ଭାରତୀୟ କୁସ୍ତି ସଂଘର ମାନ୍ୟତା ରଦ୍ଦ, ନବ ନିର୍ବାଚିତ ଅଧ୍ୟକ୍ଷ ସଞ୍ଜୟ ସିଂ ସସପେଣ୍ଡ; ବ୍ରିଜଭୂଷଣଙ୍କୁ ଝଟକା


ନୂଆଦିଲ୍ଲୀ: ଖେଳାଳିଙ୍କ ବିରୋଧର ପଡିଲା ପ୍ରଭାବ । କେନ୍ଦ୍ର ସରକାର ବଡ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଭାରତୀୟ କୁସ୍ତି ସଂଘର ମାନ୍ୟତା ରଦ୍ଦ କରିଛନ୍ତି । ଏହା ସହିତ ନିକଟରେ ନବ ନିର୍ବାଚିତ ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂଙ୍କ ଘନିଷ୍ଠ ସଞ୍ଜୟ ସିଂଙ୍କୁ ମଧ୍ୟ ନିଲମ୍ବିତ କରିଛି କ୍ରୀଡା ମନ୍ତ୍ରଣାଳୟ । ବ୍ରିଜଭୂଷଣ ଶରଣ ସିଂଙ୍କ ଘନିଷ୍ଠ ସଞ୍ଜୟ ଡବ୍ଲ୍ୟୁଏଫଆଇର ଅଧ୍ୟକ୍ଷ ନିର୍ବାଚିତ ହେବାକୁ ରେସଲରମାନେ ତୀବ୍ର ବିରୋଧ କରିଥିଲେ । ଏପରିକି ଅଲିମ୍ପିକ ପଦକ ବିଜେତା ସାକ୍ଷୀ ମଲିକ ମଧ୍ୟ ସନ୍ନ୍ୟାସ ଘୋଷଣା କରିଥିଲେ ।

ସଞ୍ଜୟ ସିଂଙ୍କ ଦ୍ୱାରା ନିଆଯାଇଥିବା ସମସ୍ତ ନିଷ୍ପତି ଉପରେ ମଧ୍ୟ ରୋକ୍ ଲଗାଯାଇଛି । କ୍ରୀଡା ମନ୍ତ୍ରଣାଳୟର ଏହି କାର୍ଯ୍ୟାନୁଷ୍ଠାନ ଉପରେ ବଜରଙ୍ଗ ପୁନିଆ କହିଛନ୍ତି ମୋତେ ଏ ପର୍ଯ୍ୟନ୍ତ ଏହା ବିଷୟରେ କୌଣସି ସୂଚନା ମିଳିନାହିଁ । ଯଦି ସରକାର ଏମିତି ନିଷ୍ପତି ନେଇଛନ୍ତି ତେବେ ଏହା ସ୍ୱାଗତଯୋଗ୍ୟ ପଦକ୍ଷେପ ।

ଉଲ୍ଲେଖନୀୟ ଯେବେଠୁ ସଞ୍ଜୟ ସିଂ ଭାରତୀୟ କୁସ୍ତି ମହାସଂଘ ନିର୍ବାଚନରେ ବିଜୟୀ ହେଲେ ଏବଂ ଅଧ୍ୟକ୍ଷ ହେଲେ ଏହାକୁ କୁସ୍ତି ଯୋଦ୍ଧାମାନେ ତୀବ୍ର ବିରୋଧ କରିଥିଲେ । ପହିଲମାନଙ୍କ କହିବା କଥା ସଞ୍ଜୟ ସିଂ ବିଜେପି ସାଂସଦ ବ୍ରିଜଭୂଷଣଙ୍କ ଘନିଷ୍ଠ ଲୋକ । ଏମିତିରେ ଡବ୍ଲ୍ୟୁଏଫଆଇରେ କୌଣସି ପ୍ରକାରର ସୁଧାରର ଆଶା କରାଯାଇ ପାରୁ ନାହିଁ । ତେବେ କୁସ୍ତି ମହାସଂଘର ମାନ୍ୟତାକୁ ଓ ସଞ୍ଜୟ ସିଂଙ୍କୁ ଯେଉଁଭଳି ଭାବେ ସସପେଣ୍ଡ କରାଯାଇଛି ତାହା ଅନ୍ୟ କାରଣ ପାଇଁ ହୋଇଥିବା କୁହାଯାଉଛି ।