ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତ ଲହରି । ଭୀଷଣ ଥଣ୍ଡାରେ ଥରୁଛି ଆଭ୍ୟନ୍ତରୀଣ ଓଡିଶା । ଉପକୂଳ ଓଡିଶାରେ ମଧ୍ୟ ଶୀତର ପ୍ରକୋପ ଅନୁଭୂତ ହେଉଛି । ରାଜ୍ୟର ୪ ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳେ ରହିଛି । କ୍ରମାଗତ ଦ୍ୱିତୀୟ ଦିନ ଜି ଉଦୟଗିରି ରାଜ୍ୟର ସବୁଠୁ ଶୀତଳ ସ୍ଥାନ ପାଲଟିଛି । ଏଠାରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ରହିଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଏଭଳି ସ୍ଥିତି ଆହୁରି ୪ ଦିନ ଲାଗି ରହିବ ।
ପାଣିପାଗ ବିଭାଗ ସୂଚନା ଅନୁସାରେ ଜି.ଉଦୟଗିରିର ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ, କିରେଇ ୯ ଡିଗ୍ରୀ, ଫୁଲବାଣୀ ୯, ଦାରିଙ୍ଗିବାଡ଼ି ୯.୫, କେନ୍ଦୁଝର ୧୦.୨, କୋରାପୁଟ ୧୦.୪, ସୁନ୍ଦରଗଡ଼ ୧୦.୬ ଓ ସେମିଳିଗୁଡ଼ା ୧୦.୭ ଡିଗ୍ରୀ ସେଲସିୟସ୍ ଥିଲା । ଟୁଇନ ସିଟି ଭୁବନେଶ୍ୱର ୧୫.୫, କଟକ ୧୫.୫ ଡିଗ୍ରୀ ରେକର୍ଡ ହୋଇଛି । ଶୁକ୍ରବାର ସକାଳେ କେନ୍ଦୁଝର, କନ୍ଧମାଳ, ଢେଙ୍କାନାଳ, ସୁନ୍ଦରଗଡ଼, ଝାରସୁଗୁଡ଼ା, କୋରାପୁଟ, କଳାହାଣ୍ଡି, ଅନୁଗୁଳ, ବୌଦ୍ଧ ଜିଲ୍ଲାରେ ମଧ୍ୟମ ଧରଣର କୁହୁଡ଼ି ହୋଇପାରେ । ଶୁକ୍ରବାର ରାତି ଓ ଶନିବାର ସକାଳେ ମଧ୍ୟ ଏସବୁ ଜିଲ୍ଲାରେ କୁହୁଡ଼ି ସମ୍ଭାବନା ଅଛି।
ଗତ କିଛି ଦିନ ହେବ ପ୍ରବଳ ଜାଡରେ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ଦିନ ସମୟରେ ବି ଥଣ୍ଡା ଅନୁଭୂତ ହେଉଛି । ସନ୍ଧ୍ୟା ୭ ଘଣ୍ଟା ପରେ ଜନ ଶୂନ୍ୟ ହେଉଛି ସହର । ବିଭିନ୍ନ ସ୍ଥାନରେ ଲୋକେ ନିଆଁ ପାଖରେ ବସି ଶୀତରୁ ରକ୍ଷା ପାଉଥିବା ଥିବା ଦେଖିବାକୁ ମିଳିଛି ।