ବିଜେପି ପ୍ରତି ଢଳୁଛନ୍ତି ଭର୍ତ୍ତୃହରି ମହତାବ ! ପରସ୍ପରକୁ ପ୍ରଶଂସାରେ ପୋତିଲେ କଟକ ସାଂସଦ ଓ ଧର୍ମେନ୍ଦ୍ର ପ୍ରଧାନ


କଟକ: କଟକ ସାଂସଦ ଭର୍ତ୍ତୃହରି ମହତାବ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପରସ୍ପରକୁ ପ୍ରଶଂସା କରିବା ରାଜ୍ୟ ରାଜନୀତିକୁ ଉଷ୍ମ କରିଛି । ଗତକାଲି କଟକ ରେଭେନ୍ସା ବାଳିକା ବିଦ୍ୟାଳୟର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମର ମଞ୍ଚରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ। କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ କଟକର ବିଜେଡ଼ି ସାଂସଦ ଭର୍ତୃହରି ମହତାବ। ଯେତେବେଳେ କେନ୍ଦ୍ର ମନ୍ତ୍ରୀ ଭାଷଣ ଦେଇଥିଲେ ସେ ସମୟରେ ସାଂସଦଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ। ଆଉ ନିଜ ଭାଷଣ ବେଳେ ଭର୍ତ୍ତୃହରି ମଧ୍ୟ ଧର୍ମେନ୍ଦ୍ରଙ୍କୁ ମୁକ୍ତ କଣ୍ଠରେ ପ୍ରଶଂସା କରିବାକୁ କୁଣ୍ଠାବୋଧ କରି ନ ଥିଲେ । ବିଜେପି ପ୍ରତି ସେ ଢଳୁଥିବା ଚର୍ଚ୍ଚାକୁ ଏହି କାର୍ଯ୍ୟକ୍ରମର ଭାଷଣ ଆହୁରି ବଳ ଯୋଗାଉଛି ।

ଧର୍ମେନ୍ଦ୍ର କହିଥିଲେ କଟକ ଲୋକସଭା ସାଂସଦ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅତି ପ୍ରିୟଲୋକ। କଟକରେ କୌଣସି ସଭା ହେବ ଆଉ ଭର୍ତ୍ତୃହରି ନ ଥିବେ ଏହା ହେଇ ନ ପାରେ । ମୁଁ ଯଦି ଜାଣି ଥାନ୍ତି ତେବେ କଟକ ଆସିଥିବା ବିକଶିତ ରଥରେ ଦୁହେଁ ସାମିଲ ହୋଇ ଥାଆନ୍ତେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଶଂସାର ପ୍ରତି ଉତ୍ତରରେ କଟକର ବିଜେଡ଼ି ନେତା ତଥା ସାଂସଦ ଭର୍ତ୍ତୃହରି ମହତାବ କଥା ଛଳରେ କହିଛନ୍ତି, ଆଗକୁ ବଢିବାକୁ ହେଲେ ଫାଉଲର ସାମ୍ନା କରି କିଭଳି ଆଗକୁ ଯାଇ ଗୋଲ୍ କରାଯାଏ ସେ ଦକ୍ଷତା ରଖନ୍ତି ଧର୍ମେନ୍ଦ୍ର । ବଲ ଛଡାଇବାକୁ କିଏ ଉଦ୍ୟମ କଲେ ତାକୁ ଅତିକ୍ରମ କରି ଗୋଲ କରିବାର କୌଶଳ ଆପଣଙ୍କୁ ଜଣା। ଭତ୍ତୃହରିଙ୍କ ଏହି ମନ୍ତବ୍ୟ ରାଜ୍ୟ ରାଜନୀତିକୁ ଚର୍ଚ୍ଚାର ଖୋରାକ ଯୋଗାଇଛି ।

ଦୁଇ ନେତା ପରସ୍ପରକୁ ଏମିତି ପ୍ରଶଂସା କରିବା ଅନେକ ପ୍ରଶ୍ନକୁ ଜନ୍ମ ଦେଇଛି । କାରଣ ଭର୍ତୃହରି ଅନେକ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛନ୍ତି । ଏପରିକି ଅନେକ ମଂଚରେ ବିଜେପି ନେତାଙ୍କ ସହ ତାଙ୍କୁ ଦେଖିବାକୁ ମିଳିଛି । ବିଜେପି ପ୍ରତି କଟକର ଏହି ସାଂସଦ ଢଳୁଥିବା ରାଜନୀତି ମହଲରେ ବେଶ ଚର୍ଚ୍ଚା । ବିଜେପିରେ ସେ ମିଶି ପାରନ୍ତି ବୋଲି ମଧ୍ୟ କେହି କେହି କହୁଛନ୍ତି । ଆସନ୍ତା ଲୋକସଭା ନିର୍ବାଚନରେ ବିଜେପି ସହ ତାଙ୍କର ସଂପର୍କ କେଉଁ ଦିଗକୁ ନେବ ତାହା ଦେଖିବା ବାକି ରହିଲା ।