କଳାହାଣ୍ଡି, ୨୬/୧୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଧରମ ଗଡ଼ କାଂକେରି ଉଚ୍ଚ ବିଦ୍ୟାଳୟ ପରିସରରେ ଅଖିଳ ବିଶ୍ଵ ଗାୟତ୍ରୀ ପରିବାର , ଶାନ୍ତିକୁଞ୍ଜ , ହରିଦ୍ଵାରଙ୍କ ତତ୍ତ୍ଵାବଧାନ ଓ ଆଶୀର୍ବାଦ ତଥା ୨୪ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ କମିଟି , କାଙ୍କେରିଙ୍କ ସହଯୋଗ ରେ ଭୂମି ପୂଜନ ଓ ଦେବ ଦମ୍ପତି ସମ୍ମିଳନୀ ଅନୁଷ୍ଟିତ ହୋଇଯାଇଛି। ଏଥିରେ ଓଡ଼ିଶାର କୋଣ ଅନୁକୋଣରୁ ଶ୍ରଦ୍ଧାଳୁଙ୍କ ସମାବେଶ ହୋଇଥିଲା। ଶାନ୍ତିକୁଞ୍ଜ ପ୍ରେରିତ ଦେବ ସଂସ୍କୃତି ବିଶ୍ୱବିଦ୍ୟାଳୟର ଛାତ୍ରୀ ତଥା ବରଗଡ଼ ପ୍ରଶାନ୍ତ ଟୋଲି ଦ୍ବାରା ମଞ୍ଚ ପରିଚାଲନା କରାଯାଇଥିଲା । ସକାଳ ସମୟ ୯.୦୦ ରୁ ସତସଙ୍ଗ ଆରମ୍ଭ ହୋଇ ଥିବା ବେଳେ ୧୨.୦୦ ଟାରେ ଭୂମି ପୂଜନ ହୋଇ ଥିଲା। ଆଖପାଖ ଅଞ୍ଚଳରୁ ଯୋଗ ଦାନ କରି ଥିବା ପ୍ରାୟ ଚାରିଶହ ଦମ୍ପତିଙ୍କୁ ନେଇ “ଦେବଦମ୍ପତି ସମ୍ମିଳନୀ” ହୋଇ ଥିଲା । ୨୦୦୦ ଉର୍ଦ୍ଧ୍ଵ ଶ୍ରଦ୍ଧାଳୁ ଯୋଗଦାନ କରିଥିଲେ । ପରେ ମା ଭଗବତୀ ଭୋଜନାଳୟରେ ଅନ୍ନପ୍ରସାଦ ସେବନ କରାଯାଇଥିଲା । ଆସନ୍ତା ଯୁଗ ନିର୍ମାଣକାରି ମହାଯଜ୍ଞ କିପରି ସଫଳ ହେବ ତାର ଆଶୀର୍ବାଦ ଗୁରୁଦେବଙ୍କ ଠାରୁ ଭିକ୍ଷା କରାଯାଇଥିଲା। ଅପରାହ୍ନ ଚାରିଟା ସମୟରେ ଟୋଳି ବିଦାୟୀ ସହ କାର୍ଯ୍ୟକ୍ରମ ସମାପନ କରାଯାଇଥିଲା ।