ତିନି ରାଜ୍ୟରେ ହାରିବା ପରେ ତ୍ୟାଗ କରିବାକୁ ପ୍ରସ୍ତୁତ କଂଗ୍ରେସ, ଏବେ ମିଶନ ୨୫୫ ଉପରେ କରିବ କାମ


ନୂଆଦିଲ୍ଲୀ: ହିନ୍ଦୀ ଭାଷାଭାଷୀ ତିନି ରାଜ୍ୟରେ ଶୋଚନୀୟ ପରାଜୟ ପରେ କଂଗ୍ରେସର ଆଭିମୁଖ୍ୟ ଇଣ୍ଡିଆ ମେଂଟରେ ସିଟ୍ ବଂଟନକୁ ନେଇ ନରମ ପଡିଛି। ଗୁରୁବାର ଦିଲ୍ଲୀରେ ମେଂଟ ଓ ସିଟ୍ ବଂଟନକୁ ନେଇ ଦିଲ୍ଲୀରେ ବରିଷ୍ଠ ନେତାଙ୍କ ବୈଠକ ବସିଥିଲା । ଏହି ମିଟିଂରେ ଗୋଟିଏ ପଟେ ରାହୁଲ ଗାନ୍ଧୀଙ୍କ ଭାରତ ନ୍ୟାୟ ଯାତ୍ରାର ନାମ ବଦଳାଇବା ଉପରେ ମୋହର ବାଜିଥିବା ବେଳେ ସିଟ୍ ବଂଟନକୁ ନେଇ ମଧ୍ୟ କଂଗ୍ରେସ ବଡ ହୃଦୟ ଦେଖାଇବାକୁ ସହମତି ପ୍ରଦାନ କରିଛି । କଂଗ୍ରେସ ସୂତ୍ର ଅନୁଯାୟୀ, ପାର୍ଟି ୨୫୫ ଲୋକସଭା ସିଟ୍ ଟାର୍ଗେଟ୍ କରିବାକୁ ନିଷ୍ପତି ନେଇଛି । ଯଦି ଏମିତି ହୁଏ ତେବେ କଂଗ୍ରେସ ୨୦୧୯ ତୁଳନାରେ କମ ସିଟରେ ନିର୍ବାଚନ ଲଢିବ । ମିଟିଂରେ ଏହା ମଧ୍ୟ ନିଷ୍ପତି ହୋଇଛି ଯେ, ଇଣ୍ଡିଆ ମେଂଟରେ ସିଟ୍ ବଂଟନ ନେଇ ମଧ୍ୟ ଆଲୋଚନା ଖୁବ୍ ଶୀଘ୍ର ଆରମ୍ଭ ହେବ ।

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ସାଧାରଣ ସଂପାଦକ କେସି ବେଣୁଗୋପାଳ ୫ ଜଣିଆ ମେଂଟ କମିଟିକୁ ଭେଟିଛନ୍ତି । କୁହାଯାଉଛି କଂଗ୍ରେସର ବରିଷ୍ଠ ନେତା କେଉଁ ରାଜ୍ୟରୁ ଦଳ କେତେ ସିଟରେ ନିର୍ବାଚନ ଲଢିବ ସେ ନେଇ ମଧ୍ୟ ଆଲୋଚନା କରିଛନ୍ତି । ଏହାର ରିପୋର୍ଟ ଦଳୀୟ ହାଇକମାଣ୍ଡଙ୍କୁ ଦିଆଯିବ । ସୂତ୍ର ଅନୁଯାୟୀ, ଖଡଗେ ପାର୍ଟିର ରାଜ୍ୟ ଅଧ୍ୟକ୍ଷ, ସାଧାରଣ ସଂପାଦକ ସମେତ ବଡ ନେତାଙ୍କୁ ୨୫୫ ସିଟରେ ନିର୍ବାଚନ ଲଢିବା ନେଇ ଯୋଜନା ବିଷୟରେ ଅବଗତ କରାଇଛନ୍ତି । ଏହି ସମୟରେ ରାହୁଲ ଗାନ୍ଧୀ ଉପସ୍ଥିତ ଥିଲେ । ଖଡଗେଙ୍କ ଏହି ପ୍ରସ୍ତାବକୁ ସ୍ପଷ୍ଟ ଦେଖା ଯାଉଛି ଯେ ଦଳ, ଗତ ନିର୍ବାଚନ ଅପେକ୍ଷା କମ ସିଟରେ ଏଥର ଲଢିବାକୁ ପ୍ରସ୍ତୁତି କରୁଛି ।

କଂଗ୍ରେସ ୨୦୧୯ରେ ୪୨୧ ସିଟରେ ନିର୍ବାଚନ ଲଢିଥିଲା ଏବଂ ୫୨ଟିରେ ଜିତିଥିଲା । ସେହି ସମୟରେ ଦଳ ବିହାରରେ ଆରଜେଡି, ମହାରାଷ୍ଟ୍ରରେ ଏନସିପି, କର୍ଣ୍ଣାଟକରେ ଜେଡିଏସ ଓ ଝାଡଖଣ୍ଡରେ ଜେଏମଏମ ସହିତ ରହିଥିଲେ । ୟୁପି, ପଶ୍ଚିମବଙ୍ଗ ଓ ପଞ୍ଜାବ ପରି ରାଜ୍ୟଗୁଡିକରେ ଦଳର କୌଣସି ମେଂଟ ନ ଥିଲା । ଏମିତିରେ ଏଥର ମେଂଟରେ ଥିବାରୁ ଏହି ସବୁ ରାଜ୍ୟରେ କଂଗ୍ରେସକୁ ସିଟ୍ ଛାଡିବାକୁ ପଡିବ ।