ଭୁୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଜଣାଶୁଣା ବ୍ଲଗର କାମିଆ ଜାନିଙ୍କ ଦ୍ୱାରା ପ୍ରସ୍ତୁତ ଭିଡିଓକୁ ନେଇ ବିବାଦ ଲାଗି ରହିଛି । ଏଥିରେ ଶାସକ ବିଜୁ ଜନତା ଦଳର ଅଡୁଆ ବଢିବାରେ ଲାଗିଛି । ଗୋ ମାଂସ ଭକ୍ଷଣ କରୁଥିବା ଏବଂ ଏହାକୁ ପ୍ରମୋଟ କରୁଥିବା ଜଣେ ମହିଳା ବ୍ଲୋଗରଙ୍କୁ ଡକାଇ ପାଣ୍ଡିଆନ ଏବଂ ବିଜେଡି ମହାପ୍ରସାଦର କେମିତି ପ୍ରଚାର କରାଇ ପାରିଲା ତାକୁ ନେଇ ବିଜେପି ଓ କଂଗ୍ରେସ ପ୍ରଶ୍ନ ଉଠାଇଛନ୍ତି । ଏବେ କାମିଆ ଜାନି ବିବାଦକୁ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ସେ କହିଛନ୍ତି ଓଡିଆ ଓ ଜଗନ୍ନାଥପ୍ରେମୀଙ୍କ ଭାବାବେଗ ସହ ଖେଳା ନ ଯାଉ ।
ଧର୍ମେନ୍ଦ୍ର କହିଛନ୍ତି, ସବୁ ଓଡିଆ ଓ ସନାତନୀଙ୍କ ପାଇଁ ଜଗନ୍ନାଥ ଅତ୍ୟନ୍ତ ଶ୍ରଦ୍ଧାର କେନ୍ଦ୍ର । ଜନ ଭାବନାକୁ ଆଘାତ କଲାଭଳି କାମ କେହି କରିବା ଅନୁଚିତ । ଜାଣତରେ ବା ଅଜାଣତରେ ଓଡିଆଙ୍କ ଭାବାବେଗ ସହ ନ ଖେଳିଲେ ଭଲ । ଏମିତି କାମରୁ କ୍ଷାନ୍ତ ରହିବା ଭଲ । ଏହି ପ୍ରସଙ୍ଗରେ ପିସିସି ସଭାପତି ଶରତ ପଟ୍ଟନାୟକ ଓ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟ ସଚିବ ବିଜୟ ପଟ୍ଟନାୟକ ମଧ୍ୟ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ।
ଶରତ ପଟ୍ଟନାୟକ କହିଛନ୍ତି, କାହା ନିର୍ଦ୍ଦେଶରେ କାମିଆ ଜାନିଙ୍କୁ ନେଇ ଶ୍ରୀମନ୍ଦିର ଯାଇଥିଲେ ପାଣ୍ଡିଆନ । ଯଦି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଯାଇଥିଲେ ତେବେ ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ । ଭକ୍ତଙ୍କ ଭାବାବେଗ ବିଜେଡି ଖେଳୁଥିବା ଶରତ ପଟ୍ଟନାୟକ କହିଛନ୍ତି । କଂଗ୍ରେସ ମିଡିଆ ସେଲ୍ ମୁଖ୍ୟ ବିଜୟ ପଟ୍ଟନାୟକ କହିଛନ୍ତି, ଆଗାମୀ ଦିନରେ ଦଳ ଏହି ପ୍ରସଙ୍ଗରେ ପଦକ୍ଷେପ ନେବ । ବିବାଦୀୟ ମହିଳାଙ୍କୁ ମହାପ୍ରସାଦ ପ୍ରଚାର ପାଇଁ ନବୀନ ଡାକିଥିଲେ କି ? ମହା ପ୍ରସାଦ ପ୍ରଚାର ପାଇଁ କଣ ଏଭଳି ବ୍ଲଗରଙ୍କ ଆବଶ୍ୟକତା ପଡିଲା ବୋଲି ବିଜୟ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି । ଓଡିଆ ଓ ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହ ଏ ସରକାର ଖେଳୁଛି । ତେଣୁ ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ । ନଚେତ୍ କଂଗ୍ରେସ ଚରମ ପଦକ୍ଷେପ ନେବ ବୋଲି ବିଜୟ ପଟ୍ଟନାୟକ କହିଛନ୍ତି।