ବିଜେଡି ପାଳୁଛି ପ୍ରତିଷ୍ଠା ଦିବସ, ଆନନ୍ଦ ଭବନରୁ ବାହାରିଲା ବିଶାଳ ସାଇକେଲ ଶୋଭାଯାତ୍ରା


ଆଜି ବିଜେଡିର ପ୍ରତିଷ୍ଠା ଦିବସ । ୨୭ବର୍ଷରେ ପଦାର୍ପଣ କରିଛି ବିଜୁ ଜନତା ଦଳ । ସମସ୍ତ ନିର୍ବାଚନ ମଣ୍ଡଳୀ, ବ୍ଲକ ଓ ପୌରାଞ୍ଚଳରେ ୨୭ତମ ପ୍ରତିଷ୍ଠା ସମାରୋହ ପାଳନ କରାଯାଉଛି । ଏହି ଅବସରରେ ଗଣଦୌଡ଼ ସହ ସାଇକେଲ ରାଲି ପରି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ସକାଳ ୮ଟାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମସ୍ଥାନ କଟକ ଆନନ୍ଦ ଭବନରୁ ଭୁବନେଶ୍ବର ବିମାନବନ୍ଦର ନିକଟରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଯାଏଁ ବିଶାଳ ସାଇକେଲ ଶୋଭାଯାତ୍ରା ବାହାରିଛି । ଏହି ସାଇକେଲ ଯାତ୍ରାରେ ପ୍ରଣବ ପ୍ରକାଶ ଦାଶ, ବିଜେଡିର ପ୍ରମୁଖ ନେତା ଓ କର୍ମୀ ଯୋଗ ଦେଇଛନ୍ତି।

ସେହିପରି ଶଙ୍ଖ ଭବନ ସମେତ ବିଭିନ୍ନ ସ୍ଥାନରେ ମେଗା ରକ୍ତଦାନ ଶିବିରର ଆୟୋଜନ କରାଯାଉଛି । ବିଜୁ ବାବୁଙ୍କ ଆଦର୍ଶରେ ଗଠନ ହୋଇଥିବା ବିଜେଡି ରାଜ୍ୟ ତଥା ରାଜ୍ୟବାସୀଙ୍କ ବିକାଶର ଆଭିମୁଖ୍ୟ ନେଇ କାମ କରୁଥିବାରୁ ବାରମ୍ବାର ଜନ ଆର୍ଶୀବାଦ ଲାଭ କରିଛି । ୨୬ ବର୍ଷ ଭିତରେ ଲୋକଙ୍କ ସେବା ଓ ଓଡ଼ିଶାର ବିକାଶ କରି ଆସୁଥିବା ବିଜେଡି ରାଜନୈତିକ କାର୍ଯ୍ୟକ୍ରମ ସହିତ ସାମାଜିକ ଅଙ୍ଗୀକାରବଦ୍ଧତା ପାଇଁ ଅନ୍ୟ ସର୍ବଭାରତୀୟ ଦଳ ଓ ଆଞ୍ଚଳିକ ଦଳମାନଙ୍କ ଭିତରେ ସ୍ବତନ୍ତ୍ର ସ୍ଥାନ ପାଇଛି ।