ସୁନ୍ଦରଗଡ: ରାଜ୍ୟ ବିଜେପିର ଅନ୍ୟତମ ଟାଣୁଆ ନେତା ହେଉଛନ୍ତି ଜୁଏଲ ଓରାମ । ସେ ହିଁ ଏକମାତ୍ର ନେତା ଯିଏ ଲୋକସଭା ନିର୍ବାଚନରେ ସଂସଦୀୟ କ୍ଷେତ୍ର ସୁନ୍ଦରଗଡରେ ନିଜର ଦବଦବା ଦେଖାଇ ଆସିଛନ୍ତି । ସ୍ୱାଭାବିକ ଭାବେ ଆଗାମୀ ନିର୍ବାଚନରେ ସେ ହିଁ ବିଜେପିର ଲୋକସଭା ପ୍ରାର୍ଥୀ ହେବେ ବୋଲି ସଭିଙ୍କ ଧାରଣା । ତେବେ ଏବେ ସଭିଙ୍କୁ ଚମକାଇ ଦେବା ଭଳି ଖବର ସାମ୍ନାକୁ ଆସିଛି । ୫ ଥରର ସାଂସଦ ଜୁଏଲ ଏଥର ଲୋକସଭା ପରିବର୍ତେ ବିଧାନସଭା ଲଢିବେ ବୋଲି ବିଜେପି ସୂତ୍ରରୁ ପ୍ରକାଶ । ବିଜେପି ରାଜସ୍ଥାନ, ମଧ୍ୟ ପ୍ରଦେଶ ଓ ଛତିଶଗଡ ଢାଂଚାରେ ଓଡିଶାରେ ମଧ୍ୟ ସାଂସଦଙ୍କୁ ବିଧାନସଭା ନିର୍ବାଚନ ମଇଦାନରେ ଓହ୍ଲାଇବାକୁ ବିଚାର କରୁଛି । ଏହି ରଣନୀତିରେ ବିଜେପି ଜୁଏଲଙ୍କୁ ଆଗାମୀ ବିଧାନସଭା ନିର୍ବାଚନରେ ବଣେଇରୁ ପ୍ରାର୍ଥୀ କରିବାକୁ ଚାହୁଁଛି । ତେବେ ଜୁଏଲ ସୁନ୍ଦରଗଡ ସଦର ଆସନରୁ ନିର୍ବାଚନ ଲଢିବାକୁ ଚାହୁଁଥିବା କୁହାଯାଉଛି ।
ଯଦି ଜୁଏଲ ବିଧାନସଭା ନିର୍ବାଚନ ଲଢନ୍ତି ତେବେ ସୁନ୍ଦରଗଡ ଜିଲ୍ଲାର ରାଜନୀତି ପାଣିପାଗରେ ବଡ ଧରଣର ପରିବର୍ତନ ଦେଖିବାକୁ ମିଳିପାରେ । ସେପଟେ ଜୁଏଲ ସାଂସଦ ଭାବେ ନିଜ ସଂସଦୀୟ କ୍ଷେତ୍ରରେ ଭୋଟରଙ୍କ ପ୍ରଥମ ପସନ୍ଦ ରହି ଆସିଛନ୍ତି । ତେଣୁ ସେ ୨୦୦୯ ନିର୍ବାଚନକୁ ବାଦ୍ ଦେଲେ ୧୯୯୮, ୧୯୯୯, ୨୦୦୪, ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ଜିତି ସୁନ୍ଦରଗଡ ସଂସଦୀୟ କ୍ଷେତ୍ରରୁ ଲୋକସଭାକୁ ନିର୍ବାଚିତ ହୋଇ ଆସିଛନ୍ତି । ତାଙ୍କର ବିଧାନସଭା ନିର୍ବାଚନ ଲଢିବା ସ୍ଥିତିରେ ସୁନ୍ଦରଗଡ ଲୋକସଭାରୁ କିଏ ପ୍ରାର୍ଥୀ ହେବ ତାହା ମଧ୍ୟ ଏକ ବଡ ପ୍ରଶ୍ନ । ୨୦୧୪ରେ ଏଠାରୁ ବିଜେଡି ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲୀପ ତିର୍କୀଙ୍କୁ ପ୍ରାର୍ଥୀ କରିଥିଲା । ତଥାପି ଭୋଟରଙ୍କ ପ୍ରଥମ ସପନ୍ଦ ପାଲଟିଥିଲେ ଜୁଏଲ । ସେ ଦିଲୀପ ତିର୍କୀଙ୍କୁ ହରାଇବା ସହ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ । ୨୦୧୯ରେ ବିଜେଡି ପ୍ରାର୍ଥୀ ସୁନିତା ବିଶ୍ୱାଳଙ୍କୁ ହରାଇ ରେକର୍ଡ ୨ ଲକ୍ଷ ୨୦ ହଜାରରୁ ଅଧିକ ଭୋଟରେ ଜିିତିଥିଲେ । ବର୍ତମାନ ଜୁଏଲ ସଂସଦୀୟ ପ୍ରତିରକ୍ଷା କମିଟିର ଅଧ୍ୟକ୍ଷ ଅଛନ୍ତି । ସେ ପୂର୍ବରୁ ଓଡିଶା ବିଧାନସଭାରେ ବିଜେପିର ବିରୋଧୀ ଦଳ ନେତା ମଧ୍ୟ ଥିଲେ ।
ସୁନ୍ଦରଗଡ ଲୋକସଭା ସିଟ୍ ବିଜେପିର ଗଡ ଥିବାରୁ ଏଥର ମଧ୍ୟ ଏହି ଆସନକୁ ବଜାୟ ରଖିବାକୁ ଦଳ ଅଂଟା ଭିଡିଛି । ଜୁଏଲଙ୍କ ବିନା ଏହି ଆସନ କାଏମ ରଖିବା କାଠିକର ପାଠ । ଲୋକଙ୍କ ମତରେ ଜୁଏଲଙ୍କୁ ଲୋକସଭା ଆସନରୁ ନିର୍ବାଚନ ଲଢିବା ଉଚିତ୍ । କିନ୍ତୁ ବିଜେପି ଏଥର ଓଡିଶା ବିଧାନସଭା ନିର୍ବାଚନ ଫୁଲ୍ ଦମରେ ଲଢିବାକୁ ରଣନୀତି ପ୍ରସ୍ତୁତ କରୁଛି । ଦଳ ଅଧିକରୁ ଅଧିକ ବିଧାନସଭା ସିଟ୍ ହାତେଇବାକୁ ଲକ୍ଷ୍ୟ ରଖିଛି । ତେଣୁ ଦଳ ଭିନ୍ନ ରଣନୀତି ଉପରେ କାମ କରୁଛି । ଏବେ ଦେଖିବା ବାକି ରହିଲା ଯଦି ଜୁଏଲ ବିଧାନସଭା ନିର୍ବାଚନ ଲଢନ୍ତି ତେବେ ସୁନ୍ଦରଗଡ ଲୋକସଭା ସିଟରୁ ଦଳ କାହାକୁ ପ୍ରାର୍ଥୀ କରିବ ।