Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହାଇଟେକ୍ ଟ୍ରାଜେଡିକୁ ଗର୍ଜିଲା ଛାତ୍ର କଂଗ୍ରେସ, ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଘର ଉପରେ ଅଣ୍ଡା ମାଡ

ଭୁୁବନେଶ୍ୱର: ହାଇଟେକ୍ ଟ୍ରାଜେଡିରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ନେଇ ଏବେ ରାଜରାସ୍ତାକୁ ଓହ୍ଲାଇଛି ଛାତ୍ର କଂଗ୍ରେସ । କାହିଁକି ଘଟଣାରେ ହାଇଟେକ୍ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନେଇ ସରକାରଙ୍କ ଘଂଟ ଘଉଡାଉଛନ୍ତି ପ୍ରଶ୍ନ ଛାତ୍ର କଂଗ୍ରେସ । ସୋମବାର ଛାତ୍ର କଂଗ୍ରେସର କର୍ମୀମାନେ ଏକ ରାଲିରେ ଆସି ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ଘର ଉପରକୁ ଅଣ୍ଡା ମାଡ଼ କରିଛନ୍ତି। ଏହାସହ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଘର ସାମ୍ନାରେ ଆନ୍ଦୋଳନ କରିବା ସହ ନାରାବାଜି କରିଛନ୍ତି। ଏହି ସମୟରେ ଛାତ୍ର କଂଗ୍ରେସର କର୍ମୀ ମାନଙ୍କୁ ପୋଲିସ ଅଟକାଇବାରୁ କିଛି ସମୟ ସେଠାର ପୋଲିସ ଓ ଛାତ୍ର କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଛାତ୍ର କଂଗ୍ରେସ କର୍ମୀମାନେ ହାଇଟେକର ମାଲିକ ତିରୁପତି ପାଣିଗ୍ରାହୀଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି।

ମୃତକ ପରିବାରକୁ ୫୦ ଲକ୍ଷ ଟଙ୍କା ଦିଆଯିବା ସହ ହାଇଟେକର ମାଲିକ ତିରୁପତି ପାଣିଗ୍ରାହୀଙ୍କ ଗିରଫ ଦାବି କରିଛି ଛାତ୍ର କଂଗ୍ରେସ । ଯଦି ଦାବି ପୂରଣ ନ ହୁଏ ତାହାହେଲେ ଆନ୍ଦୋଳନ ତୀବ୍ରତର ହେବା ବୋଲି ଛାତ୍ର କଂଗ୍ରେସ ଚେତାବନୀ ଦେଇଛି। ଏହାସହ ଆଗାମୀ ଦିନରେ ଛାତ୍ର କଂଗ୍ରେସ ନବୀନ ନିବାସ ଘେରାଉ କରିବ ବୋଲି କହିଛି। ତିରୁପତି ପାଣିଗ୍ରାହୀଙ୍କୁ ଗିରଫ ନ କରିବା ଯାଏ ତଦନ୍ତ ଠିକରେ ହୋଇପାରିବ ନାହିଁ। ତିରୁପତି ପାଣିଗ୍ରାହୀ ସରକାରୀ ଦଳରେ ଅଛନ୍ତି। ତେଣୁ ଶାସକ ଦଳର ନେତା ସବୁ ଘଟଣାକୁ ଚପାଇ ଦେବାକୁ ବସିଛନ୍ତି। ୭ରୁ୮ ଦିନ ହେଲା ଏହି ଅଘଟଣ ଘଟିଲାଣି, ହେଲେ ସ୍ୱାସ୍ଥ୍ୟମନ୍ତ୍ରୀ ଚୁପ୍ ବସିଛନ୍ତି। ତିରୁପତି ପାଣିଗ୍ରାହୀଙ୍କୁ ତୁରନ୍ତ ଗିରଫ କରାଯିବା ସହ ହସ୍ପିଟାଲ ଲାଇସେନ୍ସକୁ ରଦ୍ଦ କରାଯାଉ ବୋଲି ଛାତ୍ର କଂଗ୍ରେସ ଦାବି କରିଛି ।

ରାଜ୍ୟରେ ଯେତେ ପ୍ରାଇଭେଟ୍ ହସ୍ପିଟାଲ୍ ରହିଛି ସେମାନଙ୍କର ଦାୟିତ୍ୱ ହୀନତା କେତେ ତଳ ସ୍ତରକୁ ଯାଇପାରେ ତାହାର ଜ୍ୱଳନ୍ତ ଉଦାହରଣ ରାଜ୍ୟର ପ୍ରତିଷ୍ଠିତ ମେଡିକାଲ କଲେଜ ହାଇଟେକ୍ ମେଡିକାଲରେ ଡିସେମ୍ବର ୨୯ ତାରିଖରେ ଘଟିଥିବା ବିସ୍ଫୋରଣ ଘଟଣାରେ ଦେଖିବାକୁ ମିଳିଛି । ମେଡିକାଲ କର୍ତୃପକ୍ଷଙ୍କ ଦାୟିତ୍ୱ ହୀନତା ଯେ କେମିତି ବହୁମୂଲ୍ୟ ଜୀବନ ନେଇଗଲା ତାହା ସଭିଙ୍କୁ ଆଶ୍ଚର୍ଯ୍ୟ କରିଛି । ସବୁଠୁ ଅଧିକ ବିଡମ୍ବନାର ବିଷୟ ଏହି ଘଟଣାରେ ରାଜ୍ୟ ସରକାରଙ୍କ ବିଭାଗ ଓ ଏଜେନ୍ସିମାନେ ମେଡିକାଲ୍ କର୍ତୃପକ୍ଷଙ୍କୁ ଘଂଟ ଘୁଡାଇବାରେ ତିଳେ ହେଲେ କୁଣ୍ଠାବୋଧ କଲେନି । ଶବ ଚିହ୍ନଟରେ ଘୋର ଅବ୍ୟବସ୍ଥା କାରଣରୁ ଜଣେ ଗଭର୍ବତୀ ମହିଳା ଆତ୍ମହତ୍ୟା କରିବା ଭଳି ଦାରୁଣ ଘଟଣା ଘଟିଗଲା । ଏତେ ବଡ ଘଟଣାରେ ରାଜ୍ୟ ସରକାରଙ୍କ କାର୍ଯ୍ୟନିଷ୍ଠା ଉପରେ ମଧ୍ୟ ପ୍ରଶ୍ନ ଉଠିଛି । ସ୍ୱାସ୍ଥ୍ୟ ବିଭାଗ ଓ ଶ୍ରମ ବିଭାଗ କୁଆଡେ ଗଲେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ହସ୍ପିଟାଲରେ ଏସି କମ୍ପରେସର ପରି ସମ୍ବେଦନଶୀଳ କାମ ହେବାରେ ଫାୟର ଡିପାର୍ଟମେଂଟର ଗାଇଡଲାଇନ ପାଳନ କରାଯାଇଛି କି ନାହିଁ ତାହା ସବୁଠୁ ବଡ ପ୍ରଶ୍ନ ସୃଷ୍ଟି କରିଛି । ବିଶେଷ କରି ସନ୍ଧ୍ୟା ସମୟରେ ଏଭଳି କାମ କରିବାକୁ ଅନୁମତି ଥିଲା କି ନାହିଁ । ଯଦି ଏହାର ମରାମତି ଅତି ଜରୁରୀ ଥିଲା ସେ ସଂପର୍କିତ ଗାଇଡଲାଇନ ପାଳନ କରାଯାଇଛି କି ନାହିଁ ତା ଉପରେ କେହି ନଜର ପକାଉ ନାହାନ୍ତି । ଦୁଭାର୍ଗ୍ୟର ବିଷୟ ପୋଲିସ ଓ ସଂସ୍ଥା ମିଶି କି ଏମିତି ମାହୋଲ ସୃଷ୍ଟି କରୁଛନ୍ତି ଯେଉଁଥିରେ ଆପଣ ବୁଝିବା କଷ୍ଟ ଯେ, ବାସ୍ତବରେ ମେଡିକାଲ୍ ଭିତରେ କଣ ଚାଲିଛି । ହାଇଟେକ୍ କୁ ସୁରକ୍ଷା ଦେବାରେ ପୋଲିସ ଓ ଅନ୍ୟ ଏଜେନ୍ସି ଲାଗି ପଡିଛନ୍ତି ବୋଲି ଜନମାନସରେ ଖୁବ୍ ଚର୍ଚ୍ଚା ହେଉଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ