ଭୁୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ହେଲେ ଭିକେ ପାଣ୍ଡିଆନ ହିଁ ହେଉଛନ୍ତି ଏକ ମାତ୍ର ମାଧ୍ୟମ । ଅର୍ଥାତ ଦଳର କୌଣସି ନେତା କିମ୍ବା ମନ୍ତ୍ରୀ କେହି ବି ସିଧାସଳଖ ନିଜ ଦଳର ସୁପ୍ରିମୋଙ୍କୁ ଭେଟି ପାରିବେ ନାହିଁ । ସେମାନେ ତେବେ ଯାଇ ଭେଟି ପାରିବେ ଯେବେ ପାଣ୍ଡିଆନ ଚାହିଁବେ । ଏହି କଥା ଆମେ କହୁଁନାହୁଁ ଖୋଦ୍ ନିଜ ମୁହଁରେ କହିଛନ୍ତି ବରିଷ୍ଠ ବିଜେଡି ନେତା ଦେବାଶିଷ ସାମନ୍ତରାୟ । ସେହି ନେତା ହିଁ ନବୀନ ପଟ୍ଟନାୟକଙ୍କୁ ଭେଟି ପାରିବ ଯିଏ ଆଗାମୀ ନିର୍ବାଚନରେ ଅଧିକ ମାର୍ଜିନରେ ଜିତିବ ।
ଗତକାଲି କଟକସଭାରେ ନେତା ଓ କର୍ମୀଙ୍କୁ ସମ୍ବୋଧିତ କରି ଫାଇଭ ଟି ଓ ନବୀନ ଓଡିଶାର ଅଧ୍ୟକ୍ଷ ଭିକେ ପାଣ୍ଡିଆନ କହିଛନ୍ତି କଟକ ଜିଲ୍ଲାରେ ଥିବା ସବୁ ନିର୍ବାଚନ ମଣ୍ଡଳିରେ ବିଜୁ ଜନତା ଦଳ ବହୁତ ଭଲ ଭାବେ କରିବ । ଆଉ ସମସ୍ତେ ଜିତିକି ଆସିବେ । କଉ କଉ ବୁଥରେ ଆପଣମାନେ ସେଇ ମାର୍ଜିନରୁ ଅଧିକ କରି କି ଦେବେ ତାକୁ ମୁଁ ନବୀନ ନିବାସ ଡାକିବି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଖରେ ଆପଣ ମାନଙ୍କୁ ପରିଚୟ କରାଇବି । ଏହି ସଭାରେ ଦେବୀ ମିଶ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଦେବାଶିଷ ସାମନ୍ତରାୟ ଓ ମେୟର ସୁବାସ ସିଂଙ୍କ ପରି ବରିଷ୍ଠ ବିଜେପି ନେତା ଉପସ୍ଥିତ ଥିଲେ । ଆଉ ସବୁ ନେତା ବେଶ ଉତଫୁଲ୍ଲିତ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ହେଲେ ଭିକେ ପାଣ୍ଡିଆନ ହିଁ ହେଉଛନ୍ତି ଏକ ମାତ୍ର ମାଧ୍ୟମ ବୋଲି କହିଛନ୍ତି ।
ସଭା ସରିବା ପରେ ଦେବାଶିଷ ସାମନ୍ତରାୟ କହିଛନ୍ତି, ପାଣ୍ଡିଆନ ତ ମାର୍ଜିନ କଥା ମଂଚରେ କହିଲେ । ଜିତିବାଟା ବଡ କଥା ନୁହେଁ କେତେ ମାର୍ଜିନରେ କଟକ ଜିଲ୍ଲାରେ ଜିତିବୁ ସେ ସେହି ବାଣୀ ଆଜି ଆମ କର୍ମୀମାନଙ୍କୁ ଓ ନେତାମାନଙ୍କୁ ଦେଇଛନ୍ତି । ପାଣ୍ଡିଆନ ହେଉଛନ୍ତି ଜଣେ ମିଡିୟମ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ସେ ହେଉଛନ୍ତି ଆମର ଜରିଆ ଓ ଇନଷ୍ଟ୍ରୁମେଂଟ ।
ପାଣ୍ଡିଆନଙ୍କ ଏଭଳି ବୟାନକୁ ନେଇ ରାଜନୀତି ବେଶ ସରଗରମ ହୋଇ ଉଠିଛି । ବିଜେପି ଓ କଂଗ୍ରେସ ଏ ନେଇ ବିଜେଡି ନେତାମାନଙ୍କୁ ସମାଲୋଚନା କରିବା ସହ ତାତ୍ସଲ୍ୟ ମଧ୍ୟ କରିଛନ୍ତି । କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ କହିଛନ୍ତି, ସେମାନଙ୍କ ମାର୍ଜିନ ବଢିଲେ ତାଙ୍କୁ ନେଇ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ଭେଟାଇବେ । ଏହା ଏକ ଲଜ୍ଜାଜନକ ଘଟଣା ବିଜୁ ଜନତା ଦଳ ବରିଷ୍ଠ ନେତାଙ୍କ ପାଇଁ । ରାଜନୈତିକ ସମୀକ୍ଷକ ରବି ଦାସ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଆସ୍ଥା ଓ ବିଶ୍ୱାସ ପାଣ୍ଡିଆନଙ୍କ ପାଖରେ ରହିଛି । ଏଥିରେ କାହାରି ଦ୍ୱିମତ ହେବାର ନାହିଁ । କିନ୍ତୁ ମୁଁ ହିଁ ନବୀନଙ୍କ ନିକଟରେ ଭେଟାଇ ଦେବି ଏହା ନେତା ଓ ଦଳ ସୁପ୍ରିମୋଙ୍କ ମଧ୍ୟରେ ଦୂରତା ବଢାଇ ଦେଉଥିବା ସେ କହିଛନ୍ତି ।