କଟକରୁ ନିର୍ବାଚନ ଲଢିବେ କି ଅଶ୍ଵିନୀ ବୈଷ୍ଣବ ! ବଢିବ ଭର୍ତ୍ତୃହରିଙ୍କ ଅଡୁଆ


କଟକ: ମହାନଦୀ କୂଳରେ ଗଢିଥିବା ଓଡିଶାର ପୂର୍ବତନ ରାଜଧାନୀ ତଥା ଐତିହାସିକ କଟକ ସହର ରାଜନୀତି ଦୃଷ୍ଟିରୁ ବେଶ ଗୁରୁତ୍ଵପୂର୍ଣ୍ଣ। କଟକ ସଂସଦୀୟ କ୍ଷେତ୍ର ଶାସକ ବିଜୁ ଜନତା ଦଳ(ବିଜେଡି)ର ଗଡ ଭାବେ ରହି ଆସିଛି। ତେବେ ବିଜେଡିର ଏହି ଗଡ ଉପରେ ଏବେ ଭାରତୀୟ ଜନତା ପାର୍ଟି(ବିଜେପି)ର ନଜର ରହିଛି। ରାଜ୍ୟ ରାଜନୀତିର ଗୁରୁତ୍ଵପୂର୍ଣ୍ଣ ଆସନ କଟକକୁ ନିଜ ଅକ୍ତିକାରରେ ରଖିଥିବା ବିଜେଡିକୁ ଚକମା ଦେବାକୁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରୁଛି ବିଜେପି। ଏହାର ସଙ୍କେତ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ବାରମ୍ବାର କଟକ ଗସ୍ତରୁ ମିଳିଛି। କଣ କଟକ ଲୋକସଭାରୁ ଅଶ୍ଵିନୀ ପ୍ରାର୍ଥୀ ହେବେ କି ? ଏହି କେନ୍ଦ୍ର ମନ୍ତ୍ରୀଙ୍କୁ ବିଜେପି ବଡ ଅସ୍ତ୍ର କରିପାରେ ବୋଲି ଚର୍ଚ୍ଚା ଜୋର ଧରିଛି।

୨୦୨୪ ଲୋକସଭା ନିର୍ବାଚନକୁ ଆଉ ଗୋଟିଏ ବର୍ଷ ସମୟ ବାକି ରହିଛି। ଏବେଠୁ ଜାତୀୟ ଦଳଠୁ ନେଇ ଆଞ୍ଚଳିକ ଦଳ ରଣନୀତି ପ୍ରସ୍ତୁତିରେ ଲାଗି ଲଗେଣି। ରାଜ୍ୟରେ ବିଜେପି ୨୦୧୯ର ସଫଳତାକୁ ଦୋହରାଇ ଅଧିକ ଲୋକସଭା ଆସନ କେମିତି ଜିତିବ ସେ ନେଇ ସ୍ଵତନ୍ତ୍ର ରଣନୀତି ଉପରେ କାମ କରୁଛି। ଆଉ ଏହାର ପ୍ରମୁଖ ଅଂଶ ହେଉଛନ୍ତି ଅଶ୍ଵିନ ବୈଷ୍ଣବ। ବିଗତ ଦିନରେ ଅଶ୍ଵିନ ବୈଷ୍ଣବ ବାରମ୍ବାର କଟକ ଜିଲ୍ଲା ଗସ୍ତ କରିଛନ୍ତି। ନିକଟରେ ସେ କଟକ ଷ୍ଟେସନରୁ ଭଦ୍ରକ- ନୟାଗଡ, ଭଦ୍ରକ ମେମୁ ଟ୍ରେନର ଶୁଭାରମ୍ଭ କରିଥିଲେ। ପୁଣି ଗତ ଜାନୁଆରୀ ୫ ତାରିଖରେ ବିଜେପିର ଜୋନ ସ୍ତରୀୟ ବୈଠକରେ ଯୋଗ ଦେଇଥିଲେ। ଚଳିତ ବର୍ଷ ଅଶ୍ଵିନଙ୍କ ଏହା ହେଉଛି ଦ୍ଵିତୀୟ କଟକ ଗସ୍ତ। ଏଥିରୁ ପ୍ରତୀତମାନ ହେଉଛି ବିଜେପି କଟକ ଲୋକସଭାରୁ ଅଶ୍ଵିନୀ ବୈଷ୍ଣବଙ୍କୁ ପ୍ରାର୍ଥୀ କରିପାରେ। ପ୍ରଶାସନିକ ଅଧିକାରୀ ଭାବେ ଅଶ୍ଵିନୀ କଟକ ଜିଲ୍ଲାର ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଛନ୍ତି। ଜିଲ୍ଲାବାସୀଙ୍କ ନିକଟରେ ମଧ୍ୟ ସେ ବେଶ ଆଦୃତ ହୋଇଥିଲେ। ତାଙ୍କର ଲୋକପ୍ରିୟତାକୁ ପାଥେୟ କରି ବିଜେପି ଅଶ୍ଵିନଙ୍କୁ କଟକରୁ ପ୍ରାର୍ଥୀ କରି ବିଜେଡିର ଏହି ଗଡ ଦଖଲ କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି।

ରାଜସ୍ଥାନ ଜନ୍ମିତ ତଥା ୧୯୯୪ ମସିହା ଓଡିଶା କ୍ୟାଡରର ଆଇଏଏସ ଅଫିସର ଅଶ୍ଵିନୀ ବୈଷ୍ଣବ କେନ୍ଦ୍ରୀୟ ଡେପୁଟେସନରେ ଯିବା ପୂର୍ବରୁ ବାଲେଶ୍ଵର ଏବଂ କଟକ ଜିଲ୍ଲାର ଜିଲ୍ଲାପାଳ ଭାବେ ଦାୟିତ୍ଵ ତୁଲାଇଛନ୍ତି। ୧୯୯୯ ମହାବାତ୍ୟାର ମୁକାବିଲାରେ ତାଙ୍କର ଅବଦାନ ବେଶ ଗୁରୁତ୍ଵପୂର୍ଣ୍ଣ ଥିଲା। ଓଡିଶା ବିଷୟରେ ତାଙ୍କର ବିଶେଷ ଅଭିଜ୍ଞତା ମଧ୍ୟ ରହିଛି। ଓଡିଶାରୁ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ପ୍ରଶାସନିକ ଅଧିକାରୀରୁ କର୍ପୋରେଟ୍ ଜଗତରେ ପାଦ ଦେଇ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିବା ଅଶ୍ଵିନ ପରବର୍ତ୍ତୀ ସମୟରେ ବିଜେପିରେ ଯୋଗ ଦେଇଥିଲେ। ତାଙ୍କର ଦକ୍ଷତା ଏବଂ ସାମର୍ଥ୍ୟକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ତାଙ୍କୁ ରେଳ ମନ୍ତ୍ରଣାଳୟ, ବୈଦ୍ୟୁତକ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ପରି ଗୁରୁତ୍ଵପୂର୍ଣ୍ଣ ମନ୍ତ୍ରଣାଳୟର ଦାୟିତ୍ଵ ଦେଇଛି।

ଯଦି ଅଶ୍ଵିନୀ ବୈଷ୍ଣବ କଟକ ସଂସଦୀୟ କ୍ଷେତ୍ରରୁ ପ୍ରାର୍ଥୀ ହୁଅନ୍ତି ତେବେ ବିଜେଡି ପାଇଁ ଏହା ନିଶ୍ଚିତ ରୂପେ ଚିନ୍ତାର ବିଷୟ ପାଲଟିପାରେ। କାରଣ କଟକରେ ଅଶ୍ଵିନଙ୍କ ବେଶ ଦବଦବା ରହିଛି। ବର୍ତ୍ତମାନ ସାଂସଦ ଥିବା ବରିଷ୍ଠ ନେତା ଭର୍ତ୍ତୃହରି ମହତାବ ୧୯୯୮ରୁ ଲଗାତାର ଛଅ ଥର ନିର୍ବାଚନ ଜିତି ସଂସଦକୁ ନିର୍ବାଚିତ ହୋଇଛନ୍ତି। କିନ୍ତୁ ଏଥର ତାଙ୍କ ପାଇଁ ଏବଂ ବିଜେଡି ପାଇଁ ନିର୍ବାଚନ ଜିତିବା ସେତେଟା ସହଜ ହେବ ନାହିଁ। ବିଜେପିର କେନ୍ଦ୍ରୀୟ ନେତୃ ବୃନ୍ଦଙ୍କ ଫୋକସରେ ଓଡିଶା ରହିଛି।

ସୂଚନାଯୋଗ୍ୟ, ଗତ ନିର୍ବାଚନରେ ବିଜେପି ପୂର୍ବତନ ପୋଲିସ୍ ମହାନିର୍ଦ୍ଦେଶକ(ଡିଜି) ପ୍ରକାଶ ମିଶ୍ରଙ୍କୁ ପ୍ରାର୍ଥୀ କରିଥିଲା। ପ୍ରକାଶ ମିଶ୍ର ପୁରୁଖା ନେତା ଭର୍ତ୍ତୃହରି ମହତାବଙ୍କୁ କଡା ଟକ୍କର ଦେଇଥିଲେ। ମହତାବଙ୍କୁ ୫, ୨୪, ୫୯୨ ଭୋଟ୍ ମିଳିଥିବା ବେଳେ ପ୍ରକାଶ ମିଶ୍ରଙ୍କୁ ୪,୦୩, ୩୯୧ ଭୋଟ୍ ମିଳିଥିଲା। ୨୦୧୪ ନିର୍ବାଚନ ତୁଳନାରେ ୨୦୧୯ ନିର୍ବାଚନରେ ବିଜେପି ୨୩.୧୫ ପ୍ରତିଶତ ଅଧିକ ଭୋଟ୍ ପାଇଥିଲା। ଏହି ଭୋଟହାରକୁ ବଜାୟ ରଖି ବିଜେଡି ଗଡକୁ ଦଖଲ କରିବାକୁ ଲକ୍ଷ୍ୟ ରଖିଛି ବିଜେପି। ଯଦି ଅଶ୍ଵିନଙ୍କୁ କଟକରୁ ପ୍ରାର୍ଥୀ କରାଯିବା ଚର୍ଚ୍ଚା ସତ ହୁଏ ତେବେ ଏହା ବିଜେପି ପାଇଁ ନିଶ୍ଚିତ ରୂପେ ଗେମ ଚେଞ୍ଜର ସାବ୍ୟସ୍ତ ହୋଇପାରେ।