ରାଜ୍ୟପାଳଙ୍କ ଗତିବିଧିରୁ ସ୍ପଷ୍ଟ ସଙ୍କେତ, ଏବେ କମିବ ତୃତୀୟ ମହଲାର ଦବଦବା ! ଉତରଦାୟୀରୁ ମୁକୁଳି ପାରିବେନି ରାଜ୍ୟ ସରକାର


ଭୁବନେଶ୍ୱର: ଯୋଜନା ଉପରେ ଯୋଜନା ହେଉଛି । ହେଲେ ଏହାର ଲାଭ ତଳସ୍ତରର ଲୋକ ପର୍ଯ୍ୟନ୍ତ ପହଂଚୁଛି କି ନାହିଁ, ତାହା କହିବା ବଡ ମୁସ୍କିଲ । କହିବାକୁ ଗଲେ ବିଜ୍ଞାପନ ଓ କାଗଜ କଲମରେ ଜନତାଙ୍କ ସର୍ବାଙ୍ଗୀନ ଉନ୍ନତି ସୀମିତ ହୋଇ ରହି ଯାଉଛି । ଆଉ ରାଜ୍ୟ ସରକାରଙ୍କୁ କିଏ ପ୍ରଶ୍ନ କରିବ ଏବଂ କେଉଁ ମଂଚରେ ପ୍ରଶ୍ନ କଲେ ତାହା ରାଜ୍ୟ ସରକାରଙ୍କ କାନକୁ ଯିବ ତାହାର କିଛି ବ୍ୟବସ୍ଥା ଅଛି ବୋଲି ହୃଦୟଙ୍ଗମ ହେଉନି । ସେଥିପାଇଁ ଓଡିଶାରେ ତୃତୀୟ ମହଲାର ଛତ୍ରଛାୟା ତଳେ ପ୍ରଶାସନିକ ଅଧିକାରୀମାନେ ମନମୁଖୀ କାମ କରିବାରେ ଲାଗିଛନ୍ତି । ବଡ ବଡ ବିଜ୍ଞାପନ ଦେଇ ଲୋକଙ୍କୁ ଭୂଆଁ ବୁଲାଇବାର ଅପପ୍ରୟାସ କରାଯାଉଥିବା ମଧ୍ୟ ଦେଖିବାକୁ ମିଳୁଛି । ତେବେ ଗତ କିଛି ଦିନରେ ରାଜ୍ୟରେ ତଥା ରାଜନୀତିରେ ଏକ ବିରଳ ଚିତ୍ର ଦେଖିବାକୁ ମିଳୁଛି । ଯାହା ଦେଖିଲେ ଲାଗୁଛି ଲାଗୁଛି ୨୦୨୪ରୁ ରାଜ୍ୟ ସରକାରଙ୍କୁ ଉତରଦାୟୀ ହେବାକୁ ପଡିବ । କାରଣ ଖୋଦ୍ ରାଜ୍ୟପାଳ ମହୋଦୟ ଜିଲ୍ଲା ପରେ ଜିଲ୍ଲା ଗସ୍ତ କରି ଲୋକଙ୍କ ତୃଣମୂଳସ୍ତରର ସମସ୍ୟା ପଚାରି ବୁଝୁଛନ୍ତି । ଯାହା ନିଶ୍ଚିତ ରୂପେ ସରକାରୀ ଅଧିକାରୀବାବୁଙ୍କୁ ଅକଳରେ ପକାଇବ ।

ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ ନିକଟରେ ଓଡିଶାର ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ତା ପରଠୁ ସେ ପ୍ରତି ଦିନେ କିମ୍ବା ଦୁଇ ଦିନରେ ଗୋଟିଏ ଲେଖାଏଁ ଜିଲ୍ଲା ଗସ୍ତ କରୁଛନ୍ତି । ଯେଉଁଠି ଗତ କିଛି ମାସରେ ରାଜ୍ୟ ସରକାର ଅଭିଯୋଗ ଶୁଣାଣି ନାଁରେ ଏକ ମହୋତ୍ସବ କରି କୋଟି କୋଟି ଖର୍ଚ୍ଚ କଲେ ସେଠି ରାଜ୍ୟପାଳ ମହୋଦୟ ବେଶ ଚୁପଚାପର ସହ ବିନା କୌଣସି ପଟୁଆର ଏବଂ ପ୍ରଟୋକଲ ଜନ ଶୁଣାଣୀ କରି ଲୋକଙ୍କ ସହ ସିଧାସଳଖ କଥା ହୋଇ ସମସ୍ୟା ବିଷୟରେ ପଚାରି ବୁଝୁଛନ୍ତି । ଫାଇଭ-ଟି ସଚିବ ଥିବା ସମୟରେ ଭିକେ ପାଣ୍ଡିଆନ ସିଏମଓ ପକ୍ଷରୁ ଯେଉଁଭଳି ଭାବେ ପାଣି ଭଳି ଟଙ୍କା ଖର୍ଚ୍ଚ କରି ଜନ ଶୁଣାଣି କଲେ, ହେଲିକପ୍ଟରରେ ଉଡିଲେ, ବିଶାଳ ସଭା ଆୟୋଜନ କଲେ, ସେଥିରେ ଲୋକଙ୍କ ସମସ୍ୟା କେତେ ଦୂର ହୋଇଛି ତାହା ସେହି ଲୋକେ କହିଁ ଜାଣିଥିବେ । ରାଜ୍ୟ ସରକାର ଭାବି ନେଇଥିବେ ଏହି ଭଳି କରି ସେ ନିର୍ବାଚନୀ ବୈତରଣୀ ପାରି ହୋଇଯିବେ ଏବଂ କେହି ତାଙ୍କୁ ପ୍ରଶ୍ନ କରିବେନି । କିନ୍ତୁ ଏବେ ରାଜ୍ୟପାଳ ରଘୁବର ଦାସ ଯେଉଁଭଳି ଭାବେ ଜନ ଶୁଣାଣି କରୁଛନ୍ତି ତାହା ଲୋକଙ୍କ ନିକଟକୁ ବାର୍ତା ଯାଉଛି ଯେ, ସେମାନଙ୍କ ନିକଟରେ ଅଭିଯୋଗ କରିବାର ଏକ ବିକଳ୍ପ ଖୋଲା ରହିଛି । କାରଣ ରାଜ୍ୟପାଳ ଜିଲ୍ଲା ପରେ ଜିଲ୍ଲା ଗସ୍ତ କରି ଜନତାଙ୍କ ସହ ସିଧାସଳଖ ମିଶୁଛନ୍ତି ।

ଏହି ଜନ ଶୁଣାଣିରେ ସେ କେନ୍ଦ୍ର ସରକାର ଯେଉଁ ଯୋଜନା କରିଛନ୍ତି, ତାର ଫାଇଦା ସେମାନେ ପାଉଛନ୍ତି ନା ନାହିଁ ତାହା ମଧ୍ୟ ପଚାରି ବୁଝୁଛନ୍ତି । କେନ୍ଦ୍ର ସରକାର ଯେଉଁଭଳି ଭାବେ ରାଜ୍ୟ ସରକାରଙ୍କୁ ଅନୁଦାନ ଦେଇ ଚାଲିଛନ୍ତି, ତାର ସଫଳ ରୂପାୟନର ଲାଭ ଜନତାଙ୍କ ନିକଟକୁ ପହଂଚୁଛି କି ନାହିଁ ତାର ଆକଳନ ମଧ୍ୟ କରୁଛନ୍ତି ରାଜ୍ୟପାଳ । ନିକଟରେ ସେ ପୁରୀ ଜିଲ୍ଲାର ସୁଆର ଗ୍ରାମରେ ରାଜ୍ୟପାଳ ଜନ ଶୁଣାଣି କରିଥିଲେ । ସେଠାରେ ସେ ପ୍ରଥମେ କୃଷକଙ୍କୁ ନେଇ ଏକ ବୈଠକ କଲେ । ପିଏମ କିଷାନ ଯୋଜନା ଏବଂ ଫସଲ ବୀମା ଯୋଜନାରେ ସେମାନେ ଉପକୃତ ହେଉଛନ୍ତି ନା ନାହିଁ ତାହା ପଚାରି ବୁଝିଛନ୍ତି । ଯେଉଁ କୃଷକ ସମସ୍ୟାକୁ ନେଇ ରାଜ୍ୟ ସରକାର ଏ ଯାଏ ଜୁଝୁଛନ୍ତି, ସେହି ସମସ୍ୟା ଉପରେ ଏବେ ହାତ ଦେଇଛନ୍ତି ରାଜ୍ୟପାଳ । ଏପରିକି ରାଜ୍ୟ ସରକାରଙ୍କ ଯୋଜନାର ଲାଭ ଜନତାଙ୍କୁ ମିଳୁଛି କି ନାହିଁ ତାହା ସିଧାସଳଖ କଥା ହୋଇ ପଚାରୁଛନ୍ତି ଏବଂ ସମସ୍ୟା ଶୁଣୁଛନ୍ତି । ପୁରୀ ଜିଲ୍ଲାର ସୁଆର ଗ୍ରାମରେ ରାଜ୍ୟପାଳ କରିଥିବା ଜନ ଶୁଣାଣିରେ ଅତିରିକ୍ତ ଜିଲ୍ଲାପାଳ କେନ୍ଦ୍ର ସରକାରଙ୍କ ହର ଘର ଯୋଜନାର ଉତର ଦେଇ ପାରି ନ ଥିଲେ । ଏଥିରୁ ଲାଗୁଛି ରାଜ୍ୟର ତୃତୀୟ ମହଲାର ଆନୁଗତ୍ୟରେ ପ୍ରଶାସନିକ ବାବୁ ମାନେ କିଭଳି ମନମୁଖୀ କାମ କରୁଛନ୍ତି ।

ରାଜ୍ୟପାଳ ଚୁପଚାପ ଏଭଳି ଜନ ଶୁଣାଣି କରିବା ଏବଂ ଲୋକଙ୍କ ଅଭିଯୋଗ ଓ ସମସ୍ୟାକୁ ଗ୍ରହଣ କରିବା ନିଶ୍ଚିତ ଭାବେ ରାଜ୍ୟ ସରକାରଙ୍କୁ ଅଡୁଆରେ ପକାଇପାରେ । କାରଣ ରାଜ୍ୟ ସରକାର ଭାବୁଥିଲେ ତାଙ୍କୁ ପ୍ରଶ୍ନ କରିବାକୁ କେହି ନାହାନ୍ତି । କାରଣ ଚିରାଚରିତ ଭାବେ ରାଜ୍ୟପାଳମାନେ କେବଳ ଉଦଘାଟନୀ ଏବଂ ଉଦଯାପନୀ ସମାରୋହରେ ଯୋଗ ଦେଇ ନିଜର କାମ ସାରୁଥିଲେ । କିନ୍ତୁ ରଘୁବର ଦାସଙ୍କ କ୍ଷେତ୍ରରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ସେ ଯେଉଁଭଳି ଭାବେ ଲୋକଙ୍କ ପାଖକୁ ଯାଇ ସମସ୍ୟା ପଚାରି ବୁଝୁଛନ୍ତି ସେଥିରେ ରାଜ୍ୟ ସରକାରଙ୍କ ବିକାଶର ଅସଲ ରୂପ ପଦାକୁ ଆସିବାର ଯଥେଷ୍ଟ ସମ୍ଭାବନା ରହିଛି । ଏହି କାମରେ ରାଜ୍ୟପାଳ ନିଜର ପ୍ରଟୋକଲ ବି ଭାଙ୍ଗୁ ନାହାନ୍ତି । ଚିତ୍ର ସ୍ପଷ୍ଟ ଏବଂ ଅନୁମେୟ କରାଯାଇ ପାରିବ ଯେ, ଏବେ ତୃତୀୟ ମହଲାର ମନମୁଖୀ କାମ ଚଳିବନି । ରାଜ୍ୟପାଳଙ୍କ ଗତିବିଧିରୁ ଏହି ସଙ୍କେତ ମିଳୁଛି ଯେ, ତୃତୀୟ ମହଲାର ଦବଦବା ଏବେ କମିବା ଆରମ୍ଭ ହେବ ଏବଂ ରାଜଭବନର ଦବଦବା ବଢିବ । ଆଉ ରାଜ୍ୟ ସରକାର ୨୦୨୪ଠୁ ଉତରଦାୟୀ ହେବେ ।