ଭୁବନେଶ୍ୱର ଲୋକସଭାରେ ବିଜେଡି ଖେଳିବ ମହିଳା କାର୍ଡ, ଅପରାଜିତାଙ୍କ ବିରୋଧରେ ଶ୍ରୀମୟୀ ମିଶ୍ରଙ୍କୁ କରିପାରେ ପ୍ରାର୍ଥୀ


ଭୁବନେଶ୍ୱର: ଦେଶର ନିର୍ବାଚନ ଉତ୍ସବ ପାଖେଇ ଆସିଲାଣି । ଆଉ କେଇ ମାସ ପରେ ଗଣତନ୍ତ୍ରର ସବୁଠୁ ବଡ ପର୍ବ ସାଧାରଣ ନିର୍ବାଚନ ହେବାକୁ ଯାଉଛି । ଓଡିଶାର ୨୧ ଲୋକସଭା ଆସନରେ ଦେଖିବାକୁ ମିଳିବ ମେଗା ଫାଇଟ୍ । କେଉଁ ଦଳ କାହାକୁ କେଉଁ ସିଟରେ ପ୍ରାର୍ଥୀ କରି ପ୍ରତିପକ୍ଷକୁ ମାତ୍ ଦେବ ସେ ନେଇ ଚାଲିଛି ଅଙ୍କକଷା । ତେବେ ସବୁଠୁ ଚର୍ଚ୍ଚାର ବିଷୟ ପାଲଟିଛି ଭୁବନେଶ୍ୱର ସଂସଦୀୟ କ୍ଷେତ୍ର । ଏହି ଆସନ ବର୍ତମାନ ବିଜେପି କବଜାରେ ରହିଛି । ପୂର୍ବତନ ପ୍ରଶାସନିକ ଅଧିକାରୀ ଅପରାଜିତ ଷଡଙ୍ଗୀ ୨୦୧୯ ନିର୍ବାଚନରେ ବିଜେଡିର ଏହି ଗଡକୁ ଭେଦିବାରେ ସଫଳ ହୋଇଥିଲେ । ତେବେ ୨୦୨୪ରେ ଶାସକ ବିଜୁ ଜନତା ଦଳ କଳେ ବଳେ କୌଶଳେ ଭୁବନେଶ୍ୱର ଲୋକସଭା ଆସନ ହାତେଇବା ପାଇଁ ଅଂଟା ଭିଡିଛି । ତେଣୁ ଦଳ ଅପରାଜିତାଙ୍କୁ ଟକ୍କର ଦେବା ପରି ମହିଳା ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇବାର ଯଥେଷ୍ଟ ସମ୍ଭାବନା ରହିଛି । ଆଉ ସେହି ମହିଳା ପ୍ରାର୍ଥୀ ହେଉଛନ୍ତି ଶ୍ରୀମୟୀ ମିଶ୍ର । ଏହି କଥା ଆମେ କହୁନାହୁଁ ବରଂ ଏହା କହିଛନ୍ତି ଖୋଡ ବିଜେଡିର ମନ୍ତ୍ରୀ ଅଶୋକ ପଣ୍ଡା ।

ସେ କହିଛନ୍ତି ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ଶ୍ରୀମୟୀ ମିଶ୍ର ପ୍ରତିନିଧିତ୍ୱ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାହିଁଛନ୍ତି । ଏହା ପୂର୍ବରୁ ମଧ୍ୟ ଶ୍ରୀମୟୀଙ୍କ ଗତିବିଧିରୁ ସଙ୍କେତ ମିଳିଥିଲା ଯେ, ସେ ଏଥର ଅପରାଜିତ ଷଡଙ୍ଗୀଙ୍କ ବିରୋଧରେ ନିର୍ବାଚନ ଲଢି ପାରନ୍ତି । ଏମିତି ହେଲେ ବିଜେପି ଓ ବିଜେଡି ମଧ୍ୟରେ ହାଇଭୋଲଟେଜ୍ ମୁକାବିଲା ଦେଖିବାକକୁ ମିଳିବ । ଶ୍ରୀମୟୀଙ୍କୁ ଭୁବନେଶ୍ୱର ଲୋକସଭା କ୍ଷେତ୍ରରୁ ପର୍ଯ୍ୟବେକ୍ଷକ କରିବା ପରେ ଅପରାଜିତା ବନାମ ଶ୍ରୀମୟୀ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ଗତ କିଛି ଦିନ ହେବ ବିଜେଡି ନେତାମାନେ ମଧ୍ୟ ଖୋଲାଖୋଲି ଶ୍ରୀମୟୀଙ୍କୁ ସାଂସଦ ପ୍ରାର୍ଥୀ ଭାବେ କହିବା ଆରମ୍ଭ କରି ଦେଲେଣି ।

ଜଟଣୀ ନିର୍ବାଚନମଣ୍ଡଳୀରେ ସଭାମଂଚରୁ ଶ୍ରୀମୟୀ ଲୋକସଭା ପ୍ରାର୍ଥୀ ହେବେ ବୋଲି କୁହାଯାଇଛି । ବିଜେଡି ଖୋର୍ଦ୍ଧା ଜିଲ୍ଲା ସଭାପତି ବିଭୂତି ବଳବନ୍ତରାୟ ଅଧିକରୁ ଅଧିକ ଭୋଟ୍ ଦେଇ ଶ୍ରୀମୟୀଙ୍କୁ ଜିତାଇବାକୁ କର୍ମୀଙ୍କୁ ଆହ୍ୱାନ ଦେଇଥିବା ଦେଖିବାକୁ ମିଳିଥିଲା । ଆଉ ଶ୍ରୀମୟୀ ଲୋକସଭା ସଂପର୍କ ଅଭିଯାନକୁ ଜୋରଦାର କଲେଣି । ସେ ଭୁବନେଶ୍ୱର ଲୋକସଭା ଆସନର ବିଭିନ୍ନ ନିର୍ବାଚନମଣ୍ଡଳୀ ଯାଇ ଲୋକଙ୍କ ଭେଟୁଛନ୍ତି । ଅନ୍ୟପଟେ ଅପରାଜିତା ମଧ୍ୟ ତୃଣମୂଳସ୍ତରରେ ନିରନ୍ତର ଭାବେ ଜନତାଙ୍କ ସହ ରହି ଆସିଛନ୍ତି । ସେ ସର୍ବଦା ସଂସଦ ହେଉ କି ରାଜ୍ୟରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ସମସ୍ୟାକୁ ନେଇ ସ୍ୱର ଉତୋଳନ କରି ଆସିଛନ୍ତି । ରାଜ୍ୟ ସରକାରଙ୍କୁ ତୀର୍ଯ୍ୟକ ବାକ୍ୟରେ ସମାଲୋଚନା କରିବାରେ ଅପରାଜିତ ଷଡଙ୍ଗୀ ଆଗରେ ରହିଛନ୍ତି । ସେ ବିଜେଡି ସରକାରଙ୍କୁ ଅଡୁଆରେ ପକାଇ ଆସିଛନ୍ତି । ତେଣୁ ବିଜେଡି ଏଥର ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ଶ୍ରୀମୟୀ ମିଶ୍ରଙ୍କୁ ପ୍ରାର୍ଥୀ କରି ଅପରାଜିତାଙ୍କୁ ଚେକ୍ ଦେବାକୁ ବ୍ଲୁ ପ୍ରୁଂଟ ପ୍ରସ୍ତୁତ କରିଛି ।

ଭୁବନେଶ୍ୱର ଲୋକସଭା ଆସନ ୧୯୯୮ରୁ ୨୦୧୯ ଯାଏ ଦୀର୍ଘ ଦୁଇ ଦଶନ୍ଧି ଧରି ବିଜେଡି କବଜାରେ ଥିଲା । ପ୍ରସନ୍ନ ପାଟ୍ଟଶାଣୀ କ୍ରମାଗତ ୫ ଥର ଏହି ସିଟରୁ ନିର୍ବାଚନ ଜିତି ଆସୁଥିଲେ । ତେବେ ୨୦୧୯ରେ ବିଜେପି ଶାସକ ବିଜେଡିଠୁ ଏହି ଆସନ ଛଡାଇ ଆଣିବାରେ ସଫଳ ହୋଇଥିଲା । ଅପରାଜିତ ଷଡଙ୍ଗୀ ନିଜର ସ୍ୱଚ୍ଛ ଭାବମୂର୍ତି ଏବଂ ଉନ୍ନତ ଜନସଂପର୍କ ସହ କର୍ମୀଙ୍କ ସହ ସଠିକ ରଣନୀତି ପ୍ରସ୍ତୁତ କରି ବିଜେଡିକୁ ତାରି ଘରେ ମାତ୍ ଦେଇଥିଲେ । ଗତଥର ବିଜେଡି ମୁମ୍ବାଇର କମିଶନର ରହିଥିବା ଅନୂପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଥିଲେ ହେଁ ଦଳକୁ ପରାଜୟ ଭୋଗିବାକୁ ପଡିଥିଲା । ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ୭ ବିଧାନସଭା ଆସନରୁ ବିଜେଡି ୬ଟିରେ ଜିତିଥିଲେ ହେଁ ଲୋକସଭା ସିଟକୁ ବଂଚାଇ ନ ପାରିବା ହାଇକମାଣ୍ଡକୁ ଶକ୍ତ ଧକ୍କା ଲାଗିଥିଲା । କିନ୍ତୁ ଏଥର ଦଳ ମହିଳା କାର୍ଡ ଖେଳି ଅପରାଜିତାଙ୍କୁ ପରାଜିତ କରିବାକୁ ଆଗୁଆ ରଣନୀତି ପ୍ରସ୍ତୁତି ଆରମ୍ଭ କରି ଦେଲାଣି । ଏବେ ଦେଖିବା ବାକି ରହିଲା ଯଦି ଅପରାଜିତା ବନାମ ଶ୍ରୀମୟୀ ଫାଇଟ୍ ହୁଏ ତେବେ କିଏ କାହା ଉପରେ ଭାରି ପଡୁଛନ୍ତି ।