ରାଜନୀତି ମଇଦାନରେ ଆଉ ଜଣେ ଆଇଆରଏସ, ମାହାଙ୍ଗାରୁ ନିର୍ବାଚନ ଲଢିବେ ଶରତଙ୍କ ପୁଅ ଶୋଭନ କର


ଭୁବନେଶ୍ୱର: ନିର୍ବାଚନ ପାଖେଇବା ସହ ରାଜନୈତିକ ଉଷ୍ଣତା ବଢିବାରେ ଲାଗିଛି । ତେବେ ସଂପ୍ରତି ନିର୍ବାଚନରେ ଭିନ୍ନ ଟ୍ରେଣ୍ଡ ଦେଖିବାକୁ ମିଳୁଛି । ସାଧାରଣତଃ ଆମେ ରାଜନୀତିକୁ ପେଶା ଭାବେ ଗ୍ରହଣ କରିଥିବା ନେତାଙ୍କୁ ଦେଖିବାକୁ ପାଇଥାଉ । ହେଲେ ଏବେ ବଡ ବଡ ପ୍ରଶାସନିକ ଅଧିକାରୀ ଚାକିରି ଛାଡି ରାଜନୀତି ପ୍ରତି ରୁଚି ଦେଖାଉଛନ୍ତି । ପୂର୍ବରୁ ଆମେ ଅନେକ ଆଇଏଏସ ଅଧିକାରୀଙ୍କୁ ରାଜନୀତିରେ ପ୍ରବେଶ କରିଥିବା ଦେଖିଛନ୍ତି । ଏବେ ଏଥିରେ ଯୋଡି ହୋଇ ଯାଇଛନ୍ତି ଆଇଆରଏସ । ଆମେ କହୁଛୁ ଅବସରପ୍ରାପ୍ତ ଆଇଆରଏସ ଶୋଭନ କରଙ୍କ କଥା । ତାଙ୍କର କଟକର ମାହାଙ୍ଗାରୁ ପ୍ରାର୍ଥୀ କଥା ଜୋର ଧରିଛି । ତାଙ୍କ ପୂର୍ବରୁ ଅବସର ପ୍ରାପ୍ତ ଆଇଆରଏସ ସମ୍ବିତ ତ୍ରିପାଠୀ କଟକ ଜିଲ୍ଲା ବଡମ୍ବାରୁ ବିଜେପିର ପ୍ରାର୍ଥୀ ଭାବେ ଲଢିବା ସ୍ପଷ୍ଟ ଜଣା ପଡୁଛି। ଏବେ ଶୋଭନଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ସେ ଗତ କିଛି ହେବ ସ୍ୱେଚ୍ଛାକୃତ ଭାବେ ଚାକିରିରୁ ଅବସର ଗ୍ରହଣ କରିଥିଲେ ।

ଶୋଭନ କର ହେଉଛନ୍ତି ପୂର୍ବତନ ବାଚସ୍ପତି ଶରତ କରଙ୍କ ସାନ ପୁଅ । ଗତ କିଛି ମାସ ଧରି ଶୋଭନଙ୍କୁ କଟକର ମାହାଙ୍ଗାରେ ବିଭିନ୍ନ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଛି । ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ସାଂଗଠନିକ ସଭା ସମିତି କରୁଛନ୍ତି । ନିକଟରେ ସେ ଶରତ ପ୍ରେମୀ ପରିବାର ପକ୍ଷରୁ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଏଥିରେ ମାହାଙ୍ଗାର ବିଭିନ୍ନ ପଂଚାୟତର ବରିଷ୍ଠ ନେତା ଓ କର୍ମୀଙ୍କୁ ଦେଖିବାକୁ ମିଳିଥିଲା । ନେତାମାନଙ୍କ କହିବା କଥା ମାହାଙ୍ଗର ଲୋକ ଶରତ କରଙ୍କୁ ଭଲ ପାଆନ୍ତି । ତାଙ୍କ ପୁଅ ରାଜନୀତିରେ ସାମିଲ୍ ହୋଇ ପ୍ରତ୍ୟେକ୍ଷ ଭାବେ ଲୋକଙ୍କ ସେବା କରିବାକୁ ଚାହୁଁଛନ୍ତି । ତାଙ୍କୁ ଏଥିରେ ସହଯୋଗ କରିବା ପାଇଁ ଘୋଷଣା କରିଛନ୍ତି ଏକାଧିକ ସ୍ଥାନୀୟ ନେତା ।

ଶୋଭନ କର ସାମ୍ବାଦିକଙ୍କ ସହ ଆଲୋଚନା ବେଳେ କହିଛନ୍ତି ଯେ, ମାହାଙ୍ଗାର ସର୍ବାଙ୍ଗୀନ ଉନ୍ନତି ପାଇଁ ଶରତପ୍ରେମୀ ପରିବାରର ପ୍ରତ୍ୟେକ ସଦସ୍ୟ ଗୁଣ୍ଡୁଚି ମୂଷା ଭାବରେ କାମ କରିବାକୁ ପ୍ରସ୍ତୁତ । କେବଳ ମାହାଙ୍ଗାର ଭିତିଭୂମି ନୁହେଁ ମାହାଙ୍ଗର ସଂସ୍କୃତି, ସାହିତ୍ୟ, କ୍ରୀଡା, କଳା ସବୁ କ୍ଷେତ୍ରରେ ଧ୍ୟାନ ଦେଇ ମାହାଙ୍ଗା ଲୋକଙ୍କର ଯେଉଁ ସାମର୍ଥ୍ୟ ରହିଛି ତାକୁ କେମିତି ଆଗକୁ ନେଇକି ଯିବୁ ସେ ଉପରେ କାମ କରିବାକୁ ସଂକଳ୍ପ ନେଇଛୁ । ତେବେ ଶୋଭନ କର ସ୍ୱାଧୀନ ଭାବେ ଲଢିବେ ନା କେଉଁ ଦଳରେ ଯୋଗ ଦେବେ ତାହା ସ୍ପଷ୍ଟ ହୋଇ ନାହିଁ ।

ସୂଚନାଯୋଗ୍ୟ, ମାହାଙ୍ଗା ଅଂଚଳ ସର୍ବଦା ବିବାଦରେ ରହି ଆସିଛି । କହିବାକୁ ଗଲେ ଅପରାଧର ଚରାଭୂଇଁ ପାଲଟି ଯାଇଛି । ତେଣୁ ଏହି ଆସନରୁ ଲଢିବା ନିଶ୍ଚିତ ରୂପେ ଏକ ଆହ୍ୱାନପୂର୍ଣ୍ଣ ରହିଥାଏ । ଏହି ନିର୍ବାଚନ ମଣ୍ଡଳୀ ବିଜେଡିର ଗଡ ଭାବେ ରହି ଆସିଛି । ପ୍ରତାପ ଜେନା ଲଗାତାର ତିନି ଥର ଏଠାରୁ ଜିତି ଆସିଛନ୍ତି । ବିଜେଡି ଦଳ ସ୍ଥାପନା ହେବା ଦିନଠୁ ୨୦୦୦ ମସିହାରୁ ମାହାଙ୍ଗାରେ ବିଜେଡିର ଦବଦବା ରହି ଆସିଛି । ଶୋଭନ କରଙ୍କ ପିତା ଶରତ କର ମଧ୍ୟ ବିଜେଡିର ନେତା ଥିଲେ । ସେ ୨୦୦୦ ମସିହା ନିର୍ବାଚନରେ ବିଜେଡି ଟିକେଟରୁ ନିର୍ବାଚନ ଜିତିଥିଲେ । ଏହା ପୂର୍ବରୁ ଶରତ କର ୧୯୭୧-୭୪, ୧୯୯୦-୯୫ ମାହାଙ୍ଗାର ବିଧାୟକ ଥିଲେ । ବର୍ତମାନ ତାଙ୍କ ପୁଅ ଅବସରପ୍ରାପ୍ତ ଆଇଆରଏସ ଶୋଭନ କର ମାହାଙ୍ଗା ନିର୍ବାଚନ ମଣ୍ଡଳୀରୁ ରାଜନୀତି ଆରମ୍ଭ କରିବାକୁ ଯାଉଛନ୍ତି ।