ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନକୁ ଆଉ କେଇଟା ମାସ ବାକି ରହିଛି । ଚଳଚଂଚଳ ହୋଇ ଉଠିଲାଣି ରାଜ୍ୟର କଂଗ୍ରେସ ଶିବିର । ନିର୍ବଚନରେ ଦଳ କେମିତି ଭଲ ପ୍ରଦର୍ଶନ କରିବ ସେ ନେଇ ଦଳ ପ୍ରସ୍ତୁତିରେ ଜୁଟି ଯାଇଛି । ଏହିକ୍ରମରେ ଆଗାମୀ ଜାନୁଆରୀରେ ଓଡିଶା ଗସ୍ତରେ ଆସିବେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଗୁରୁବାର ଦିଲ୍ଲୀରେ ମଲ୍ଲିକାର୍ଜୁନ ଖଡଗେଙ୍କୁ ଭେଟି ଓଡିଶା ପ୍ରଦେଶ କଂଗ୍ରେସର ସଂଗଠନ ବିଷୟରେ ଆଲୋଚନା କରିଥିଲେ ପିସିସି ସଭାପତି ଶରତ ପଟ୍ଟନାୟକ ଓ ପ୍ରଭାରୀ ଚେଲ୍ଲାକୁମାର । ଏହି ସମୟରେ ରାଜ୍ୟରେ ଦଳର ସ୍ଥିତି କେମିତି ରହିଛି ତାର ରିପୋର୍ଟ ଦେଇଛନ୍ତି ଶରତ ପଟ୍ଟନାୟକ ।
ବୈଠକରେ ଶରତ ପଟ୍ଟନାୟକ ଖଡଗେଙ୍କୁ ଓଡିଶା ଆସିବାକୁ ଆମନ୍ତ୍ରିତ କରିଛନ୍ତି । ଆଉ ନିମନ୍ତ୍ରଣ ରକ୍ଷା କରି ଓଡିଶା ଆସିବେ ଏଆଇସିସି ଅଧ୍ୟକ୍ଷ । ସେପଟେ ଜାନୁଆରୀରେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଓଡିଶା ଆସିବାର ସମ୍ଭାବନା ରହିଛି । ଏମିତି ହେଲେ ଓଡିଶା ଶିବିର ଟିକିଏ ସକ୍ରିୟ ହୋଇ ଉଠିବ। ଶୀର୍ଷସ୍ତର ନେତାଙ୍କ ଗସ୍ତରେ କର୍ମୀଙ୍କ ଉତ୍ସାହ ବୃଦ୍ଧି ପାଇବ । ସୂଚନାଯୋଗ୍ୟ, ତିନି ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।
କଂଗ୍ରେସର ମଙ୍ଗୁଆଳଙ୍କ ଓଡିଶା ଗସ୍ତ କରିବା ପୂର୍ବରୁ ଡିସେମ୍ବର ୨୪ରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହାକୁ ନେଇ ବେଶ ଉତ୍ସାହିତ ରାଜ୍ୟ ବିଜେପି ଶିବିର । ଭୁବନେଶ୍ୱରଠୁ ନେଇ ସମ୍ବଲପୁର ପର୍ଯ୍ୟନ୍ତ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ଏହି ସମୟରେ ପ୍ରଧାନମନ୍ତ୍ରୀ ସମ୍ବଲପୁରରେ ନବ ନିର୍ମିତ ଆଇଆଇଏମ କ୍ୟାମ୍ପସର ଉଦଘାଟନ କରିବେ । ଏହା ସହିତ ସମ୍ବଲପୁରରେ ଏକ ଜନସଭାକୁ ସମ୍ଭୋଧିତ କରିବାର କାର୍ଯ୍ୟକ୍ରମ ରହିଛି ।