ଭୁୁବନେଶ୍ୱର: ସାଧାରଣ ନିର୍ବାଚନକୁ ଆଉ କେଇଟା ମାସ ବାକି ରହିଛି । ରାଜ୍ୟରେ ରାଜନୈତିକ ଉଷ୍ଣତା ବଢିବାରେ ଲାଗିଛି । ୨୦୨୪ ନିର୍ବାଚନରେ ବଳ କଷାକଷି ପାଇଁ ଶାସକ ବିଜେଡି ଓ ବିରୋଧୀ ବିଜେପି ଏବଂ କଂଗ୍ରେସ ରଣନୀତି ପ୍ରସ୍ତୁତିରେ ଲାଗି ପଡିଛନ୍ତି । ନେତାଙ୍କଠୁ ନେଇ କର୍ମୀ ସମସ୍ତେ ଚଳଚଂଚଳ ହେଲେଣି । ଟିକେଟ୍ କେମିତି ହାତେଇବା ତାକୁ ନେଇ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଯୋଗିତା ଦେଖିବାକୁ ମିଳୁଛି । ଏସବୁ ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ନିଜର ଦବଦବା କିଭଳି ବଜାୟ ରହିବ ଏବଂ ରହିଥିବା ୩ଟି ବିଧାନସଭା କ୍ଷେତ୍ର ଦଳ ନିର୍ବାଚନ ଜିତିବ ଶାସକ ବିଜେଡି ତାରି ଉପରେ ଫୋକସ୍ କରିଛି । ଭୁବନେଶ୍ୱର ମଧ୍ୟ ଆସନକୁ ଚର୍ଚ୍ଚା ଟିକିଏ ଅଧିକ ରହିଛି । ଏଠାରୁ ଏଂଟରପ୍ରିନେୟର ତଥା ଜୟ ଓଡିଶାର ସଂସ୍ଥାପକ ରୁଦ୍ର ନାରାୟଣ ସାମନ୍ତରାୟ ବିଜୁ ଜନତା ଦଳରୁ ପ୍ରାର୍ଥୀ ହେବା ନେଇ ରାଜନୈତିକ କରିଡରରେ ଚର୍ଚ୍ଚା ଚାଲିଛି ।
ରୁଦ୍ର ନାରାୟଣ ମଧ୍ୟ ଭୁବନେଶ୍ୱର ମଧ୍ୟ ଆସନରୁ ପ୍ରାର୍ଥୀ ଭାବେ ପ୍ରଥମ ପସନ୍ଦ ଥିବା କୁହାଯାଉଛି । ତାଙ୍କର ଲୋକପ୍ରିୟତା ବଢୁଥିବା ସହ ଅଂଚଳରେ ବେଶ ଜନାଦୃତ ରହିଛି । ବସ୍ତି ବୁଲି ଲୋକଙ୍କ ସମସ୍ୟା ବିଷୟରେ ପଚାରି ବୁଝୁଥିବା ଦେଖିବାକୁ ମିଳିଛି । ମଧ୍ୟ ଆସନରେ ସରକାରଙ୍କ ଉନ୍ନତି ମୂଳକ କାର୍ଯ୍ୟକ୍ରମରେ ଯୋଗ ଦେଇ ଲୋକଙ୍କ ସହ ସଂପର୍କ ସ୍ଥାପନ କରୁଛନ୍ତି । ତାଙ୍କର ଲୋକପ୍ରିୟତାକୁ ଦେଖି ଆଗାମୀ ନିର୍ବାଚନରେ ବିଜେଡି ରୁଦ୍ର ନାରାୟଣଙ୍କୁ ଭୁବନେଶ୍ୱର ମଧ୍ୟ ଆସନରୁ ପ୍ରାର୍ଥୀ କରୁଥିବା ଦଳ ବିଚାର କରୁଛି । ବର୍ତମାନ ଏହି ଆସନରୁ ବରିଷ୍ଠ ବିଜେଡି ନେତା ଅନନ୍ତ ନାରାୟଣ ଜେନା ବିଧାୟକ ଅଛନ୍ତି । ଯଦି ରୁଦ୍ରଙ୍କୁ ଏଠାରୁ ପ୍ରାର୍ଥୀ କରାଯାଏ ତେବେ ଅନନ୍ତ ନାରାୟଣଙ୍କୁ ଦଳ ବଡ ଦାୟିତ୍ୱ ଦେଇପାରେ ।
ଜୟ ଓଡିଶାର ସଂସ୍ଥାପକ ଥିବା ରୁଦ୍ରନାରାୟଣ ସାମନ୍ତରାୟ ୨୦୧୯ ମାର୍ଚ୍ଚ ୨୪ ତାରିଖରେ ବିଜେଡିରେ ଯୋଗ ଦେଇ ରାଜନୀତିରେ ପାଦ ଦେଇଥିଲେ । ସେ ବିଶ୍ୱେଶର ରାୟ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ଟେକ୍ନୋଲୋଜି(ଏନଆଇଟି)ରୁ ଉଚ୍ଚଶିକ୍ଷା ଲାଭ କରିଛନ୍ତି । ସେ କଫି ବାୟଟ୍ସର ମଧ୍ୟ ସଂସ୍ଥାପକ ଅଟନ୍ତି । ଯୁବ ବର୍ଗରେ ସେ ବେଶ ଲୋକପ୍ରିୟ ରହିଛନ୍ତି । ଆଉ ତାଙ୍କର ଏହି ଲୋକପ୍ରିୟତାକୁ ପାଥେୟ କରି ବିଜେଡି ତାଙ୍କୁ ପ୍ରାର୍ଥୀ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ୨୦୨୪ ନିର୍ବାଚନରେ ବିଜେଡି ଅନେକ ଆସନରେ ନୂତନ ଓ ଯୁବ ଚେହେରାକୁ ଟିକେଟ୍ ଦେଇପାରେ । ଆଉ ଏଥିରେ ରୁଦ୍ର ନାରାୟଣଙ୍କ ନାଁ ଅନ୍ୟତମ ।
ସୂଚନାଯୋଗ୍ୟ, ଭୁବନେଶ୍ୱର ମଧ୍ୟ ଆସନରେ ବିଜେଡିର ଦବଦବା ରହି ଆସିଛି । ୨୦୧୪ ଓ ୨୦୧୯ରେ ଏଠାରୁ କ୍ରମାଗତ ନିର୍ବାଚନ ଜିତିଥିଲେ ବିଜୟ କୁମାର ମହାନ୍ତି । ୨୦୧୯ରେ ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନାଙ୍କୁ ଦଳ ପ୍ରାର୍ଥୀ କରିଥିଲା ଏବଂ ସଫଳ ମଧ୍ୟ ହୋଇଥିଲା । ତେବେ ଏଥର ନିର୍ବାଚନ ସବୁଠୁ ଭିନ୍ନ ହେବାକୁ ଯାଉଛି । ତେଣୁ ଦଳ ସ୍ୱତନ୍ତ୍ର ରଣନୀତି ଆଧାରରେ ଯୁବ ବର୍ଗଙ୍କୁ ଟିକେଟ୍ ଦେବାକୁ ବିଚାର କରୁଛି । ଏହି ଆଧାରରେ ରୁଦ୍ର ନାରାୟଣ ସାମନ୍ତରାୟଙ୍କୁ ଦଳ ଏଥର ମଇଦାନକୁ ଓହ୍ଲାଇପାରେ ।