ଭୁବନେଶ୍ୱର: ସାଧାରଣ ନିର୍ବାଚନ ୨୦୨୪ ପୂର୍ବରୁ ଏଆଇସିସି ଦ୍ୱାରା ଓଡିଶା ପ୍ରଦେଶ କଂଗ୍ରେସର ପ୍ରଭାରୀ ନିଯୁକ୍ତ ପରେ ପ୍ରଥମ ଥର ଓଡିଶା ଗସ୍ତରେ ଆସିଛନ୍ତି ଅଜୟ କୁମାର । ଆଉ ଓଡିଶାରେ ପାଦ ଦେବା ମାତ୍ରେ ରାଜ୍ୟ ସରକାର ଓ ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରିଛନ୍ତି । ଆଜି ପ୍ରେସମିଟରେ ପୁଣି ଥରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ପ୍ରଭାରୀ । ରାଜ୍ୟରେ ବ୍ୟୁ୍ରୋକ୍ରାଟ ସରକାର ଚାଲିଥିବା କହିଛନ୍ତି ଅଜୟ କୁମାର । ନେତାଙ୍କ ଅଧିନରେ ଆଇଏଏସ, ଆଇପିଏସ୍ କାମ କରିବା କଥା । ମାତ୍ର ଓଡିଶାରେ ଓଲଟା ଚିତ୍ର ଦେଖିବାକୁ ମିଳିଛି ।
ପିସିସି ପ୍ରଭାରୀ କହିଛନ୍ତି, ଏଠାରେ ଆଇଏଏସ ଓ ଆଇପିଏସ୍ ସରକାର ଚଳାଉଛନ୍ତି । ରାଜ୍ୟରେ ମନ୍ତ୍ରୀ, ବିଧାୟକଙ୍କ କୌଣସି ସମ୍ମାନ ବି ନାହିଁ । ଏଠାକାର ନେତା, ମନ୍ତ୍ରୀ ଓ ବିଧାୟକମାନେ ନିଜର ନୈତିକତା ବି ଭୁଲି ଗଲେଣି । ଇଡି ଓ ସିବିଆଇ ରେଡକୁ ନେଇ ମଧ୍ୟ ସେ ନିଜର ମତ ରଖିଛନ୍ତି । ଅଜୟ କୁମାର କହିଛନ୍ତି, ଦେଶର ସବୁଆଡେ ଇଡି, ସିବିଆଇ ରେଡ୍ କରୁଛି । କିନ୍ତୁ ଓଡିଶାରେ ନୁହେଁ । କାରଣ ବିଜେପି ଓ ବିଜେଡି ଭାଇ-ଭାଇ । ନବୀନ-ମୋଦୀ ଗୋଟିଏ, ମିଳିମିଶି ରାଜ୍ୟରେ ଶାସନ କରୁଛନ୍ତି । ଏପରିକି ଲୋକସଭା ନିର୍ବାଚନରେ ବିଜେପିକୁ ୧୫ ସିଟ୍ ଦେବାକୁ ମଧ୍ୟ ବୁଝାମଣା ହୋଇଛି । ବାକି ୬ ସିଟ୍ ପାଇଁ ବିଜେଡି-ବିଜେପି ମଧ୍ୟରେ କଥାବାର୍ତା ଚାଲିଛି ।
ସେ ଏହା ମଧ୍ୟ କହିଛନ୍ତି, ଏହା ଏକମାତ୍ର ରାଜ୍ୟ ଯେଉଁଠି ବାହାର ଲୋକେ ଓଡିଶାରେ ଭାରି । ଠିକାଦାରୀ ବାହାର ଲୋକଙ୍କୁ ଦିଆଯାଉଛି । ଏଠି କଣ ଠିକାଦାର ନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ଦୁର୍ନୀତି ପାଇଁ ମୁଖ୍ୟମନ୍ତ୍ରୀ ଦାୟୀ, କାରଣ ତାଙ୍କ ଚାରିପଟ ଲୋକେ ଦୁର୍ନୀତିଗ୍ରସ୍ତ । କଂଗ୍ରେସ ଏବେ ପୁରା ଦମରେ ନିର୍ବାଚନ ଲଢିବ । ରାହୁଲ ଗାନ୍ଧୀ ଆସୁଛନ୍ତି, ପୁରା ରାଜ୍ୟ ବୁଲି ଲୋକଙ୍କ ପାଖକୁ ଯିବୁ ବୋଲି ପିସିସି ପ୍ରଭାରୀ କହିଛନ୍ତି ।
ଗତକାଲି ଅଜୟ କୁମାର ପ୍ରଥମ ପ୍ରତିକ୍ରିୟାରେ ନାଁ ନନେଇ ଓଡ଼ିଆ, ଅଣଓଡ଼ିଆ ଆଳରେ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି । ଏଥିସହିତ ଆଗାମୀ ନିର୍ବାଚନରେ ଆଉ ନବୀନ ପଟ୍ଟନାୟକ ନୁହଁ ବରଂ ପାଣ୍ଡିଆନ ହିଁ କଂଗ୍ରେସର ଟାର୍ଗେଟ ବୋଲି ଅଜୟ କୁମାର ଏକପ୍ରକାର ସୂଚନା ଦେଇଥିଲେ । ଅଜୟଙ୍କ ରାଜ୍ୟ ସରକାରଙ୍କ ଉପରେ ଏମିତି ଶାଣିତ ଆକ୍ରମଣ କଂଗ୍ରେସ ଶିବିରରେ କିିଛିଟା ଆଶା ସଂଚାର କରିବ ବୋଲି ଆଶା କରାଯାଉଛି ।