କଟକରୁ ନିର୍ବାଚନ ଲଢିବେ ଅଶ୍ୱିନୀ ବୈଷ୍ଣବ ! ୨ ଦିିନିଆ ଗସ୍ତରୁ ବଡ ସଙ୍କେତ ଦେଲେ ରେଳ ମନ୍ତ୍ରୀ


ଭୁୁବନେଶ୍ୱର: ସାଧାରଣ ନିର୍ବାଚନକୁ ଆଉ ମାତ୍ର କେଇଟା ମାସ ବାକି ରହିଛି । ନିର୍ବାଚନରେ କେମିତି ଅଧିକରୁ ଅଧିକ ଲୋକସଭା ସିଟ୍ ହାତେଇ କେନ୍ଦ୍ରରେ ନିଜର ଦବଦବା ବଜାୟ ରଖି ହେବ ସେ ନେଇ ଓଡିଶାର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ରଣନୀତି ପ୍ରସ୍ତୁତ କଲେଣି । କେଉଁ ଆସନରୁ କାହାକୁ ପ୍ରାର୍ଥୀ କଲେ ପ୍ରତିପକ୍ଷଙ୍କୁ ମାତ୍ ଦେଇ ହେବେ ସେ ନେଇ ଅଙ୍କ କଷା ଚାଲିଛି । ତେବେ ଲୋକସଭା ନିର୍ବାଚନକୁ ନେଇ ରାଜ୍ୟରେ ବିଜେପି ଟିକେ ଆଗୁଆ ଥିବା ଦେଖିବାକୁ ମିଳିଛି । ଏହି କ୍ରମରେ ଐତିହାସିକ କଟକ ଲୋକସଭା କ୍ଷେତ୍ରକୁ ନେଇ ସବୁଠୁ ଅଧିକ ଚର୍ଚ୍ଚା ଲାଗି ରହିଛି । ଆଉ ଏହି ଚର୍ଚ୍ଚାର ମୁଖ୍ୟ କେନ୍ଦ୍ର ବିନ୍ଦୁ ହେଉଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କଟକ ସଂସଦୀୟ କ୍ଷେତ୍ରରୁ ତାଙ୍କର ନିର୍ବାଚନ ଲଢିବାର ସମ୍ଭାବନା ଅଧିକ ଥିବା ତାଙ୍କର ୨ ଦିନିଆ କଟକ ଜିଲ୍ଲା ଗସ୍ତରୁ ଏହି ସଙ୍କେତ ମିଳିଛି ।

ଗତ କିଛି ଦିନ ହେବ ବୈଷ୍ଣବ କଟକ ଜିଲ୍ଲାର ଅନେକ ନିର୍ବାଚନ ମଣ୍ଡଳୀ ଗସ୍ତ କରି ଲୋକଙ୍କ ସହ ଜନସଂପର୍କ ସ୍ଥାପନ କରୁଛନ୍ତି । ଗତକାଲି ସେ ଆଠଗଡ, ବଡମ୍ବା ବିଧାନସଭା କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ବୁଲି ସଭା ସମିତି କରିଥିଲେ । ତିନି ମାସରେ ଆଠଗଡ ଘଂଟିଖାଲ ରେଳ ଷ୍ଟେସନର ରୂପାନ୍ତରୀକରଣ କରାଯିବ ବୋଲି ଘୋଷଣା କରିଛନ୍ତି । ଶନିବାର କଂଟିଲୋ ନୀଳମାଧବଙ୍କ ଦର୍ଶନରୁ କଟକ ଲୋକସଭା କ୍ଷେତ୍ରର ଗସ୍ତ ଆରମ୍ଭ କରିଥିଲେ । ଖଣ୍ଡପଡା, ବାଙ୍କି ବିଧାନସଭା କ୍ଷେତ୍ରରେ ମାରାଥନ କାର୍ଯ୍ୟକ୍ରମରେ ଯୋଗଦାନ ପରେ ରାତିରେ ଆଠଗଡରେ ରହିଥିଲେ । ଏହି ସବୁ ନିର୍ବାଚନ ମଣ୍ଡଳୀ କଟକ ଲୋକସଭା କ୍ଷେତ୍ର ଅନ୍ତର୍ଗତରେ ଆସୁଛି । ତାଙ୍କର ଏହି ଗସ୍ତ ପରେ ଏହା ନିଶ୍ଚିତ ହୋଇଛି ଯେ, ଅଶ୍ୱିନୀ ବୈଷ୍ଣବ କଟକରୁ ବିଜେପିର ଲୋକସଭା ପ୍ରାର୍ଥୀ ହେବାକୁ ଯାଉଛନ୍ତି ।

ଏହି ସବୁ କଳ୍ପନା ଜଳ୍ପନା ଭିତରେ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ତାଙ୍କର କଟକରୁ ନିର୍ବାଚନ ଲଢିବା ନିଷ୍ପତି ଦଳ ନେବ । ସେ ବିଜେପିର ଜଣେ ଶୃଙ୍ଖଳିତ କାର୍ଯ୍ୟକର୍ତା । ପାର୍ଟି ଯେଉଁଠି ଯାହା କାର୍ଯ୍ୟ ଦିଏ ତାହା ମୁଁ କରେ । ପାର୍ଟି ଦେଉଥିବା ଦାୟିତ୍ୱକୁ ନିର୍ବାହ କରନ୍ତି । ରବିବାର ଧବଳେଶ୍ୱର ବାବାଙ୍କ ଦର୍ଶନ ପରେ ଦ୍ୱିତୀୟ ଦିନ ଗସ୍ତରେ ବାହାରିଥିଲେ ଅଶ୍ୱିନ ବୈଷ୍ଣବ । ଲୋକଙ୍କ ସହ କେନ୍ଦ୍ର ସରକାରଙ୍କ ଯୋଜନାର ଲାଭ ମିଳୁଛି କି ନାହିଁ ତାହା ପଚାରି ବୁଝିଥିଲେ । ତାଙ୍କର କଟକ ଗସ୍ତକୁ ନେଇ ରାଜନୀତି ଉଷ୍ଣ ହୋଇ ଉଠିଛି । ଏହା ପୂର୍ବରୁ ମଧ୍ୟ ସେ କଟକ ଆସି ଅନେକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ସୂଚନାଯୋଗ୍ୟ, ଦୀର୍ଘ ୨୫ ବର୍ଷ ଧରି କଟକ ସଂସଦୀୟ କ୍ଷେତ୍ର ବିଜେଡି ଗଡ ଭାବେ ରହି ଆସିଛନ୍ତି । ଏଠାରୁ ବର୍ତମାନ ସାଂସଦ ଅଛନ୍ତି ବରିଷ୍ଠ ବିଜେଡି ନେତା ଭର୍ତୃହରି ମହତାବ । ସେ କ୍ରମାଗତ ୫ ଥର ନିର୍ବାଚନ ଜିତି ସଂସଦକୁ ଯାଇଛନ୍ତି । ତେବେ ଏଥର କଟକରେ ବିଜେଡିକୁ କଡା ଟକ୍କର ଦେବାକୁ ବିଜେପି ଅଂଟା ଭିଡିଛି । ତେଣୁ ଦୁଇ ଦଳ ମଧ୍ୟରେ ଲଢେଇ ବେଶ ରୋମାଂଚକର ହୋଇପାରେ । ବିଜେପି ଲୋକସଭା ସିଟକୁ ନେଇ ସକ୍ରିୟ ରହିଥିବା ବେଳେ ଏ ଯାଏ ଭର୍ତୃହରି ମହତାବଙ୍କୁ ଦେଖିବାକୁ ମଧ୍ୟ ମିଳିନାହିଁ । ଏପରିକି ୫ ତାରିଖ ବିଜେଡିର କଟକସଭାକୁ ମଧ୍ୟ ସେ ଆସି ନ ଥିଲେ । ତେଣୁ ପାର୍ଟି ତାଙ୍କୁ ଏଥର କଟକରୁ ପ୍ରାର୍ଥୀ କରୁଛି କି ନାହିଁ ତାହା ମଧ୍ୟ ଏକ ବଡ ପ୍ରଶ୍ନ ।