ରାଜ୍ୟରେ କଣ ଓଡିଆ କଂଟ୍ରାକ୍ଟର ନାହାନ୍ତି, ୮୫ ପ୍ରତିଶତ କାମ ଅଣ ଓଡିଆ କଂଟ୍ରାକ୍ଟରଙ୍କୁ କାହିଁକି ଦିଆଯାଉଛି; ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଅପରାଜିତା


ଭୁୁବନେଶ୍ୱର: ରାଜ୍ୟରେ ବଡ ବଡ ପ୍ରଜେକ୍ଟରେ ଅଣ ଓଡିଆ କଂଟ୍ରାକ୍ଟଙ୍କର ପ୍ରାଦୁର୍ଭାବ ବଢିବାରେ ଲାଗିଛି । ଓଡିଶାର କଂଟ୍ରାକ୍ଟରମାନଙ୍କୁ ହତାଦର କରାଯାଉଛି । ଏହାକୁ ନେଇ ଜନମାନସରେ ବି ପ୍ରଶ୍ନ ଉଠିଲାଣି । ଆଉ ଏବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ରାଜ୍ୟରେ ଅଣ ଓଡିଆ କଂଟ୍ରାକ୍ଟରଙ୍କ ପ୍ରତି ରାଜ୍ୟ ସରକାରଙ୍କ ଅହେତୁକ ଅନୁକମ୍ପାକୁ ନେଇ ଟାର୍ଗେଟ୍ କରିଛନ୍ତି । ଓଡିଶାରେ କଣ ଓଡିଆ କଂଟ୍ରାକ୍ଟର ନାହାନ୍ତି ବୋଲି ସେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।

ନିକଟରେ ଏକ ଜନସଭାକୁ ସମ୍ବୋଧିତ କରି ଅପରାଜିତ ଷଡଙ୍ଗୀ କହିଛନ୍ତି, ଓଡିଶାରେ ଓଡିଶା ବ୍ରିଜ କନଷ୍ଟ୍ରକ୍ସନ କର୍ପୋରେସନ(ଓବିସିସି) ରହିଛି । ଏହା ଟେଣ୍ଡର କରାଏ ଏବଂ ବଡ ବଡ ପ୍ରଜେକ୍ଟର କାମ କରାଏ । ତେବେ ଓବିସିସି ରାସ୍ତା ହେଉ କି ସେତୁ ଯେତେ ସବୁ ବଡ ପ୍ରକଳ୍ପ ମଧ୍ୟରୁ ୮୫ ପ୍ରତିଶତ କାମ ଅଣ ଓଡିଆ କଂଟ୍ରାକ୍ଟରଙ୍କୁ ଦିଆଯାଇଛି । ଏହା ବହୁତ ବଡ ଆଶ୍ଚର୍ଯ୍ୟର କଥା । ମୁଁ ମୋର ୨୪ ବର୍ଷର ପ୍ରଶାସନିକ କାର୍ଯ୍ୟରେ ରାଜ୍ୟରେ ଏହି ଅବସ୍ଥା ନ ଥିଲା। ଯାହା ଗତ ୫/୬ ବର୍ଷ ଭିତରେ ଓଡିଶାର ଗଭର୍ଣ୍ଣାସ ବଡିର ଅଧୋଗତି ହୋଇଛି । ବଡ ବଡ ପ୍ରକଳ୍ପର କାମ ଅଣ ଓଡିଆ କଂଟ୍ରାକ୍ଟରଙ୍କ ହାତରେ ଟେକି ଦିଆଯାଉଛି ।

ମୋର ପ୍ରଶ୍ନ ଅଣ ଓଡିଆ କଂଟ୍ରାକ୍ଟରଙ୍କ ପ୍ରତି ରାଜ୍ୟ ସରକାର କାହିଁକି ଏତେ ଆନୁଗତ୍ୟ ଦେଖାଉଛନ୍ତି । କଣ ଓଡିଶାରେ କଂଟ୍ରାକ୍ଟର ନାହାନ୍ତି । ଏହି ଓଡିଆ କଂଟ୍ରାକ୍ଟର ସଚିବାଳୟ, ବିଧାନସଭା ଏବଂ କେତେ ବଡ ବଡ ପ୍ରଜେକ୍ଟ କରିଛନ୍ତି । କିନ୍ତୁ ବିଡମ୍ବନାର କଥା ଓଡିଆ କଂଟ୍ରାକ୍ଟରଙ୍କ ବଦଳରେ ୮୫ ପ୍ରତିଶତ ଅଣ ଓଡିଆ କଂଟ୍ରାକ୍ଟରଙ୍କୁ କାମ ଦିଆଯାଉଥିବା କଥାକୁ ଆପଣମାନେ ମନେ ରଖନ୍ତୁ ବୋଲି ଅପରାଜିତ ଉପସ୍ଥିତ ଜନ ସମୁଦାୟକୁ କହିଛନ୍ତି ।