ଭୁୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନକୁ ନେଇ ଜାତୀୟସ୍ତରଠୁ ନେଇ ରାଜ୍ୟସ୍ତରରେ ବିଜେପିର ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ଏହିକ୍ରମରେ ନୂଆଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ପଦାଧିକାରୀ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ରଣନୀତି ଉପରେ ଆଲୋଚନା ହୋଇଛି । ତେବେ ବୈଠକରେ ଓଡିଶାକୁ ଅଧିକ ଗୁରୁତ୍ୱ ଦିଆଯାଇଥିବା କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଲୋକସଭା ଓ ବିଧାନସଭାକୁ ନେଇ ଓଡିଶାରେ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ ହୋଇଛି । ଏଥର ୫୧ ପ୍ରତିଶତ ଭୋଟ୍ ହାତେଇବା ଆମର ଲକ୍ଷ୍ୟ ବୋଲି ବିଜେପି ରାଜ୍ୟ ସଭାପତି କହିଛନ୍ତି ।
ସେ କହିଛନ୍ତି, ରାଷ୍ଟ୍ରୀୟ ପଦାଧିକାରୀ ବୈଠକରେ ଓଡିଶାକୁ ଅଧିକ ଫୋକସ୍ ଦିଆଯାଇଛି । ବିଳମ୍ବିତ ରାତି ଯାଏ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ବୈଠକ ନେଇଥିଲେ । ନିର୍ବାଚନ ଦୃଷ୍ଟିକୋଣରୁ ସାଂଗଠନିକ ସ୍ଥିତିର ଆଲୋଚନା ହୋଇଛି । ୧୯ ଅପେକ୍ଷା ୨୪ରେ ରେକର୍ଡ ବିଜୟ ପାଇଁ ରଣନୀତି ହୋଇଛି । କଠିନ ପରିଶ୍ରମ କରି ତାହା କେମିତି କ୍ରିୟାନ୍ୱୟନ ହେବ ତାର ଆଲୋଚନା ହୋଇଛି । ଲୋକସଭା ଓ ବିଧାନସଭାରେ ଭିନ୍ନ ଭିନ୍ନ ରଣନୀତି ହେବ । ୫୧ ପ୍ରତିଶତ ଭୋଟ୍ ପାଇବା ହେଉଛି ଆମର ଟାର୍ଗେଟ । ଯେଉଁଠି ଯେତେ ଆବଶ୍ୟକ, ସେହି ଅନୁସାରେ ଟାର୍ଗେଟ୍ ସେଟ୍ କରାଯିବ । ଓଡିଶାକୁ ଅଧିକ ଗୁରୁତ୍ୱ ଦିଆଯିବ ଏବଂ କେନ୍ଦ୍ର ନେତୃତ୍ୱ ଖୁବ୍ ଶୀଘ୍ର ଓଡିଶା ଆସିବେ । ଏଥର ଓଡିଶାରେ ବିଜେପି ଭଲ ପ୍ରଦର୍ଶନ କରିବ ବୋଲି ସେ କହିଛନ୍ତି ।
ଗତକାଲି ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଦଳର ରଣନୀତି ଉପରେ ସଙ୍କେତ ଦେଇଥିଲେ । ସେ କହିଥିଲେ ପ୍ରତି ବୁଥରୁ ବିଜେପି ୫୦ ପ୍ରତିଶତରୁ ଅଧିକ ଭୋଟ୍ ପାଇବ।୧୦ ବର୍ଷ ଧରି କେନ୍ଦ୍ରରେ ଏକ ସ୍ଥିର ସରକାର ଥିବାରୁ ଦେଶର ବିକାଶ ଆଗକୁ ବଢ଼ି ଚାଲିଛି। ବେରୋଜଗାରୀ କମିଛି। ଲୋକଙ୍କ ଆୟ ବଢ଼ିଛି। କୃଷକଙ୍କ ଆୟ ବଢ଼ିଛି। ଦାରିଦ୍ର୍ୟ ସୀମାରେଖାରୁ ଉପରକୁ ଉଠି ଲୋକମାନେ ସମ୍ପନ୍ନତା ଆଡ଼କୁ ଯାଉଛନ୍ତି। ମୋଦି ସରକାର ଆସିବା ପରେ ମହିଳାଙ୍କ ସମ୍ମାନ ବୃଦ୍ଧି ପାଇଛି। ଏହାକୁ ଦ୍ରୁତ ବେଗରେ ଆଗକୁ ନେବାକୁ ହେଲେ ପୁଣି ଥରେ ଦେଶରେ ମୋଦି ସରକାର ଆସିବା ଦରକାର। ଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଶ୍ଵସନୀୟତା ୮୦ ପ୍ରତିଶତରୁ ଅଧିକ। ନିଶ୍ଚିତ ଭାବେ ୫୦ ପ୍ରତିଶତରୁ ଅଧିକ ଭୋଟ ମୋଦିଙ୍କୁ ମିଳିବ ବୋଲି ଧର୍ମେନ୍ଦ୍ର କହିଛନ୍ତି।