ଭୁବନେଶ୍ୱର: ଗତ କିଛି ଦିନ ହେବ ରାଜ୍ୟରେ ଜାରି ରହିଛି ଶୀତ ପ୍ରକୋପ । ପ୍ରବଳ ଜାଡରେ ଥରୁଛି ସାରା ଓଡିଶା । ରାଜ୍ୟର ୬ ସହରର ତାପମାତ୍ରା ୧୦ ଡିଗ୍ରୀ ଥିବା ବେଳେ ଅନେକ ସହରର ପାରଦ ୧୫ ଡିଗ୍ରୀ ତଳେ ରହିଛି । ସୁନ୍ଦରଗଡର କିରେଇ ସବୁଠୁ ଥଣ୍ଡା ସ୍ଥାନ ରହିଥିବା ବେଳେ ଏଠାରେ ସର୍ବନିମ୍ନ ତାପମାତ୍ରା ୮.୩ ଡିଗ୍ରୀ ରେକର୍ଡ କରାଯାଇଛି । ଦ୍ୱିତୀୟରେ ରହିଛି ଜି ଉଦୟଗିରି ।
ଆଂଚଳିକ ପାଣିପାଗ ବିଭାଗ ଅନୁଯାୟୀ, ଫୁଲବାଣୀରେ ୮.୫, କୋରାପୁଟରେ ୯.୫, ଭଦ୍ରକ ରାଣୀତାଳରେ ୯.୬, ରାଉରକେଲାରେ ୯.୮, ସମ୍ବଲପୁର ଚିପିଲିମାରେ ୧୦, ଅନୁଗୁଳ, କେନ୍ଦୁଝର, ସୁନ୍ଦରଗଡ଼, ଦାରିଙ୍ଗିବାଡ଼ି ଓ ଝାରସୁଗୁଡ଼ାରେ ୧୦ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଅନୁଗୁଳରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୩.୪ଡିଗ୍ରୀ କମିଥିବା ବେଳେ କୋରାପୁଟରେ ସ୍ୱାଭାବିକ ଠାରୁ ୩.୬, ଝାରସୁଗୁଡ଼ାରେ ୩.୧, ଭୁବନେଶ୍ୱରରେ ୨.୮, ହୀରାକୁଦରେ ୨ ଓ କେନ୍ଦୁଝରରେ ୧.୮ ଡିଗ୍ରୀ ତାପମାତ୍ରା କମିଛି । ଆଗାମୀ ଆଉ କିଛି ଦିନ ରାଜ୍ୟରେ ପାରଦ ଆହୁରି କମିବାର ସମ୍ଭାବନା ରହିଛି । ବିଶେଷ କରି ଆଭ୍ୟନ୍ତୀଣ ଓଡିଶାରେ ଅଧିକ ଥଣ୍ଡା ଅନୁଭୂତ ହୋଇଛି ।