିଜେଡି ଦ୍ୱାରା ସାମ୍ବାଦିକ ସମ୍ମିଳନୀ କରାଯାଇ ବିଜେପିକୁ ଟାର୍ଗେଟ୍ କରାଯାଇଥିଲା । ଏହିକ୍ରମରେ ଆଜି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ୩୫୦ କୋଟି ଟଙ୍କା କାହାର ବୋଲି ପ୍ରଶ୍ନ କରିଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବି କରିଛନ୍ତି ମନୋମହନ । ଅନ୍ୟପଟେ ବିଜେଡି ଏହାର ଜବାବ ରଖିଛି ।
ଏହା ମଦ ବେପାରୀଙ୍କ ଟଙ୍କା ନା ବିଜେଡି ପାଣ୍ଠିର ବୋଲି ମନମୋହନ ପ୍ରଶ୍ନ କରିଛନ୍ତି । ରାଜ୍ୟରେ ଏତେ ବଡ ଧରଣର ମଦ ସାମ୍ରାଜ୍ୟ ଚାଲିଛି, ବେଆଇନ ଭାବେ ଅର୍ଥ କାରବାର ଚାଲିଛି । ମାମଲାରେ ବିଜେଡିଠାରୁ ସ୍ପଷ୍ଟୀକରଣ ଦାବି କରିଛନ୍ତି ବିଜେପି ସଭାପତି । ସେ ସଙ୍ଗୀନ ଆରୋପ ଲଗାଇ କହିଛନ୍ତି ଯେ, ଆଗାମୀ ନିର୍ବାଚନରେ ଏହି ଟଙ୍କା ବିଜେଡି ବାଂଟିଥାଆନ୍ତା । ତେଣୁ ନୈତିକତା ଦୃଷ୍ଟିରୁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ଉଚିତ୍ । ଇଓଡବ୍ଲ୍ୟୁ, ଭିଜିଲାନ୍ସ ଯଦି ଧରି ଥାଆନ୍ତ ତେବେ ଆଇଟି କାହିଁକି ରେଡ୍ କରିଥାଆନ୍ତା । ସରକାରଙ୍କ ହାତ ନ ଥିଲେ ଏତେ ଟଙ୍କା ରଖିବାର ସୁଯୋଗ କେଉଁଠୁ ମିଳିବ ବୋଲି ମନମୋହନ ସାମଲ ପ୍ରଶ୍ନ କରିଛନ୍ତି ।
ବିଜେପିର ଏହି ଟାର୍ଗେଟର ଜବାବ ଦେଇଛି ଶାସକ ବିଜୁ ଜନତା ଦଳ । ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ । ସେ କହିଛନ୍ତି ଯଦି ଅନିୟମିତତା, ଦୁର୍ନୀତି ହୋଇଛି ଏହାର ତଦନ୍ତ ସରକାର କରୁଛନ୍ତି । ସମସ୍ତ ତନ୍ତ ପ୍ରକ୍ରିୟାକୁ ସହଯୋଗ କରିବା ଉଚିତ୍ । ରାଜନୈତିକ ରଙ୍ଗ ଦେବା ଅର୍ଥ ମୂଳ ସମସ୍ୟାକୁ ଲୋକଙ୍କ ଦୃଷ୍ଟିରୁ ହଟାଇବା ପରି ସମାନ ବୋଲି ପ୍ରସନ୍ନ କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି, ଯାହାର ଶକ୍ତି ଓ ଲୋକ ସମର୍ଥନ ନାହିଁ ସେମାନେ ବହୁ ପ୍ରସଙ୍ଗ କରନ୍ତି । ବିଜେଡି କେବେ ବି ଦୁର୍ନୀତିକୁ ପ୍ରଶୟ ଦିଏନି । ବିରୋଧ ଆଳରେ ଯଦି କିଏ ବିରୋଧ କରେ, ତେବେ କିିଛି କହିବାର ନାହିଁ ବୋଲି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ।
ସୂଚନାଯୋଗ୍ୟ, କଂଗ୍ରେସର ଝାଡଖଣ୍ଡରୁ ରାଜ୍ୟସଭା ସାଂସଦ ଧୀରଜପ୍ରସାଦ ସାହୁଙ୍କ ଓଡିଶାର ବଲାଙ୍ଗିର ଜିଲ୍ଲାରେ ଦେଶୀ ମଦଭାଟି ରହିଛି । ତେବେ ଆୟକର ବିଭାଗ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ତାଙ୍କର ବିଭିନ୍ନ ଠିକଣାରେ ଚଢଉ କରିଥିଲା । ବିଶେଷ କରି ବଲାଙ୍ଗିର, ଟିଟିଲାଗଡ ଓ ସମ୍ବଲପୁରରେ ହୋଇଥିବା ଚଢଉରେ ଆଇଟିକୁ ଐତିହାସିକ ସଫଳତା ମିଳିଥିଲା । ୩୫୦ କୋଟି ଟଙ୍କା ଆଇଟି ବିଭାଗ ଜବତ କରିଛି । ଟଙ୍କା ବିଡାକୁ ଗଣିବା ପାଇଁ ବ୍ୟାଙ୍କ କର୍ମଚାରୀ ଓ ମେସିନକୁ ନାକେଦମ ହେବାକୁ ପଡିଥିଲା । କେବଳ ବଲାଙ୍ଗିରରୁ ୩୦୫ କୋଟି ଟଙ୍କା ମିଳିଥିଲା । ଏହି ମାମାଲ ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ।