ଆକାଶପଥ ସହ ଯୋଡି ହେଲା ମାଲକାନଗିରି, ଲୋକାର୍ପିତ ହେଲା ବିମାନ ବନ୍ଦର


ମାଲକାନଗିରି: ଆକାଶପଥ ସହ ଯୋଡି ହେଲା ମାଲକାନଗିରି । ମଙ୍ଗଳବାର ଲୋକାର୍ପିତ ହେଲା ବହୁପ୍ରତୀକ୍ଷିତ ମାଲକାନଗିରି ବିମାନ ବନ୍ଦର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି । ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଉପସ୍ଥିତ ଥିଲେ । ଏଥିସହ ଉପାନ୍ତ ଅଂଚଳ ଭାବେ ପରିଚିତ ମାଲକାନଗିରିକୁ ନୂତନ ପରିଚୟ ମିଳିଛି । ନୁତନ ବିମାନ ବନ୍ଦର ଶୁଭାରମ୍ଭ ହେବା ପରେ ଜିଲ୍ଲାବାସୀଙ୍କ ସ୍ୱପ୍ନ ପୂରଣ ହୋଇଛି । ଲୋକାର୍ପଣ ପରେ ମୁଖ୍ୟମନ୍ତ୍ରୀ ଟର୍ମିନାଲର ପରିଦର୍ଶନ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବିମାନବନ୍ଦର ଲୋକାର୍ପିତ ହେବା ପରେ ଏଠାରୁ ପ୍ରଥମେ ନନ୍ ସିଡ୍ୟୁଲ୍ ବା କମର୍ସିଆଲ ବିମାନ ଉଡାଣ ଭରିଛି । ଭବିଷ୍ୟତରେ ଏହାକୁ ୩୦୦୦ ମିଟର ଯାଏଁ ସମ୍ପ୍ରସାରଣ କରାଯିବାର ମଧ୍ୟ ଯୋଜନା ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । ଉଦଘାଟନୀ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ବିଶାଲ ସିଂ ସମୀକ୍ଷା କରିଥିଲେ । ଉଲ୍ଲେଖନୀୟ ବିମାନ ବନ୍ଦର ଟେଣ୍ଡର ପ୍ରକ୍ରିୟାରେ ଜୟପୁର ତାରାତାରିଣୀ କନଷ୍ଟ୍ରକ୍ସନ ପ୍ରାଇଭେଟ୍ ଲିମିଟେଡକୁ କାମ ମିଳିଥିଲା ।

ଜମି ଅଧିଗ୍ରହଣ ପରେ ୨୦୨୨ ନଭେମ୍ବର ୧ରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୨୦୨୩ ଅକ୍ଟୋବର ୩୧ ତାରିଖରେ ସରିଥିଲା । ବିମାନ ବନ୍ଦରରେ ୫୪.୧୪ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୧୪ ମାସରେ ଏହା ନିର୍ମାଣ ହୋଇଛି । ବିସ୍ଥାପିତମାନଙ୍କ ପାଇଁ ପକ୍କାଘର, ପକ୍କା ରାସ୍ତାର ବ୍ୟବସ୍ଥା କରାଯାଇଥିବା ବେଳେ ସେମାନଙ୍କୁ ବିଭିନ୍ନ ସରକାରୀ ଯୋଜନାରେ ସାମିଲ୍ କରାଯାଇଛି ।