Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ସମ୍ବଲପୁର ଲୋକସଭାରେ ହେବ କଡ଼ା ମୁକାବିଲା, ଧର୍ମେନ୍ଦ୍ର ଲଢିଲେ ମଇଦାନକୁ ଓହ୍ଲାଇ ପାରନ୍ତି ବବି ଦାସ

ସମ୍ବଲପୁର: ପଶ୍ଚିମ ଓଡିଶାର ବହୁ ଚର୍ଚ୍ଚିତ ଲୋକସଭା ଆସନ ହେଉଛି ସମ୍ବଲପୁର। ସାଧାରଣ ନିର୍ବାଚନକୁ ଆଉ  କେଇଟା ମାସ ବାକି ଥିବା ବେଳେ ସଭିଙ୍କ ନଜରରେ ରହିଛି ସମ୍ବଲପୁର। କାରଣ ଏହି ଆସନରୁ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ବିଜେପି ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ଚାଲିଛି। ତେବେ ଏଥର ସମ୍ବଲପୁରରେ  ହାଇଭୋଲଟେଜ୍ ମୁକାବିଲା  ହୋଇପାରେ। କାରଣ ବିଜେଡି ଏଠାରୁ ନିଜର ଦକ୍ଷ ନେତାକୁ ପ୍ରାର୍ଥୀ କରିବାକୁ ଯୋଜନା କରୁଛି।  ଆଉ ଏହି ନେତା ହେଉଛନ୍ତି ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ। ମୁଖ୍ୟମନ୍ତ୍ରୀ ସୁଯୋଗ ଦେଲେ ସମ୍ବଲପୁରରୁ ଲୋକସଭା ଲଢ଼ିବେ ବୋଲି ସଙ୍କେତ ଦେଇଛନ୍ତି ପ୍ରଣବ। ତାଙ୍କର ଏହି ବୟାନ ପରେ ପଶ୍ଚିମ ଓଡ଼ିଶାର ରାଜନୀତି ହଲଚଲ।

ବର୍ତ୍ତମାନ ସମ୍ବଲପୁର ଲୋକସଭା ସିଟ୍‌ ବିଜେପି କବଜାରେ ରହିଛି। ନୀତିଶ ଗଙ୍ଗଦେବ ସାଂସଦ ଥିବା ବେଳେ  ଏଥର ଲଢେଇ ଧର୍ମେନ୍ଦ୍ର ପ୍ରଧାନ ଲଢିବେ ବୋଲି କୁହାଯାଉଛି। ଏମିତି ହେଲେ ଧର୍ମେନ୍ଦ୍ର ଭର୍ସେସ୍ ପ୍ରଣବ ପ୍ରକାଶ ହେବ ବୋଲି ଚାଲିଲାଣି ଚର୍ଚ୍ଚା। ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି ମୁଖ୍ୟମନ୍ତ୍ରୀ ଚାହିଁଲେ ମୁଁ ଲଢିବି ବୋଲି ସାମ୍ବାଦିକଙ୍କୁ କହିବା ପରେ ପଶ୍ଚିମ ଓଡ଼ିଶା ରାଜନୀତିରେ ହଲଚଲ ଖେଳିଯାଇଛି। ଧର୍ମେନ୍ଦ୍ର ବନାମ ପ୍ରଣବ ହେଲେ ସମ୍ବଲପୁର ଭୋଟର ଏଥର ବିଗ୍ ଫାଇଟ୍ ଦେଖିବାକୁ ପାଇବେ ବୋଲି ଏବେଠୁ ଆକଳନ ହେଲାଣି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରକୁ ଘନଘନ ଗସ୍ତ କରିବା ସହ  ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରୁଛନ୍ତି। ଏପଟେ ପଣବ ପ୍ରକାଶ ଦାସ ସମ୍ବଲପୁରର ବିଜେଡି ପର୍ଯ୍ୟବେକ୍ଷକ ଥିବାବେଳେ ଜିଲ୍ଲାକୁ ଘନ ଘରନ ଗସ୍ତ କରୁଛନ୍ତି। ବିଜେଡିର ରେଢାଖୋଲ ବିଧାୟକ ରୋହିତ ପୂଜାରୀ ଆଉ ପାଦେ ଆଗକୁ ଯାଇ କହିଛନ୍ତି ସମ୍ବଲପୁରରୁ ପ୍ରଣବ ପ୍ରକାଶ ଦାସ ପ୍ରାର୍ଥୀ ହେଲେ ୭ରୁ ୭ ଆସନ ଜିତି ବୋଲି କହିଛନ୍ତି।  ସେପଟେ ବିଜେପି ବିଧାୟକ ନାଉରୀ ନାୟକ ଏହାକୁ ସମାଲୋଚନା କରି  ସିଧାସଖ ରୋହିତ ପୂଜାରୀଙ୍କୁ ଟାର୍ଗେଟ କରିଛନ୍ତି। ରୋହିତ ସମ୍ବଲପୁର ଲୋକସଭା ଆସନରେ ଅହଂକାର ରୂପକ ଯୁକ୍ତି ବାଢ଼ିଛନ୍ତି ।  ଦଳରେ ନିଜର ଚାହିଦା ବଢ଼ାଇବା ସହ ଚର୍ଚ୍ଚାକୁ ଆସିବାକୁ ରୋହିତ ଏପରି ମନ୍ତବ୍ୟ ଦେଇଥିବା କହିଛନ୍ତି ବିଜେପି ବିଧାୟକ ନାଉରୀ ନାୟକ। 

ସୂଚନାଯୋଗ୍ୟ,  ୨୦୧୯ରେ ସମ୍ବଲପୁର ଲୋକସଭା ଆସନ ଦଖଲ କରିଥିଲା ବିଜେପି। ତେଣୁ ୨୦୨୪ରେ  ବିଜେପି ପୁଣି  ଏହି ଆସନ ବଜାୟ ରଖିବାକୁ ଅଣ୍ଟା ଭିଡିଥିବା ବେଳେ ଏଥିରେ ବ୍ରେକ୍ ଲଗାଇ ଏହି ଆସନକୁ କବଜା କରିବା ଲକ୍ଷ୍ୟରେ ରହିଛି ବିଜେଡି। ସମ୍ବଲପୁର ଲୋକସଭା କ୍ଷେତ୍ରରେ ବର୍ତ୍ତମାନ ବିଜେପିର ତିନି ବିଧାୟକ ଅଛନ୍ତି ଏବଂ ଲୋକସଭା ଆସନ ମଧ୍ୟ ବିଜେପି କବଜାରେ ରହିଛି। ଏହା ଧର୍ମେନ୍ଦ୍ରଙ୍କୁ ଲୋକସଭା ନିର୍ବାଚନର ବୈତରଣୀ ପାର କରାଇବାରେ ବଡ ଫ୍ୟାକ୍ଟର ସାବ୍ୟସ୍ତ ହୋଇପାରେ।

ବିଜେପି ନେତାଙ୍କ ଅନୁସାରେ, ବିଜେଡି ଦ୍ଵାରା ପର୍ଯ୍ୟବେକ୍ଷକ ଭାବେ ପ୍ରଣବ ପ୍ରକାଶ ଦାସଙ୍କୁ ନିଯୁକ୍ତି କରାଯିବାର ଅର୍ଥ ଏହି ଜିଲ୍ଲାରେ ପ୍ରଧାନଙ୍କ ଗତିବିଧି ଉପରେ ନଜର ରଖିବା। ଦାସ ତିନି ଥର ଯାଜପୁରରୁ ବିଧାୟକ ରହି ସାରିଲେଣି ଏବଂ ସାଂଗଠନିକ ଦକ୍ଷତା ମଧ୍ୟ ରହିଛି। ତେବେ ଦେଖିବା ବାକି ରହିଲା ସମ୍ବଲପୁରରୁ ବିଜେପି ଧର୍ମେନ୍ଦ୍ରଙ୍କୁ ଏବଂ ବିଜେଡି ପ୍ରଣବଙ୍କୁ ପ୍ରାର୍ଥୀ କରୁଛି କି ନାହିଁ।