ପଞ୍ଜାବରେ ଜେଲଗୁଡିକରେ ବିକ୍ରି ହେଉଛି ଡ୍ରଗ୍ସ, ଭୁଲ୍ ପ୍ରମାଣିତ ହେଲେ ରାଜନୀତି ଛାଡିଦେବି: ନଭଜୋତ


ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ନଭଜୋତ ସିଂ ସିଦ୍ଧୁ ରାଜ୍ୟର ଜେଲଗୁଡିକରେ ଡ୍ରଗ୍ସ ବିକ୍ରି ହେଉଥିବା ଦାବି କରିଛନ୍ତି । ସେ ଶନିବାର କହିଛନ୍ତି ଯେ, ଯଦି ତାଙ୍କର ଏହି ମନ୍ତବ୍ୟ ଭୁଲ୍ ସାବ୍ୟସ୍ତ ହୁଏ ତେବେ ରାଜନୀତି ଛାଡି ଦେବି । ସିଦ୍ଧୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ଉପରେ ମାମଲାରେ କାର୍ଯ୍ୟାନୁଷ୍ଠାନ ନେଉ ନ ଥିବା ଅଭିଯୋଗ କରିଛନ୍ତି । ସେ କହିଛନ୍ତି ହାଇକୋର୍ଟ ସପ୍ତାହ ଭିତରେ ଏହି ପ୍ରସଙ୍ଗରେ ଏକ ନୀତି ତିଆରି କରିବାକୁ କହିଥିଲେ । ମୁଖ୍ୟମନ୍ତ୍ରୀ ମାନ ନିଜେ ଜଣେ ଜେଲ୍ ମନ୍ତ୍ରୀ । ତଥାପି ସେ କଣ କରିଛନ୍ତି । ଜେଲ୍ ଭିତରେ ବେଧଡକ ଡ୍ରଗ୍ସ ବିକ୍ରି ଚାଲିଛି । ଯଦି ମିଛ ପ୍ରମାଣିତ ହୁଏ ତେବେ ରାଜନୀତି ଛାଡି ଦେବି ।

ଉଲ୍ଲେଖନୀୟ ନଭଜୋତ ସିଂ ୧୦ ମାସରେ ଜେଲରେ ବିତାଇ ଫେରିଛନ୍ତି । ୧୯୮୮ ରୋଡ ରେଜ୍ ମାମଲାରେ ସୁପ୍ରିମକୋର୍ଟ ତାଙ୍କୁ ବର୍ଷେ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ସିଦ୍ଧୁ ପଞ୍ଜାବରେ ବଢୁଥିବା ଋଣ ଓ ବିପର୍ଯ୍ୟସ୍ତ ଆଇନ ବ୍ୟବସ୍ଥାକୁ ନେଇ ମଧ୍ୟ ମାନ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ରାଜ୍ୟ ସରକାର ନିର୍ଦ୍ଧାରିତ ଉଦ୍ଦେଶ୍ୟ ପାଇଁ କେନ୍ଦ୍ରୀୟ ଧନର ବ୍ୟବହାର କରୁନାହିଁ । ଏହି କାରଣରୁ କେନ୍ଦ୍ର ସରକାର ପଞ୍ଜାବ ପାଇଁ ୮୦୦୦ କୋଟି ଟଙ୍କାର ଅର୍ଥରାଶିକୁ ରୋକି ଦେଇଛନ୍ତି । ଏପରିକି ରାଜ୍ୟ ସରକାରଙ୍କ ନିକଟରେ କେନ୍ଦ୍ରୀୟ ଯୋଜନାରେ ନିଜର ୪୦ ପ୍ରତିଶତ ଅଂଶ ଦେବା ପାଇଁ ମଧ୍ୟ ଧନ ନାହିଁ । ଏହା ରାଜ୍ୟର ଦୟନୀୟ ଆର୍ଥିକ ସ୍ଥିତିକୁ ବୟାନ କରୁଥିବା ନଭଜୋତ ସିଂ ସିଦ୍ଧୁ କହିଛନ୍ତି ।