କଳାହାଣ୍ଡି, ୨୯/୧୨ (ଜଗନ୍ନାଥ ନାଏକ)) : ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହ ରେ କଳାହାଣ୍ଡି ଲୋକସଭା ସାଂସଦ ଶ୍ରୀ ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ୨୦୨୩-୨୪ ବର୍ଷର ଦ୍ଵିତୀୟ ଦିଶା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଧର୍ମଗଡ ବିଧାୟକ ମୌଷଦି ବାଗ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର କୁମାର ସିଂହଦେଓ , ଜିଲ୍ଲାପାଳ ପୀ ଅନ୍ୱେଷା ରେଡ୍ଡୀ, ମୂଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ସଚିନ ପାୱାର ପ୍ରକାଶ,ସଦର ବିଧାୟକ ପ୍ରତିନିଧି ମନୋଜ ସାହୁ, ନର୍ଲା ବିଧାୟକ ପ୍ରତିନିଧି ସୁଧୀର ମହାନ୍ତି,ଅତିରିକ୍ତ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଶ୍ରୀ ବିରଞ୍ଚି ନାରାୟଣ ଦର୍ୱାନ୍ ପ୍ରମୁଖ ଯୋଗ ଦେଇଥିଲେ ।ଏହା ସହିତ ବୈଠକରେ , ବ୍ଲକ୍ ଅଧ୍ୟକ୍ଷ,ସରପଞ୍ଚ, ଏନ୍ ଏ ସି ଅଧ୍ୟକ୍ଷ, ଭବାନୀପାଟଣା ପୌରପାଳିକା ଅଧ୍ୟକ୍ଷା, ଏନ୍ ଜି ଓ କର୍ମକର୍ତ୍ତା ଓ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।
ପ୍ରଥମେ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ,କଳାହାଣ୍ଡି “ଦିଶା” ବୈଠକରେ ଉପସ୍ଥିତ ସମସ୍ତଙ୍କୁ ସ୍ଵାଗତ କରି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ର ଯୋଜନା ଓ ରାଜ୍ୟ ଯୋଜନା ର ସଫଳ ରୂପାୟନ ଉପରେ ଗୁରୁତ୍ବ ଦେଇ ଜନ ପ୍ରତିନିଧି ଏବଂ ସଭା ଅଧ୍ୟକ୍ଷ ଙ୍କ ଉପସ୍ଥାପିତ ବିଭିନ୍ନ ପ୍ରଶ୍ନ ଅଭିଯୋଗ ଉପରେ ସଠିକ୍ ମତ ରଖିବାକୁ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀଙ୍କୁ କହିଥିଲେ। ଦିଶା ଅଧ୍ୟକ୍ଷ ଶ୍ରୀ ପଣ୍ଡା କେନ୍ଦ୍ରୀୟ ଅନୁଦାନ ଓ ଖର୍ଚ୍ଚ ର ମୂଲ୍ୟାଙ୍କନ, ବିଭିନ୍ନ ସ୍କିମ୍ ର ସଫଳତା ଓ ବିଫଳତା, ଲକ୍ଷ୍ୟ ଧାର୍ଯ୍ୟ ବିଫଳତା ର କାରଣ ଓ ତର୍ଜମା ଉପରେ ଆଲୋଚନା କରିବାପାଇଁ କହିବା ସହ ଏଜେଣ୍ଡା ଅନୁଯାୟୀ ସଂପୃକ୍ତ ଅଧିକାରୀ ଙ୍କୁ ପ୍ରଶ୍ନ କରିଥିଲେ।ବୈଠକରେ ସାଂସଦ ଶ୍ରୀ ପଣ୍ଡା କେନ୍ଦ୍ରୀୟ ସ୍କିମ୍ ମନରେଗା,ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା, ଏନ୍ ଏସ୍ ଏଫ୍ ଏ,ପ୍ରଧାନମନ୍ତ୍ରୀ ଆବାସ ଯୋଜନା( ଗ୍ରାମୀଣ ଓ ସହର),ଜାତୀୟ ପାନୀୟ ଜଳ ଯୋଜନା,ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନା, ଦିନ୍ ଦୟାଲ ଉପାଧାୟ ଗ୍ରାମ୍ୟ ଜ୍ୟୋତି ଯୋଜନା,ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ଏନ୍ ଏଚ ଏମ, ଆଇ ସି ଡ଼ି ଏସ୍,,ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଲା ଯୋଜନା,କୃଷି ସ୍ବାସ୍ଥ୍ୟ କାର୍ଡ,କୌଶଳ ବିକାଶ ଯୋଜନା, ଜନ ସେବା କେନ୍ଦ୍ର,ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା, ଟେଲିକମ , ରେଲୱେ ସମ୍ପର୍କିତ ଜିଲ୍ଲା ସ୍ତରରେ ବିଭିନ୍ନ ବିଭାଗ ଦ୍ଵାରା କରାଯାଉଥିବା ଏହି ଉପରୋକ୍ତ ସ୍କିମ୍ ରେ ଲାଭ ପାଉଥିବା ହିତାଧିକାରୀ, ସ୍କିମ୍ ର ଅଗ୍ରଗତି,ସଫଳତା, ଲକ୍ଷ୍ୟ ଧାର୍ଯ୍ୟ ପୂରଣ ଉପରେ ସମୀକ୍ଷା କରିଥିଲେ। ସାଂସଦ ଶ୍ରୀ ପଣ୍ଡା ସି ଡି ଏ ଓ, ଡି ଆର୍ ସି ଏସ, ସି ଏସ ଓ ଙ୍କୁ ଜିଲ୍ଲାରେ ଧାନ ସଂଗ୍ରହଣ,ଅଭାବୀ ବିକ୍ରି, ଟୋକନ୍ ସମସ୍ୟା, ମଣ୍ଡି ସମସ୍ୟା, ଛତିଶଗଡ଼ କୁ ଧାନ ଚୋରାଚାଲାଣ ଉପରେ ବିଭିନ୍ନ ପ୍ରଶ୍ନ ପଚାରି ଏହାର ଉତ୍ତର ଚାହିଁଥିଲେ।
ଜିଲ୍ଲାରେ ମନରେଗା ଯୋଜନାରେ ୧୩ ଟି ବ୍ଲକରେ ୨୦୨୩-୨୪ରେ ୪୭୮୯ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇ ୧୫୭୪୨୭ ପରିବାର ହିତାଧକାରୀ କାମ ପାଇଛନ୍ତି ଏବଂ ୨୧୧୭୭ ପରିବାର ୧୦୦ ଦିନ କାମ ସଂପୂର୍ଣ୍ଣ କରିଛନ୍ତି। ସେଭଳି ଜମି ରେକର୍ଡ ଆଧୁନୀକରଣ ରେ କଳାହାଣ୍ଡି, ଧର୍ମଗଡ,ଏମ ରାମପୁର ,ଥୁଆମୁଲ ରାମପୁର ,ଜୟପାଟଣା ତହସିଲ କୁ ନିଆଯାଇଛି ।
ଗ୍ରାମ୍ୟ ବିଦ୍ୟୁତିକରଣ ରେ ପୂର୍ବ ଡିଭିଜନ ରେ ଦିନ ଦୟାଲ ଗ୍ରାମ୍ୟ ଜ୍ୟୋତି ଯୋଜନା ଅନ୍ତର୍ଗତ ୫୬୧ ଟି ଗ୍ରାମର ୧୬୧୯୮ ପରିବାର ଏବଂ ସୌଭାଗ୍ୟ ଯୋଜନାରେ ୫୨୦ ଟି ଗ୍ରାମର ୩୩୦୮୦ ପରିବାର ଓ ପଶ୍ଚିମ ଡିଭିଜନ ରେ ଦିନ ଦୟାଲ ଗ୍ରାମ୍ୟ ଜ୍ୟୋତି ଯୋଜନାରେ ୫୪୮ ଟି ଗ୍ରାମର ୩୯୭୦୮ ପରିବାର ଓ ସୌଭାଗ୍ୟ ଯୋଜନାରେ ୭୪୨ ଟି ଗ୍ରାମର ୫୯୧୨୭ ପରିବାରଙ୍କୁ ବିଦ୍ୟୁତ୍ ସଂଯୋଗ ଦିଆଯାଇଛି।ଦିନଦୟାଲ ଗ୍ରାମ୍ୟ କୌଶଳ ଯୋଜନାରେ ୨୦୧୫ ରୁ ୨୦୨୨-୨୩ ପର୍ଯ୍ୟନ୍ତ ବିଭିନ୍ନ ଟ୍ରେଡ ରେ ୫୬୭୬ ଜଣ କର୍ମ ନିଯୁକ୍ତି ପାଇଛନ୍ତି। ମଧ୍ୟାହ୍ନ ଭୋଜନରେ ୧୩ ଟି ବ୍ଲକ ରେ ୨୧୬୬ ଟି ସ୍କୁଲ ୧୮୬୭୪୬ ଜଣ ଛାତ୍ର ଛାତ୍ରୀ ଉପକୃତ ହେଉଛନ୍ତି।ସ୍ବାସ୍ଥ୍ୟ ବିଭାଗ ରେ ବର୍ତ୍ତମାନ ୬୦୯ ଅନୁମୋଦିତ ପଦବୀ ରୁ ୨୧୦ ଜଣ ଡାକ୍ତର, ଆୟୁଷ ଡାକ୍ତର ୫୬ ରୁ ୪୬ ଜଣ,ଷ୍ଟାଫ ନର୍ସ ୫୯୨ ରୁ ୨୨୭ ଜଣ କାର୍ଯ୍ୟରତ ଅଛନ୍ତି। ସାଂସଦ ଶ୍ରୀ ପଣ୍ଡା ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ ଆସିଥିବା ଅନୁଦାନ ଅର୍ଥ , କାର୍ଯ୍ୟ ନିର୍ବାହ, ଲକ୍ଷ୍ୟ ପୁରଣ ଉପରେ ସବିଶେଷ ସମୀକ୍ଷା କରିଥିଲେ।
ଜିଲ୍ଲାରେ ବେଦାନ୍ତ ଆଲୁମିନା ପକ୍ଷରୁ ବିଭିନ୍ନ ପଦବୀରେ କଳାହାଣ୍ଡି ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ଦେବାରେ କାହିଁକି ଅବହେଳା କରୁଛି ଏବଂ ଏଥିପାଇଁ ବହୁତ ଯୁବକ ଯୁବତୀ ବାହାର ରାଜ୍ୟକୁ ଯାଉଛନ୍ତି ବୋଲି କହିଥିଲେ। କଳାହାଣ୍ଡି ର ସାମଗ୍ରିକ ବିକାଶ ପାଇଁ କେନ୍ଦ୍ର ସହ ରାଜ୍ୟର ଅନୁଦାନ ଅର୍ଥ ର ସଠିକ୍ ବିନିଯୋଗ ,ଜିଲ୍ଲାର ଲୋକଙ୍କ ସର୍ବନିମ୍ନ ଆବଶ୍ୟକତା କୁ ଅଗ୍ରାଧିକାର ଦେଇ ସମସ୍ତେ ଚେଷ୍ଟା ସହ ଆନ୍ତରିକ ଉଦ୍ୟମ କଲେ ଏହି ସବୁ ଯୋଜନା ର ହିତାଧିକାରୀ ନିଶ୍ଚୟ ପାଇପାରିବେ ବୋଲି ସାଂସଦ କହିଥିଲେ।ବୈଠକରେ ଦୁର୍ଗମ ଅଞ୍ଚଳ ରେ ମୋବାଇଲ ଓ ନେଟ୍ ଟାୱାର, ଥୁଆମୂଲ୍ ରାମପୁର , ଲାଞ୍ଜିଗଡ ଅଞ୍ଚଳରେ ଅଧିକ ବ୍ୟାଙ୍କ୍ ଶାଖା,ଫସଲ ବୀମା,କ୍ଷୁଦ୍ର ଜଳ ସେଚନ, ପୋଷଣ ଯୋଜନା, ଉର୍ଲାଦାନି ପଞ୍ଚାୟତ ରେ ୧୬ ଟି ଗ୍ରାମରେ ସୋଲାର ବିଦ୍ୟୁତିକରଣ, ଗ୍ରାମ୍ୟ ଉନ୍ନୟନ ଦ୍ବାରା ଗ୍ରାମ ସଂଯୋଗିକରଣ ରାସ୍ତା ଉପରେ ମଧ୍ୟ ଆଲୋଚନା ହୋଇଥିଲା।