କଂଗ୍ରେସର ୬୦ ଟିକେଟ୍ ଫାଇନାଲ୍‌: ତାରା


ଭୁବନେଶ୍ୱର: ସାଧାରଣ ନିର୍ବାଚନ ଯେତେ ପାଖଉଛି ରାଜନୈତିକ ଉଷ୍ଣତା ସେତେ ବଢିବାରେ ଲାଗିଛି । ନିର୍ବାଚନ ବୈତରଣୀ ପାରି ହେବା ପାଇଁ ରାଜନୈତିକ ଦଳ ଗୁଡିକ ମଧ୍ୟରେ ଚାଲିଛି ଅଙ୍କକଷା । ଟିକେଟ୍ ପାଇଁ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ କସରତ ସହ ପ୍ରତିଯୋଗିତ ଆରମ୍ଭ ହୋଇ ଯାଇଛି । ତେବେ ଏହା ମଧ୍ୟରେ କଂଗ୍ରେସ ଶିବିରରୁ ଆସିଛି ବଡ ଖବର । କଂଗ୍ରେସ ପ୍ରାୟ ୬୦ ଟିକେଟ୍ ଫାଇନାଲ୍ କରି ସାରିଥିବା କହିଛନ୍ତି ଜୟପୁର ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି ।

ତାରା କହିଛନ୍ତି, କିଏ ଟିକେଟ୍ ପାଇବ, ନ ପାଇବ ସେ ନେଇ ଆମେ ମାନସିକ ସ୍ତରରେ ପ୍ରସ୍ତୁତ ଅଛୁ । ଜିତିବା ସମ୍ଭାବନା ଥିବା ଲୋକଙ୍କୁ ହିଁ ଟିକେଟ୍ ଦିଆଯିବ । ବର୍ତମାନ ସୁଦ୍ଧା ୬୦ ଜଣଙ୍କୁ ଚୟନ କରାଯାଇ ସାରିଛି । ଅବଶିଷ୍ଟ ଆସନରେ ଟିକେଟ୍ ପାଇଁ ବିଚାର ବିମର୍ଶ ଚାଲିଛି । ଏଥର ଦଳ ଫୁଲ୍ ଦମରେ ନିର୍ବାଚନ ଲଢିବ । ନିଜର ଏକତା ପ୍ରମାଣିତ ପାଇଁ ବସରେ ଏକାଠି ହୋଇ ବୁଲିବୁ । ସାଂସଦ ଓ ମୋ ଭିତରେ ପଡୁ ନ ଥିଲା । ଏବେ ସେ ସବୁ କଥାକୁ ଛାଡି ସରକାର ଗଢିବୁ ।

ତାରାଙ୍କ ଏହି ବୟାନ ପରେ ଜଣା ପଡୁଛି ଟିକେଟ୍ ବଂଟନରେ କଂଗ୍ରେସ ବର୍ତମାନ ଟିକିଏ ଆଗରେ ରହିଛି । କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କ ଓଡିଶା ଗସ୍ତ ପରଠୁ କଂଗ୍ରେସ ଶିବିର ଚଳଚଂଚଳ ହୋଇ ଉଠିଛି । ନେତାଙ୍କଠୁ ନେଇ କର୍ମୀ ଯାଏ ସମସ୍ତେ ସକ୍ରିୟ ଥିବା ପରି ଲାଗୁଛି । ନିକଟରେ ପ୍ରଭାରୀ ଅଜୟ କୁମାର ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିଲେ । ଏହି ସମୟରେ ସେ ରାଜ୍ୟ ସରକାରଙ୍କୁ ଶାଣିତ ସ୍ୱରରେ ହମଲା କରିଥିଲେ । ଯାହା କଂଗ୍ରେସ ଶିବିରକୁ ଉତ୍ସାହିତ କରିଛି । ଆଉ ଦଳ ଏବେ ରାଜ୍ୟ ସରକାର ବସ୍ ଯାତ୍ରା କରିବାକୁ ଯାଉଛି । ଲୋକଙ୍କ ନିକଟତର ହେବାକୁ ଦଳ ଅଂଟା ଭିଡିଛି । ନିଜର ପୂର୍ବ ଅସ୍ଥିତ୍ୱ ଫେରି ପାଇବାକୁ ଦଳ ଚେଷ୍ଟା ଜାରି ରଖିଛି ।