ଭୁୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଂଚି ସାରିଛି । ଏ ନେଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଗାଁ ଗାଁ ବୁଲୁଛି । ତେବେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଗଲାଣି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରଚାରକୁ ନେଇ ବିଜେପି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି । ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ପରିକ୍ରମା ପ୍ରକଳ୍ପ ରଥରେ ଶାସକ ଦଳ ନିର୍ବାଚନୀ ପ୍ରଚାର କରୁଛି ।
ଦକ୍ଷିଣ ଭାରତୀୟ ସଂସ୍କୃତିକୁ ଏଠି ଲଦି ଦିଆଯାଉଛି । ରତ୍ନ ଭଣ୍ଡାର ଚାବି ଚୋରି, ବ୍ରହ୍ମ ବିଭ୍ରାଟ କାଳି ସରକାରଙ୍କ ମୁହଁରେ ଲାଗିଛି । ନବୀନ ପ୍ରଥମ ମୁଖ୍ୟମନ୍ତ୍ରୀ ଯିଏ ଜଗନ୍ନାଥଙ୍କୁ ନେଇ ରାଜନୀତି କରୁଛନ୍ତି । କେବଳ ନିର୍ବାଚନ ପ୍ରଚାର ପାଇଁ ଏ ଚକ୍ରାନ୍ତ କରୁଛନ୍ତି । ଲୋକେ ଏହା ଉଚିତ୍ ଜବାବ ଦେବେ ବୋଲି ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।
ଉଲ୍ଲେଖନୀୟ ଏହା ପୂର୍ବରୁ ୟୁଟ୍ୟୁବ୍ର କାମିଆ ଜାନିଙ୍କୁ ନେଇ ରାଜ୍ୟ ସରକାର ଓ ବିଜୁ ଜନତା ଦଳ ହଟହଟା ହୋଇ ସାରିଛି । ଜଣେ ଗୋ ଭକ୍ଷଣକାରୀ ଏବଂ ଏହାର ପ୍ରମୋଟ କରୁଥିବା ମହିଳାଙ୍କୁ କିଭଳି ଭାବେ ପରିକ୍ରମା ପ୍ରକଳ୍ପ ଏବଂ ମହାପ୍ରସାଦର ପ୍ରଚାର ପ୍ରସାର କରାଇବା ପାଇଁ ନିୟୋଜିତ କରାଗଲା ତାକୁ ନେଇ ସରକାରଙ୍କୁ ବେଶ ସମାଲୋଚିତ ହେବାକୁ ପଡିଛି । ଆଉ ଏବେ ପରିକ୍ରମା ରଥକୁ ନେଇ ବିବାଦ ଦେଖା ଦେଇଛି । ଏହା ଜରିଆରେ ରାଜ୍ୟ ସରକାର ରାଜନୀତି କରୁଥିବା ବିରୋଧୀ ଅଭିଯୋଗ କରିଛନ୍ତି ।
ସୂଚନାଯୋଗ୍ୟ, ଜାନୁଆରୀ ୧୧ରୁ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦଘାଟନ ହେବାକୁ ଯାଉଛି । ଏ ନେଇ ସାରା ଦେଶରେ ନିମନ୍ତ୍ରଣ ବଂଟା ଯାଇଛି । ସମାରୋହକୁ କିଭଳି ଭବ୍ୟ କରାଯାଇ ପାରିବ ସେ ନେଇ ରାଜ୍ୟ ସରକାର ଯଥା ସମ୍ଭବ ଉଦ୍ୟମ ଚଳାଇଛନ୍ତି । ଉଦଘାଟନକୁ ଆଉ ମାତ୍ର ଦିନ କେଇଟା ବାକି ଥିଲେ ମଧ୍ୟ ପରିକ୍ରମା ପ୍ରକଳ୍ପର କାମ ସଂପୂର୍ଣ୍ଣ ସରି ନ ଥିବା ଦେଖା ଦେଇଛି । ଯାହାକୁ ନେଇ ଆଗାମୀ ସମୟରେ ନୂତନ ବିବାଦ ଦେଖା ଦେଇପାରେ।